ETV Bharat / state

ଆଜି ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି: ଜାଣନ୍ତୁ ଏହାର ମାହାତ୍ମ୍ୟ

author img

By ETV Bharat Odisha Team

Published : Sep 20, 2023, 3:38 PM IST

ଆଜି ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି । ଋଷି ପଞ୍ଚମୀ ବ୍ରତ ପାଳନ କଲେ ସମସ୍ତ ପାପକ୍ଷୟ ହୁଏ ବୋଲି ବିଶ୍ବାସ ରହିଛି ।

ଆଜି ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି
ଆଜି ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି

ଋଷି ପଞ୍ଚମୀ ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ଋଷି ପଞ୍ଚମୀ । ଏହି ଅବସରରେ ମହାପ୍ରଭୁଙ୍କ ବିଶେଷ ନୀତିକାନ୍ତି ଅନୁଷ୍ଠିତ ହେଉଛି । ଋଷି ପଞ୍ଚମୀରେ ସକାଳ ଧୂପ ବଢିବା ପରେ ମହାଲକ୍ଷ୍ମୀ ପାଲିଙ୍କିରେ ବିଜେ ହୋଇ ମାର୍କଣ୍ଡେୟଙ୍କ ମନ୍ଦିରକୁ ଯାଇଥାନ୍ତି । ସେଠାରେ ମହାଲକ୍ଷ୍ମୀଙ୍କୁ ମାଜଣା ଓ ବନକଲାଗି କରାଯିବା ପରେ ପାଳିଆ ସେବାୟତ ଋଷି ପଞ୍ଚମୀ କଥା ବାଖ୍ୟା କରିବାର ପରମ୍ପରା ରହିଛି । ଏହାପରେ ସପ୍ତଋଷିଙ୍କୁ ଫଳ ଭୋଗ କରାଯାଇଥାଏ । ଶେଷରେ ଶୀତଳ ଭୋଗ କରାଯିବା ପରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥାନ୍ତି । ଶ୍ରୀକ୍ଷେତ୍ର ଅଧିବାସୀ ଆଜି ଋଷି ପଞ୍ଚମୀ ବ୍ରତ ପାଳନ କରୁଥିବା ବେଳେ ଏହାଦ୍ବାରା ପାପ କ୍ଷୟ ହୁଏ ବୋଲି ବିଶ୍ବାସ ରହିଛି ।

ଋଷି ପଞ୍ଚମୀ କ'ଣ:

ପୁରୀ ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଳ ପଞ୍ଚମୀରେ ଏକ ବିଶେଷ ନୀତି ପାଳନ କରାଯାଏ । ଏହାକୁ ଋଷି ପଞ୍ଚମୀ ବ୍ରତ ବୋଲି କୁହାଯାଏ । ଏହି ବ୍ରତ ସ୍ବଂୟ ମାଆ ଶ୍ରୀଦେବୀ ପାଳନ କରିଥାନ୍ତି । ଏକ ଉପାଖ୍ୟାନରୁ ଜଣାଯାଏ ଯେ ସ୍ତ୍ରୀଲୋକମାନେ ରଜସ୍ବଳା ହେବା ପରେ ନିଜର ଅଜ୍ଞାତରେ ଯଦି କିଛି ଦୋଷ କରିଦେଇଥାନ୍ତି ତେବେ ସେଥିରୁ ମୁକ୍ତି ହେବା ପାଇଁ ନିର୍ଦ୍ଧିଷ୍ଟ ସପ୍ତଋଷିଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଏହି ଦିନ ସକାଳ ଧୂପ ବଢ଼ିବା ପରେ ପୂଜାପଣ୍ଡା ଆଜ୍ଞାମାଳ ଦେବାରେ ମହାଜନ ସେବକ ଶ୍ରୀଦେବୀଙ୍କୁ ସିଂହାସନରେ ବିଜେ କରାଇ ମୁକ୍ତିମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ କରନ୍ତି ।

ଏହାମଧ୍ୟ ପଢନ୍ତୁ: ଦୂର ହେଲା ଅଚଳାବସ୍ଥା, ମୁଖ୍ୟ ପ୍ରଶାସକଙ୍କ ହସ୍ତକ୍ଷେପ ପରେ ଶ୍ରୀମନ୍ଦିର ନୀତିକାନ୍ତି ସ୍ବାଭାବିକ

ତତ୍ପରେ ଶ୍ରୀଦେବୀ ମାର୍କଣ୍ଡେୟ ମହାଦେବ ମନ୍ଦିରକୁ ବିଜେ କରିଥାନ୍ତି । ସେଠାରେ ଶ୍ରୀଦେବୀଙ୍କ ମାଜଣା କରାଯାଏ ଓ ପରେ ପୂଜାପଣ୍ଡା ବରୁଣ ପୂଜା ଆଦି କରି ସପ୍ତଋଷିଙ୍କୁ ନୈବେଦ୍ୟ ସମର୍ପଣ କରନ୍ତି । ଏହାପରେ ପୂଜାପଣ୍ଡା ବ୍ରତକଥା ପଠନ କରନ୍ତି । ବ୍ରତ କଥା ଶେଷ ହେବାପରେ ବନ୍ଦାପନା ହୋଇ ଶ୍ରୀଦେବୀ ପ୍ରତ୍ୟାବର୍ତ୍ତନ କରିଥାନ୍ତି ଓ ପରେ ମଧ୍ୟାହ୍ନ ଧୂପ ହୋଇଥାଏ । ଏହି ବ୍ରତରେ ଋଷିମାନଙ୍କୁ କ୍ଷୀର, କଦଳୀ ଓ ଫଳ ଭୋଗ ହୋଇଥାଏ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.