ETV Bharat / state

ରାୟଗଡାରେ 5ଟି ସଚିବ, ଗସ୍ତର ଦ୍ବିତୀୟ ଦିନରେ ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା

author img

By

Published : Jun 9, 2023, 2:11 PM IST

vk pandian rayagada visits second day
vk pandian rayagada visits second day

ରାୟଗଡା ଗସ୍ତର ଦ୍ବିତୀୟ ଦିନରେ କାଶୀପୁର ବ୍ଲକ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କଲେ ଭିକେ ପାଣ୍ଡିଆନ । ଛତୁ ମଞ୍ଜି ପ୍ରସ୍ତୁତ କେନ୍ଦ୍ର ବୁଲି ଦେଖିଥିଲେ ସଚିବ । ଅଧିକ ପଢନ୍ତୁ

vk pandian rayagada visits second day

ରାୟଗଡା: ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । ଗସ୍ତର ଦ୍ବିତୀୟ ଦିନରେ କାଶୀପୁର ବ୍ଲକ ଗସ୍ତ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ ସମୀକ୍ଷା କରି ଖୁବଶୀଘ୍ର କାର୍ଯ୍ୟ ସାରିବାକୁ ପରାମର୍ଶ ଦେଇଥିଲେ ପାଣ୍ଡିଆନ । ଖୁରିଙ୍ଗା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଛତୁ ମଞ୍ଜି ପ୍ରସ୍ତୁତ କେନ୍ଦ୍ର ବୁଲି ଦେଖିଥିଲେ ପରେ ଗୋଷ୍ଠୀର ଏପରି କାର୍ଯ୍ୟକୁ ପ୍ରଶଂସା କରିବା ସହ ଅଧିକରୁ ଅଧିକ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ ସଚିବ । ଏହାପରେ କାଶୀପୁର ଯୁକ୍ତ ଦୁଇ କଲେଜରେ ଖୁବଶୀଘ୍ର ଯୁକ୍ତ 3 ଖୋଲାଯିବା ନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।

କାଶୀପୁର ଗସ୍ତ ପରେ ସଚିବ ବିଷମକଟକ ବ୍ଲକ ଗସ୍ତ କରି ଚାଟିକଣା, ଆଦିମ ଜନଜାତି ଅଞ୍ଚଳ ଖଜୁରୀ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ । ଖଜୁରୀ ଇକୋ ଟୁରିଜିମ ପାର୍କକୁ ଆର୍କିଟେକ ମାଧ୍ୟମରେ ଡିପିଆର ପ୍ରସ୍ତୁତ କରି ଏକମାସ ମଧ୍ୟରେ ପ୍ରେରଣ କଲେ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହ ଅର୍ଥ ମଞ୍ଜୁର କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସେହିପରି ଚାଟିକଣା ସ୍ଥିତ ଶିବ ମନ୍ଦିର ପରିଦର୍ଶନ କରି ମନ୍ଦିର ଓ ଜଳ ପ୍ରପାତର ଉନ୍ନତି ନିମନ୍ତେ ଡିପିଆର ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ପ୍ରେରଣ କରିବା ପାଇଁ ସେବାୟତ ଓ ଟ୍ରଷ୍ଟିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ପରିସରରେ ଆୟୋଜିତ ଆଲୋଚନାରେ ଅଂଶ ଗ୍ରହଣ କରି ସ୍ୱୟଂ ସହାୟକ ଗୋଷ୍ଠୀ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ବ୍ୟାଙ୍କ ଋଣ କିପରି ପାଇବେ ସେ ନେଇ ଘୋଷଣା କରିଥିଲେ ପାଣ୍ଡିଆନ ।

କୃଷି, ଶିକ୍ଷା ଓ କୃଷକ ସମସ୍ୟା ତୁରନ୍ତ ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିବା ପଦକ୍ଷେପ ମଧ୍ୟ ଘୋଷଣା କରିଥିଲେ । ଆଉ ଯାହା ସମସ୍ୟା ଅଛି ସେସବୁକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ନେଇ ଆଗାମୀ ଛଅ ମାସ ମଧ୍ୟରେ ସମାଧାନ କରାଯିବ ବୋଲି କହିଥିଲେ ସଚିବ । ନୂଆ ବର୍ଷରୁ ପ୍ରତ୍ୟେକ ଛାତ୍ର ଛାତ୍ରୀ ସ୍ମାର୍ଟ କ୍ଲାସରେ ପାଠ ପଡିବା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଓ ମେଧାବୀ ଆଦିବାସୀ ଛାତ୍ର ଛାତ୍ରୀ ଯେକୌଣସି ବିଦ୍ୟାଳୟ , ମହାବିଦ୍ୟାଳୟରେ ନାମ ଲେଖାଇ ପାରିବେ ବୋଲି ମତ ରଖିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ 10 ଲକ୍ଷ ଓ ପୁରୁଷଙ୍କୁ 5 ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ପ୍ରଦାନ କରୁଛନ୍ତି ଓ ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସାମିଲ ହୋଇ ନାହାନ୍ତି ସେମାନଙ୍କୁ ସାମିଲ କରାଯିବ । ଯେଉଁମାନେ ମଧୁବାବୁ ପେନସନ ପାଉଛନ୍ତି ସେମାନେ ଆଉ ବ୍ୟାଙ୍କକୁ ଯିବାକୁ ପଡିବନି, ପଞ୍ଚାୟତରେ ପେନସନ ପାଇବେ ବୋଲି ଘୋଷଣା କରିଥିଲେ 5ଟି ସଚିବ ।

ପରେ ପରେ ବିଷମକଟକ ଠାରେ ନୀଳିଆବନ୍ଧ ପରିଦର୍ଶନ କରିଥିଲେ । ଏହାର ପୁନରୁଦ୍ଧାର କାର୍ଯ୍ୟ କରାଯିବା ପାଇଁ ଜନସାଧାରଣ ଦାବି ଜଣାଇଥିଲେ । ଏହାପରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ଲେବେଲ ଫେଡେରେସନ, ଗ୍ରାମ ପଞ୍ଚାୟତ ଲେବେଲ ଫେଡେରେସନ ଏବଂ ଗୋଷ୍ଠୀ କେଡର ମାନଙ୍କ ସହିତ ଆଲୋଚନା କରିଥିଲେ l ପ୍ରତ୍ୟେକ ବିଏଲଏଫକୁ ଗାଡି ଯୋଗାଇ ଦିଆଯିବ ବୋଲି କହିଥିଲେ ସଚିବ l ପ୍ରତି ଘରକୁ ପାନୀୟ ଜଳ ଓ କୃଷି କ୍ଷେତ୍ରରର ଜମିକୁ ଜଳ ଯୋଗାଇ ଦେବା ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା ବୋଲି ମଧ୍ୟ ପ୍ରକାଶ କରିଥିଲେ ।

ବିଷମକଟକ ପରେ 5ଟି ସଚିବ ପଦ୍ମପୁର ବ୍ଲକ ଗସ୍ତ କରି ମରିଚଗୁଡା ସ୍ଥିତ ଆଦିବାସୀ ସଉରା ଲିପି ମନ୍ଦିର ମତର ବନାମ ମନ୍ଦିର ପରିଦର୍ଶନ କରିଥିଲେ । ଏହାକୁ ଉନ୍ନତକରଣ କରାଯିବ ଏବଂ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ । ଆଦିବାସୀ ଭାଷା ସୁରକ୍ଷା ଓ ପ୍ରସାର ନିମନ୍ତେ ଶବର ସାଂସ୍କୃତିକ ସଂଘ ଗ୍ରହଣ କରିଥିବା ପଦକ୍ଷେପ ଗୁଡିକ ଶୁଣି ଖୁସି ବ୍ୟକ୍ତ କରିଥିଲେ । ମନ୍ଦିର ଉନ୍ନତି କରଣ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ ।

ଖିଲାମୁଣ୍ଡା ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଆୟୋଜିତ କୃଷକ ଓ ଜନ ସାଧାରଣ ଅଭିଯୋଗ ଶୁଣାଣୀରେ ଅଂଶ ଗ୍ରହଣ କରି ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ସଜାଗ ଥିବା ଓ କୃଷିଜାତ ସାମଗ୍ରୀ ବିପଣନ ନିମନ୍ତେ ବଜାର ସୃଷ୍ଟି କରିବା ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା ବୋଲି କହିଥିଲେ ସଚିବ । ପ୍ରତିଟି ଚାଷ ଜମିକୁ କେନାଲ ପାଣି ଯୋଗାଇବା ଓ ଜଳସେଚନ ସୁଦୃଡ଼ କରିବା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପଦକ୍ଷେପ ବୋଲି ମତ ରଖିଥିଲେ।

ଏହାପରେ ଗୁଣପୁର ଗସ୍ତ କରି ଶେଫାଳି ପାହାଡ଼ ପରିଦର୍ଶନ କରିବା ସହ ରାମେଶ୍ୱର ମନ୍ଦିରର ଉନ୍ନତି କରଣ ନିମନ୍ତେ ପରିଚାଳନା କମିଟି ସହିତ ଆଲୋଚନା କରିଥିଲେ l ଗୁଣପୁର ଇଣ୍ଡୋର ଷ୍ଟାଡିୟମ ନିକଟରେ ଆୟୋଜିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇ ମିଶନ ଶକ୍ତି ଓ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ l ଗୁଣପୁର ଅଞ୍ଚଳର ସମସ୍ତ କଲେଜ 5ଟି ଅଧୀନରେ ଥିବା ପ୍ରକାଶ କରିଥିଲେ । ସେଫାଳି ପାହାଡ଼ର ଉନ୍ନତି ନିମନ୍ତେ ଡିପିଆର ପ୍ରସ୍ତୁତ କରି ପଠାଇଲେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କରାଯିବ ଓ ୬ ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ପରାମର୍ଶ ଦେଇଥିଲେ । ସେଫାଳି ପାହାଡ଼ ରାସ୍ତା ପାଇଁ ସ୍ୱତନ୍ତ୍ର ଅନୁଦାନ ଦିଆଯିବ ବୋଲି କହିଥିଲେ । ବ୍ରହ୍ମପୁର ଠାରୁ ଜୟପୁର ପର୍ଯ୍ୟନ୍ତ ଚାରିଥାକିଆ ରାସ୍ତା ବିଜୁ ଏକ୍ସପ୍ରେସ ସଡ଼କ ଯୋଜନାକୁ 1200କୋଟି ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ଘୋଷଣା କରିଥିଲେ । 5ଟି ସଚିବଙ୍କ ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଆର, ଭିନୀଲ କୃଷ୍ଣା, ରାୟଗଡ ଜିଲ୍ଲାପାଳ ସ୍ୱଧା ଦେବ ସିଂ, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.