ETV Bharat / state

ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି, ଶ୍ରୀଜିଉଙ୍କୁ ଲାଗି ହେଲା 32 ପ୍ରକାର ପିଠା ଓ ଧନୁମୁଆଁ

author img

By ETV Bharat Odisha Team

Published : Dec 16, 2023, 7:48 AM IST

Updated : Dec 16, 2023, 9:04 AM IST

ଧନୁ ସଂକ୍ରାନ୍ତି
Pahili bhoga rituals

Pahili bhoga rituals: ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ପହିଲି ଭୋଗ ନୀତି । ଅଧିକ ପଢନ୍ତୁ

ପହିଲି ଭୋଗ ନୀତି

ପୁରୀ: ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆରମ୍ଭ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି । ଶ୍ରୀଜିଉଙ୍କ ସ୍ବତନ୍ତ୍ର ପହିଲି ଭୋଗ ନୀତି ଅନୁଷ୍ଠିତ ହୋଇଛି । ପହିଲି ଭୋଗରେ ବିରି, ଗହମଚୁନା, ଘୃତ ପାଗ ହୋଇଥିବା ୩୨ ପ୍ରକାରର ପିଠା ଓ ଧନୁମୁଆଁ ଲାଗି ହୋଇଛି । ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଲୋକ କଥା ରହିଛି ଆଜିଠାରୁ ମା' ମହାଲକ୍ଷ୍ମୀ ଦୀର୍ଘ ଏକମାସ ପର୍ଯ୍ୟନ୍ତ ନିଜ ପିତ୍ରାଳୟକୁ ଯାଇଥାନ୍ତି । ତେଣୁ ଶ୍ରୀମନ୍ଦିରରେ ଲକ୍ଷ୍ମୀଙ୍କ ଅନୁପସ୍ଥିତ ବେଳେ ମା' ଯଶୋଦା ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଇଁ ବିବିଧ ସ୍ଵାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି । ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପୂର୍ବ ଦିନ ପର୍ଯ୍ୟନ୍ତ ପହିଲି ଭୋଗ ପ୍ରସ୍ତୁତ ହୋଇଥାଏ ।

ପହିଲି ଭୋଗ କଣ ? ପହିଲି ଭୋଗ ନୀତି ହେଉଛି ମହାପ୍ରଭୁଙ୍କ ଆଦ୍ୟ ଭୋଗ ଯାହାକି କାଉ କା କରିବା ପୂର୍ବରୁ ଏହା ମହାପ୍ରଭୁଙ୍କ ପାଖରେ ଲାଗି କରାଯାଇଥାଏ । ବିରି ଓ ଗହମରେ ପ୍ରସ୍ତୁତ ୩୨ ପ୍ରକାରର ପିଠାପଣା ଶ୍ରୀଜିଉଙ୍କ ନିକଟରେ ଲାଗି କରାଯାଇଥାଏ । ପହିଲି ଭୋଗରେ ମୁଖ୍ୟତଃ ବଡଝିଲି, ଅମାଲୁ, ଗଇଣ୍ଠା, ଆରିସା, କାକରା, ମଣ୍ଡା, ଚଢ଼େଇନେଦା ଓ ବଡ଼ି ଆଦି ଭୋଗ କରାଯାଇଥାଏ ।

ଏହା ମଧ୍ୟ ପଢନ୍ତୁ-୧୬ରୁ ଆରମ୍ଭ ହେବ ମହାପ୍ରଭୁଙ୍କ ସ୍ଵତନ୍ତ୍ର ପହିଲି ଭୋଗ ନୀତି, ପ୍ରସ୍ତୁତି ଜୋରଦାର

ପହିଲି ଭୋଗ ନୀତିକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ରାତ୍ର ୨ଟାରୁ ଦ୍ବାର ଫିଟା ପରେ ୨ଟା ୩୦ରେ ଭିତରଶୋଧ, ୨ଟା ୪୫ରେ ମଙ୍ଗଳଆଳତୀ ସହ ରୋଷହୋମ, ୩ଟା ୧୫ରେ ମଇଲମ ଓ ତଡ଼ପ ଲାଗି, ୪ଟାରେ ଅବକାଶ, ୪ଟା ୪୫ ରେ ସୂର୍ଯ୍ୟପୂଜା, ୫ଟାରେ ଦ୍ଵାରପାଳ ପୂଜା ସହ ବେଶ ଶେଷ ହୋଇଛି । ୫ଟା ୨୦ ରୁ ୬ଟା ମଧ୍ୟରେ ମହାପ୍ରଭୁଙ୍କ ଏହି ସ୍ବତନ୍ତ୍ର ପହିଲି ଭୋଗ ନୀତି ସମ୍ପନ୍ନ ହୋଇଛି । ଏହାପରେ ମହାପ୍ରଭୁଙ୍କର ଅନ୍ୟାନ୍ୟ ନୀତିକାନ୍ତି ମଧ୍ୟାହ୍ନ ୨ଟା ୩୦ରୁ ଦିବା ପହୁଡ଼ କରାଯିବା ନେଇ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି । ତେବେ ମହାପ୍ରଭୁଙ୍କ ଏହି ପହିଲି ଭୋଗ ନୀତି କିଭଳି ସୁରୁଖୁରୁରେ ସମ୍ପନ୍ନ ହେବ ସେନେଇ ସମସ୍ତ ନିଯୋଗର ସହଯୋଗ ଲୋଡିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ସୂଚନା ଅନୁଯାୟୀ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି କରାଯିବ।


ଇଟିଭି ଭାରତ, ପୁରୀ

Last Updated :Dec 16, 2023, 9:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.