ETV Bharat / state

ଗୋଲାପୀ ରଙ୍ଗରେ ରଙ୍ଗୀନ ହେବ ବଡ଼ଦାଣ୍ଡ, ନୂଆବର୍ଷରୁ ସବୁ କୋଠାକୁ କରାଯିବ ସୌନ୍ଦର୍ଯ୍ୟକରଣ!

author img

By ETV Bharat Odisha Team

Published : Nov 15, 2023, 6:06 PM IST

puri badadanda to be painted pink
ବଡ ଦାଣ୍ଡରେ ଥିବା କୋଠାଘର ହେବ ଫିକା ଗୋଲାପୀ

ନୂଆବର୍ଷ ପୂର୍ବରୁ ବଡ ଦାଣ୍ଡରେ ଥିବା କୋଠାଘର ହେବ ଫିକା ଗୋଲାପୀ ରଙ୍ଗ । ସେପଟେ ଘର ମାଲିକଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ

ବଡ ଦାଣ୍ଡରେ ଥିବା କୋଠାଘର ହେବ ଫିକା ଗୋଲାପୀ

ପୁରୀ: ନୂଆବର୍ଷ ପୂର୍ବରୁ ବଡ ଦାଣ୍ଡରେ ଥିବା କୋଠାଘର ହେବ ଫିକା ଗୋଲାପୀ ରଙ୍ଗ । ବଡଦାଣ୍ଡରେ ରହୁଥିବା ଘର ମାଲିକଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ବୁଦ୍ଧିଜୀବୀ । ଜାନୁଆରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏହା ପୂର୍ବରୁ ନୂଆରୂପ ପାଇବ ପବିତ୍ର ବଡ଼ଦାଣ୍ଡ । ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ଥିବା ସମସ୍ତ କୋଠା ଗୁଡ଼ିକରେ ଫିକା ଗୋଲାପୀ ରଙ୍ଗ ଲଗାଯିବ । ଏହାଦ୍ବାରା ବଡ଼ଦାଣ୍ଡ ଆହୁରି ଆକର୍ଷଣୀୟ ଦେଖାଯିବ ।

ଗତ ଶନିବାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବାକୁ ଆସିଥିବା 5ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ନିର୍ଦ୍ଦେଶ କ୍ରମେ ବଡ଼ଦାଣ୍ଡରେ ଥିବା ଉଭୟ ପାର୍ଶ୍ଵର କୋଠାକୁ ଫିକା ଗୋଲାପୀ ରଙ୍ଗ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି । ଏହାଦ୍ବାରା ବଡ଼ଦାଣ୍ଡର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହ ଭକ୍ତ ଏକ ନୂଆ ଅନୁଭୂତି ପାଇବେ ଆଶା କରାଯାଉଛି । ପୂର୍ବରୁ ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ କାର୍ଯ୍ୟକାଳ ସମୟରେ ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ଥିବା ସମସ୍ତ କୋଠାଗୁଡ଼ିକୁ ଫିକା ହଳଦିଆ ରଙ୍ଗ କରାଯାଇଥିଲା । ଫଳରେ ଏହି ରଙ୍ଗ ବଡ଼ଦାଣ୍ଡର ଶୋଭା ବର୍ଦ୍ଧନ କରିଥିଲା ।

କିନ୍ତୁ ପରବର୍ତ୍ତୀ ସମୟରେ କିଛି ବ୍ୟବସାୟୀକ ଅନୁଷ୍ଠାନ ଏବଂ କିଛି ଲୋକ ତାଙ୍କ ଆବାସକୁ ନିଜ ଇଛା ଅନୁସାରେ ରଙ୍ଗ ବଦଳାଇଥିଲେ । ତେବେ 5ଟି ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ପରେ ବଡ଼ଦାଣ୍ଡରେ ଥିବା କୋଠା ଗୁଡ଼ିକୁ ଫିକା ଗୋଲାପୀ ରଙ୍ଗ ଦିଆଯିବ ବୋଲି ନିଷ୍ପତ୍ତି କରାଯାଇଛି । ଏନେଇ ପୁରୀର ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ କହିଛନ୍ତି, "ଚୂଡ଼ାନ୍ତ ନିଷ୍ପତ୍ତି ଆସିବା ପରେ ଏନେଇ ପଦକ୍ଷେପ ନିଆଯିବ । ସେପଟେ ବଡ଼ଦାଣ୍ଡରେ ଥିବା କୋଠା ଘର ଗୋଲାପୀ ରଙ୍ଗ ପ୍ରସଙ୍ଗକୁ ନେଇ ବୁଦ୍ଧିଜୀବୀଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି ।"

ଏହା ବି ପଢନ୍ତୁ...ନାଟମଣ୍ଡପ ମରାମତି ପ୍ରସଙ୍ଗରେ ହାଇକୋର୍ଟ ଖପ୍ପା, ଆସନ୍ତାକାଲିଠୁ କାମ ଆରମ୍ଭ କରିବାକୁ ASIକୁ ନିର୍ଦ୍ଦେଶ

ବୁଦ୍ଧିଜୀବୀ କହିଛନ୍ତି, "ଏହି କାର୍ଯ୍ୟ ପୂର୍ବରୁ ଲୋକଙ୍କ ସହ ଆଲୋଚନା କରାଯାଉ । ଲୋକଙ୍କ ମତ ନିଆଯିବା ପରେ କାର୍ଯ୍ୟକ୍ରମ ଆଗକୁ ବଢ଼ାଯାଉ । ଏହା ପ୍ରଶାସନ କରିବ କି ଲୋକମାନେ ନିଜେ କରିବେ ସେନେଇ ସ୍ପଷ୍ଟ କରାଯାଉ । ଅନେକ ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଠିକ୍ ନାହିଁ । ସେହିପରି ଅନେକ ଲୋକ ନିଜ ଘର ବାସ୍ତୁ ଅନୁଯାୟୀ କରିଛନ୍ତି । ଏଣୁ ପ୍ରଶାସନ ବଡ଼ଦାଣ୍ଡରେ ଥିବା ଘର ମାଲିକଙ୍କ ସହ କଥା ହୋଇ କାର୍ଯ୍ୟ ଆରମ୍ଭ କଲେ କୌଣସି ସମସ୍ୟା ହେବ ନାହିଁ ।" ତେବେ ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟ କରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଗୁଡ଼ିଏ କାର୍ଯ୍ୟ ଜାରି ରହିଛି । ବଡ଼ଦାଣ୍ଡରେ ଥିବା ସମସ୍ତ କୋଠା ଗୁଡିକୁ ଗୋଟିଏ ପ୍ରକାର ରଙ୍ଗ ତଥା ଫିକା ଗୋଲାପୀ ରଙ୍ଗ ଦିଆଗଲେ ବଡ଼ ଦାଣ୍ଡର ସୌନ୍ଦର୍ଯ୍ୟ ଦ୍ଵିଗୁଣିତ ହେବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.