ETV Bharat / state

ପୁଣିଥରେ ଖୋଳାହେଲା ଏମାର ମଠ ଚଟାଣ, ମିଳିଲା ଲୁହାକଣ୍ଟା-ଲୁହାମୁଣ୍ଡା

author img

By

Published : Feb 4, 2022, 6:30 PM IST

Updated : Feb 4, 2022, 7:20 PM IST

ପୁଣିଥରେ ଯାଞ୍ଚ ହେଲା ଏମାର ମଠ: ମିଳିଲା ଲୁହାକଣ୍ଟା-ଲୁହାମୁଣ୍ଡା
ପୁଣିଥରେ ଯାଞ୍ଚ ହେଲା ଏମାର ମଠ: ମିଳିଲା ଲୁହାକଣ୍ଟା-ଲୁହାମୁଣ୍ଡା

ବହୁ ଚର୍ଚ୍ଚିତ ଏମାର ମଠରେ ପୁଣିଥରେ ଯାଞ୍ଚ ହୋଇଛି । କେବଳ ଲୁହାକଣ୍ଟା ଓ ଲୁହାମୁଣ୍ଡା ବ୍ୟତୀତ ଅନ୍ୟ କୌଣସି ଧାତବ ପଦାର୍ଥ ମିଳିନଥିବା ତଦନ୍ତକାରୀ ଟିମ୍ କହିଛନ୍ତି ।

ପୁରୀ: ପୁଣିଥରେ ଯାଞ୍ଚ ହେଲା ବହୁ ଚର୍ଚ୍ଚିତ ଏମାର ମଠ । ଗତବର୍ଷ ସେପ୍ଟେମ୍ବର ୧୬ ରେ ଚିହ୍ନଟ ହୋଇଥିବା ସ୍ଥାନକୁ ବୈଷୟିକ ଟିମ ସହାୟତାରେ ଖନନ କରାଯାଇଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉପଜିଲ୍ଲାପାଳ, ମଠ ପରିଚାଳନା କମିଟି, ଟ୍ରଷ୍ଟ ସଦସ୍ୟଙ୍କ ଉପସ୍ଥିତିରେ ତିନୋଟି ସ୍ଥାନ ଖନନ ହୋଇଥିଲେ ମଧ୍ୟ କିଛି ମିଳିନାହିଁ । କେବଳ ଲୁହାକଣ୍ଟା ଓ ଲୁହାମୁଣ୍ଡା ପାଇଛନ୍ତି ତଦନ୍ତକାରୀ ଟିମ୍ । ବହୁ ଆଡମ୍ବରରେ ଏହା ଲଘୁକ୍ରିୟା ପରି ହୋଇଛି । ବୋର୍ଡ ବୈଠକ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ତଦନ୍ତକାରୀ ଟିମ୍ ପକ୍ଷରୁ କୁହାଯାଇଛି ।



ସୂଚନା ଅନୁଯାୟୀ, ପୂର୍ବରୁ ଏଠାରୁ ୫୨୨ ଖଣ୍ଡ ରୁପା ଇଟା ମିଳିଥିବାବେଳେ ପରବର୍ତୀ ପର୍ଯ୍ୟାୟରେ ଆଉ ୪୫ ଖଣ୍ଡ ରୁପା ଇଟା ମିଳିଥିଲା । ବିତ୍ତୀୟ ମଠ ହୋଇଥିବାରୁ କାଳେ କିଛି ଗୁପ୍ତ ଧନ ମାଟିତଳେ ଥାଇପାରେ ସେହି ସନ୍ଦେହରେ ଗତବର୍ଷ ସେପ୍ଟେମ୍ବର ୧୬ରେ ଦେବୋତ୍ତର, ପୋଲିସ, ପ୍ରଶାସନିକ ଅଧିକାରୀ ଓ ଟ୍ରଷ୍ଟ ବୋର୍ଡ଼ ସଦସ୍ୟଙ୍କ ଉପସ୍ଥିତିରେ ମେଟାଲ ଡିଟେକ୍ଟର ଦ୍ୱାରା ମଠର ଯାଞ୍ଚ କରାଯାଇଥିଲା । ଚଟାଣ ତଳେ ଧାତବ ପଦାର୍ଥ ଥିବା ସନ୍ଦେହରେ ତିନୋଟି ସ୍ଥାନକୁ ଚିହ୍ନଟ କରି ବର୍ଗାକାର କରାଯାଇଥିଲା । ବୈଷୟିକ ଟିମର ରିପୋର୍ଟ ପରେ ଆଜି(ଶୁକ୍ରବାର) ପୁନର୍ବାର ଖନନ ହୋଇଥିଲା ।

ପୁଣିଥରେ ଖୋଳାହେଲା ଏମାର ମଠ ଚଟାଣ, ମିଳିଲା ଲୁହାକଣ୍ଟା-ଲୁହାମୁଣ୍ଡା

ମଠର ବାହାର, ଭିତର, ଯଜ୍ଞ ଓ ଅମୁହାଁ ଘର ଯାଞ୍ଚ କରାଯାଇଥିଲା । ମଠ ପରିଚାଳନା ଦାୟିତ୍ୱରେ ଥିବା ଉତ୍ତରପାର୍ଶ୍ୱ ମଠର ମହନ୍ତ ନାରାୟଣ ରାମାନୁଜ ଦାସଙ୍କ ଲିଖିତ ନିବେଦନ ଓ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଏହି ଖନନ କରାଯାଇଥିଲା । ଚଟାଣ ତଳେ ମୂଲ୍ୟବାନ ଓ ଧାତବ ପଦାର୍ଥ ରହିଥିବା ସନ୍ଦେହରେ ଏହି ଯାଞ୍ଚ କରଯାଇଥିଲା ।


ନୂତନ ଟ୍ରଷ୍ଟ ହାତକୁ ମଠର ପରିଚାଳନା ଦାୟିତ୍ବ ଯିବା ପରେ ମହନ୍ତଙ୍କ ହାତରୁ ଆର୍ଥିକ କ୍ଷମତା କାଢି ନିଆଯାଇଥିଲା । ନୂତନ ଟ୍ରଷ୍ଟର ଅଧ୍ୟକ୍ଷ ତଥା ଉତ୍ତରପାର୍ଶ୍ୱ ମଠ ମହନ୍ତ ନାରାୟଣ ରାମାନୁଜ ଦାସ ଏହି ବିତ୍ତଶାଳୀ ମଠର ଚଟାଣ ତଳେ ପୋତାଧନ ଓ ଦୁର୍ଲ୍ଲଭ ଧାତବ ପଦାର୍ଥ ରହିଥିବା ସନ୍ଦେହରେ ଦେବୋତ୍ତର ବିଭାଗକୁ ଚିଠି ଲେଖିଥିଲେ । ପରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ପ୍ରଥମେ ସେପ୍ଟେମ୍ବର ୧୬ ଓ ପୁଣି ଆଜି ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଯାଞ୍ଚ କରାଯାଇଥିଲା ।

ମେଟାଲ ଡିଟେକ୍ଟର ଦ୍ୱାରା ଯାଞ୍ଚ ସମୟରେ ଦୁଇଟି ସ୍ଥାନରେ ଧାତବ ପଦାର୍ଥ ରହିଥିବା ସନ୍ଦେହରେ ସେ ଦୁଇଟି ସ୍ଥାନ ଖୋଳାଯାଇଥିଲା । ଗତ ୨୦୧୧ରେ ଏହି ମଠରୁ ୫୨୨ ଖଣ୍ଡ ରୂପା ଇଟା ଜବତ ହୋଇ ଥିବାବେଳେ ଗତବର୍ଷ ଏପ୍ରିଲ ମାସରେ ୪୫ ଖଣ୍ଡ ରୁପାଇଟା ମିଳିଥିଲା । ଖୋଳାଯାଇ ଦୁଇ ଫୁଟ ଗଭୀରତା ପର୍ଯ୍ୟନ୍ତ ମେଟାଲ ଡିଟେକ୍ଟର ଦ୍ବାରା ଯାଞ୍ଚ ହୋଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated :Feb 4, 2022, 7:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.