ETV Bharat / state

କୋଟିପତି ରାୟଗଡା ଡିଏଫଓ, ଚଢାଉ ପରେ ଗିରଫ କଲା ଭିଜିଲାନ୍ସ

author img

By ETV Bharat Odisha Team

Published : Aug 25, 2023, 9:49 AM IST

Rayagada DFO under vigilance scanner
Rayagada DFO under vigilance scanner

ଗିରଫ ହେଲେ ରାୟଗଡା ବନଖଣ୍ଡ ଅଧିକାରୀ ବିଜୟ କୁମାର ପରିଡ଼ା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଅଧିକ ପଢନ୍ତୁ

Rayagada DFO under vigilance scanner

ରାୟଗଡା: କୋଟିପତି ରାୟଗଡା ଡିଏଫଓ । ଭିଜିଲାନ୍ସ ରେଡ ବେଳେ ଜବତ ହେଲା କୋଟି କୋଟି ଟଙ୍କାର ସମ୍ପତ୍ତି । ରାୟଗଡା ବନଖଣ୍ଡ ଅଧିକାରୀ ବିଜୟ କୁମାର ପରିଡ଼ାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡିଏଫଓଙ୍କୁ ଗିରଫ କରାଯାଇଛି। ଆଜି କୋରାପୁଟ ଜିଲ୍ଲା ଜୟପୁରରେ ଥିବା ଭିଜିଲାନ୍ସର ସ୍ଵତନ୍ତ୍ର ଅଦାଲତରେ ହାଜର ହୋଇପାରନ୍ତି ଡିଏଫଓ ।

ଗୁରୁବାର ଭିଜିଲାନ୍ସ ଡିଏସପି ସନ୍ଧ୍ୟା ରାଣୀ ସାହୁଙ୍କ ନେତୃତ୍ୱରେ ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ କରିଥିଲା । ଏକକାଳୀନ ଭାବେ ରାୟଗଡା, ଖୋର୍ଦ୍ଧା, କଟକ ଓ ଯାଜପୁରର 7ଟି ସ୍ଥାନରେ ରେଡ ହୋଇଥିଲା । ଏହି ଚଢାଉରେ 8 ଜଣ ଡିଏସପି ଓ 6 ଜଣ ଇନ୍ସପେକ୍ଟର ସାମିଲ ଥିଲେ । ଚଢାଉ ସମୟରେ ଡିଏଫଓଙ୍କ ସରକାରୀ ବାସଭବନରୁ 1,24,600 ଟଙ୍କା ସହ 650 ଗ୍ରାମ ସୁନା ଅଳଙ୍କାର, ଗୋଟିଏ ମାରୁତି କାର, 2ଟି ମଟରସାଇକେଲ ସାଙ୍ଗକୁ 17 ଲକ୍ଷ 87 ହଜାର ଟଙ୍କାର ଘରକରଣା ସାମଗ୍ରୀ ଜବତ କରିଥିଲା ଭିଜିଲାନ୍ସ ବିଭାଗ ।

ସେହିପରି ରାନିଗୁଡା ଫାର୍ମରେ ଥିବା ସରକାରୀ ଅଫିସରେ ମଧ୍ୟ ଚଢାଉ ହୋଇଥିବା ବେଳେ ସେଠି କିଛି ଫାଇଲକୁ ଜବତ ହୋଇଥିଲା । ଭୁବନେଶ୍ବର ପଟିଆରେ ଥିବା ଆଶୀର୍ବାଦ ପ୍ଲାଜାର ତୃତୀୟ ମହଲାରେ ଥିବା ଏକ ଫ୍ଲାଟ, କଟକରେ ଶ୍ରୀ କରୁଣାରେ ଚାଲିଥିବା ଏକ ନିର୍ମାଣଧିନ ବିଲ୍ଡିଂ, ପଳାଶୁଣି ଭୁବନେଶ୍ବରରେ ତିନି ମହଲାର ନିର୍ମାଣାଧୀନ କୋଠା,ଭୁବନେଶ୍ବର,ପୁରୀ, କଟକ ଏବଂ ଯାଜପୁରରେ 16ଟି ପ୍ଲଟକୁ ଠାବ କରିଥିଲା ଭିଜିଲାନ୍ସ । ଚଢ଼ାଉ ସମୟରେ ବୀମା ରସିଦ ଓ ବଣ୍ଡ ସମେତ ବ୍ୟାଙ୍କ ଡିପୋଜିଟ କାଗଜପତ୍ର ଠାବ କରିଥିଲା ଭିଜିଲାନ୍ସ ଟିମ୍ ।

ଏହା ମଧ୍ୟ ପଢନ୍ତୁ-Vigilance Raid: ଭିଜିଲାନ୍ସ ଜାଲରେ ରାୟଗଡ଼ା ଡିଏଫଓ, ଏକକାଳୀନ 7ଟି ସ୍ଥାନରେ ରେଡ

ଏଥି ସହ କଟକର ଶ୍ରିକୋରୁଆନ ଗ୍ରାମରେ ଥିବା ସମ୍ପର୍କୀୟଙ୍କ ଘର, ଭୁବନେଶ୍ବର ଶିଶୁ ବିହାରରେ ଥିବା ସମ୍ପର୍କୀୟଙ୍କ ଭଡା ଘର ଓ ଯାଜପୁର ଦାମୋଦରପୁରରେ ଥିବା ପୈତୃକ ଘରେ ଛାପା ମାରିଥିଲା ଭିଜିଲାନ୍ସ ବିଭାଗ । ଗତକାଲି ସନ୍ଧ୍ୟାରେ ଭିଜିଲାନ୍ସ ଡିଏସପି ସନ୍ଧ୍ୟା ରାଣୀ ସାହୁଙ୍କ ନେତୃତ୍ୱରେ ଡିଏଫଓ ବିଜୟ କୁମାର ପରିଡ଼ାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଆଜି କୋରାପୁଟ ଜିଲ୍ଲା ଜୟପୁର ସହରରେ ଥିବା ଭିଜିଲାନ୍ସର ସ୍ଵତନ୍ତ୍ର ଅଦାଲତରେ ହାଜର ହୋଇପାରନ୍ତି ଡିଏଫଓ । ମୋଟ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେନେଇ ସୂଚନା ହସ୍ତଗତ ହୋଇନାହିଁ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.