ETV Bharat / state

ଥମୁନି ଜନନୀ ଯନ୍ତ୍ରଣା: କିଟିକିଟି ଅନ୍ଧାରରେ ନଦୀନାଳ ଡେଇଁ ହସ୍ପିଟାଲ ପହଞ୍ଚିଲେ ଗର୍ଭବତୀ

author img

By

Published : May 12, 2023, 9:36 AM IST

Updated : May 12, 2023, 2:16 PM IST

ନଦୀନାଳ ଡେଇଁ ହସ୍ପିଟାଲ ପହଞ୍ଚିଲେ ଗର୍ଭବତୀ
ନଦୀନାଳ ଡେଇଁ ହସ୍ପିଟାଲ ପହଞ୍ଚିଲେ ଗର୍ଭବତୀ

ରାୟଗଡା କାଶୀପୁରରେ ପୁଣି ଜନନୀ ଯନ୍ତ୍ରଣା । ରାସ୍ତା ସମସ୍ୟା ଯୋଗୁଁ କିଟିକିଟି ଅନ୍ଧାରରେ ନଦୀନାଳ ଡେଇଁ ହସ୍ପିଟାଲ ପହଞ୍ଚିଲେ ଗର୍ଭବତୀ । ଅଧିକ ପଢନ୍ତୁ

କିଟିକିଟି ଅନ୍ଧାରରେ ନଦୀନାଳ ଡେଇଁ ହସ୍ପିଟାଲ ପହଞ୍ଚିଲେ ଗର୍ଭବତୀ

ରାୟଗଡା: କାଶୀପୁର ବ୍ଲକରେ ଥମୁନି ଜନନୀ ଯନ୍ତ୍ରଣା । କେବଳ ବର୍ଷାଦିନ ନୁହେଁ, ଡହ ଡହ ଖରାରେ ମଧ୍ୟ ଆମ୍ବୁଲାନ୍ସଟିଏ ଦୁର୍ଗମ ଅଞ୍ଚଳକୁ ପଶି ପାରୁନି । ଯାହାଫଳରେ ଅନେକ ସମୟରେ ଖବରର ଶିରୋନାମା ପାଲଟୁଛି ରାୟଗଡା ଜିଲ୍ଲା କାଶୀପୁରର ଜନନୀ ଯନ୍ତ୍ରଣା । ଏଭଳି ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି କାଶୀପୁର ଗୋଡିବାଲି ପଞ୍ଚାୟତ ଅନ୍ତର୍ଗତ ଗାଡ୍ରାମୁହିଁ ଗ୍ରାମରେ । ଗାଁର ପରିହା ମାଝୀଙ୍କ ସ୍ତ୍ରୀ ରଞ୍ଜିତା ମାଝୀ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଗାଁରେ ରାସ୍ତା ଏବଂ ଟେଲିଫୋନ ନେଟୱର୍କ ନଥିବା ଯୋଗୁଁ ଆମ୍ବୁଲାନ୍ସ ସହ ଯୋଗାଯୋଗ ହୋଇପାରିନଥିଲା । ନିରୂପାୟ ପରିବାର ଲୋକେ ଆଜି ପାହାନ୍ତିଆରେ ତାଙ୍କୁ କିଟିକିଟି ଅନ୍ଧାର ରାତିରେ ନଦୀନାଳ ପାର୍ କରି ଆରପଟକୁ ଆଣିବା ପରେ ଆମ୍ବୁଲାନ୍ସରେ ମେଡିକାଲ ନେଇଥିଲେ ।

ପ୍ରଥମେ ଗର୍ଭବତୀଙ୍କୁ ସିକରପାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଜାଣି ଡାକ୍ତର ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ରଞ୍ଜିତା ବର୍ତ୍ତମାନ ରାୟଗଡା ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି, ଖଣି ଖାଦାନରେ ଭରପୁର କାଶୀପୁର ଅଞ୍ଚଳର ଲୋକମାନେ କାହିଁକି ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଜର୍ଜରିତ ହେଉଛନ୍ତି । ଗୋଟିଏ ପଟେ ଶିଳ୍ପାୟନ ତ ଅନ୍ୟପଟେ ଭୋକର ଭୂଗୋଳକୁ ନେଇ କାଶିପୁର ବ୍ଲକ ଦେଶ ବିଦେଶରେ ପ୍ରଖ୍ୟାତ ହେଉଛି । କେତେବେଳେ ଝାଡ଼ାବାନ୍ତି କାଳ ସାଜୁଛି ତ ଆଉ କେତେବେଳେ ଆମ୍ବ ଟାକୁଆ ଖାଇ ଜୀବନ ହାରୁଛନ୍ତି ଏଠିକାର ଲୋକେ । ଏଥିପାଇଁ ସବୁ ସମୟରେ କାଶିପୁର ବ୍ଳକ ଚର୍ଚ୍ଚାରେ ରହିଆସୁଛି ।

କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ କାଶୀପୁର ବ୍ଲକକୁ ପ୍ରତିବର୍ଷ ସ୍ଵତନ୍ତ୍ର ଭାବେ କୋଟି କୋଟି ଟଙ୍କା ପ୍ରଦାନ କରିଛନ୍ତି । କିନ୍ତୁ ସ୍ଥିତି ଯଥା ପୂର୍ବଂ ତଥା ପରଂ ରହିଯାଇଛି । ପ୍ରଶାସନିକ ଅଧିକାରୀଙ୍କ ଇଛାଶକ୍ତିର ଅଭାବ ଯୋଗୁଁ ରାସ୍ତାଘାଟର ଚିତ୍ର ବଦଳି ପାରୁନାହିଁ । ଯାହାର ଫଳସ୍ୱରୂପ ସ୍ଵାଧୀନତାର ଏତେ ବର୍ଷ ପରେ ମଧ୍ୟ କାଶୀପୁର ବ୍ଲକର ଅନେକ ଦୁର୍ଗମ ଗାଁକୁ ସବୁଦିନିଆ ରାସ୍ତା ଖଣ୍ଡିଏ ନାହିଁ । ଯେଉଁ କାରଣରୁ ଗର୍ଭବତୀ ମହିଳାଟିଏ କେତେବେଳେ ରାସ୍ତା କଡରେ ତ ପୁଣି କେତେବେଳେ ଡାକ୍ତରଖାନା ଯିବା ବାଟରେ ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କରୁଛି । ଗର୍ଭବତୀଙ୍କ ଚିକିତ୍ସା ପାଇଁ ସରକାର ପୁଷ୍ଟିକର ଖାଦ୍ୟ ଓ ଆମ୍ବୁଲାନ୍ସ ଭଳି ଅନେକ ସୁବିଧା କରିଥିଲେ ସୁଦ୍ଧା ଠିକଣା ସମୟରେ ସାଧାରଣ ଲୋକଙ୍କ କାମରେ ଆସିପାରୁନାହିଁ କୌଣସି ଯୋଜନା । ଅନେକ ସମୟରେ ଗର୍ଭବତୀଙ୍କୁ ଖଟିଆ ଓ ଭାରରେ ନିଆଯାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଏଭଳି ଚିତ୍ର ବାରମ୍ବାର ଦେଖିବାକୁ ମିଳୁଥିବା ବେଳେ କେବେ କାଶୀପୁର ସ୍ଥିତି ସୁଧୁରିବ ତାହା ସମୟ ହିଁ କହିବ ।

ଇଟିଭି ଭାରତ, ରାୟଗଡା

Last Updated :May 12, 2023, 2:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.