ETV Bharat / state

Cyclone Asani: ବାତ୍ୟାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଶେଷ

author img

By

Published : May 9, 2022, 5:14 PM IST

Cyclone Asani: ବାତ୍ୟାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଶେଷ
Cyclone Asani: ବାତ୍ୟାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଶେଷ

ବାତ୍ୟା 'ଅସାନୀ' ପ୍ରଭାବରେ ଆସନ୍ତା୧୦ରୁ ୧୨ ତାରିଖ ଯାଏଁ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ

ପୁରୀ: ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ବାତ୍ୟା(Cyclone Asani) ପ୍ରଭାବରେ 10 ତାରିଖରୁ 12 ତାରିଖ ଯାଏଁ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା(Heavy Rainfall) ହେବ। ଏଥି ସହ ପବନର ବେଗ 50 ରୁ 60 କିମି ରହିବ । ଏହାକୁ ଦୃଷ୍ଟିରେ ରଖାଯାଇ ଜିଲ୍ଲା ପ୍ରଶାସନ(Puri District Administration)ର ପ୍ରସ୍ତୁତି ଶେଷ ହୋଇଛି । ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ପ୍ରସ୍ତୁତ କରାଯାଇଥିବା ବେଳେ ଲୋକଙ୍କୁ ସ୍ଥାନାନ୍ତର କରାଗଲେ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି ।

Cyclone Asani: ବାତ୍ୟାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଶେଷ

ଯେଉଁଠି ପରିସ୍ଥିତି ବିଗିଡିବ ସେଠାରେ ଥିବା କଚ୍ଚା ଘରୁ ଲୋକଙ୍କୁ ନିକଟ ବାତ୍ୟା ଆଶ୍ରୟ ସ୍ଥଳୀକୁ ନିଆଯିବ । ଏ ନେଇ ପୁରୀ ଜିଲ୍ଲାର 11 ଟି ବ୍ଳକର BDOଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ମତ୍ସଜୀବୀମାନେ ସମୁଦ୍ର ଭିତରକୁ ନ ଯିବାକୁ କୁହାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଲେ ଜଳ ନିଷ୍କାସନ ବ୍ୟବସ୍ଥା ସହ ଲୋକଙ୍କୁ ଉଦ୍ଧାର ସମସ୍ତ ବ୍ୟବସ୍ଥା ହୋଇଥିବା ପୁରୀ ଜିଲ୍ଲାପାଳ କହିଛନ୍ତି । ସେହିପରି ଅତ୍ୟଧିକ ବର୍ଷା ପବନ ହେଲେ ସମୁଦ୍ରକୂଳକୁ ପର୍ଯ୍ୟଟକଙ୍କୁ ଯିବା ପାଇଁ କଟକଣା ଜାରି ହେବ ।

ରଥଖଳା(Ratha Khala)ର ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି । ପ୍ରଶାସନ ପକ୍ଷରୁ ଯାହା ନିର୍ଦ୍ଦେଶ ଦିଆଯାଉଛି ଜନସାଧାରଣ ତାହା ପାଳନ କରିବାକୁ ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ ଥିବା ୧୭୯ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ହୋଇରହିଛି । ସମସ୍ତ ଆଶ୍ରୟସ୍ଥଳୀରେ ପାଣି ଓ ଆଲୋକ ବ୍ୟବସ୍ଥା କରିବା ଏବଂ ଆବଶ୍ୟକ ପଡିଲେ ଅଧିକ ଆଶ୍ରୟସ୍ଥଳୀ ପ୍ରସ୍ତୁତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ୬୩୫ କ୍ବିଣ୍ଟାଲ ଚୁଡା, ୧୬୪ କ୍ବିଣ୍ଟାଲ ଗୁଡ଼, ବିଭିନ୍ନ ଗୋଦାମରେ ୧୫ ହଜାର କ୍ବିଣ୍ଟାଲ ଚାଉଳ ମହଜୁଦ ରହିଛି ।

ପାନୀୟ ଜଳ, ଔଷଧ, ପଶୁ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ହୋଇରହିଛି । ଆବଶ୍ୟକ ସ୍ଥଳେ ନିରବଚ୍ଛିନ୍ନ ଯୋଗାଯୋଗ ପାଇଁ ଅଗ୍ନିଶମ, ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ଡାକ୍ତରୀ ଦଳ ପ୍ରସ୍ତୁତ ହୋଇ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ଜରୁରୀକାଳୀନ ସେବା ଯେପରି ଅବ୍ୟାହତ ରହିବ ସେଥିଲାଗି ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି । ପ୍ରତି ବ୍ଲକରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିବ ।

ଆବଶ୍ୟକସ୍ଥଳେ ତଳିଆ ଅଞ୍ଚଳ, କଚ୍ଚା ଘରୁ ଲୋକଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତରିତ କରିବା ପାଇଁ ପ୍ରସ୍ତୁତ ରହିବା ଏବଂ କ୍ଷୟକ୍ଷତି ରିପୋର୍ଟ ସଠିକ ଭାବେ ପ୍ରଦାନ କରିବାକୁ ଅଧିକାରୀଙ୍କୁ କୁହାଯାଇଛି । ବାତ୍ୟା ଆଶଙ୍କା ଥିବାରୁ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ବାଲୁଖଣ୍ତ, ଅସ୍ତରଙ୍ଗ, ବ୍ରହ୍ମଗିରି ଓ କାକଟପୁରରେ ବନ ବିଭାଗ ପକ୍ଷରୁ ୮ଟି ଟିମ ମୁତୟନ କରାଯିବ ।

ସେହିଭଳି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗଛ ପଡିବା ଦ୍ବାରା ରାସ୍ତା ଅବରୋଧ ହଟାଇବା ପାଇଁ ଜେସିବି ଓ ଟ୍ରାକ୍ଟର ମୁତୟନ କରାଯିବ । ଅମଳ ଶସ୍ୟକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଉଛି । ବିଦ୍ୟୁତ ବିଭାଗ ପକ୍ଷରୁ ଜରୁରୀକାଳୀନ ପରିସ୍ଥିତି ପାଇଁ ୨୦୦ ଜଣ ଅତିରିକ୍ତ କର୍ମଚାରୀଙ୍କୁ ମୁତୟନ କରାଯିବାର ବ୍ୟବସ୍ଥା ହୋଇଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.