ETV Bharat / state

ଆଜି ପବିତ୍ର ମକର ସଂକ୍ରାନ୍ତି, ମକର ଚୌରାଶୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

author img

By ETV Bharat Odisha Team

Published : Jan 15, 2024, 9:04 AM IST

Updated : Jan 15, 2024, 1:01 PM IST

ମକର ଚୌରାଶୀ ବେଶ
Makar Chaurasi Besha

Makar Chaurasi Besha of Lord Jagannath: ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ମକର ସଂକ୍ରାନ୍ତି ନୀତି ଅନୁଷ୍ଠିତ ହେଉଛି । ଭକ୍ତଙ୍କୁ ମକର ଚୌରାଶୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଅଧିକ ପଢନ୍ତୁ

ଆଜି ପବିତ୍ର ମକର ସଂକ୍ରାନ୍ତି

ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ମକର ସଂକ୍ରାନ୍ତି ନୀତି ଅନୁଷ୍ଠିତ ହେଉଛି । ଆଜି ଭକ୍ତଙ୍କୁ ମକର ଚୌରାଶୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ପବିତ୍ର ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ମକର ଚାଉଳ ପ୍ରସାଦ ଲାଗି ହେବାର ପରମ୍ପରା ରହିଛି । ଏହା ସହିତ ମହାପ୍ରଭୁ ସ୍ଵତନ୍ତ୍ର ମକର ଚୌରାଶି ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଏହି ବେଶରେ ମହାପ୍ରଭୁଙ୍କ ସର୍ବାଙ୍ଗ ନୀତି କରାଯାଇ ନୂଆ ଲୁଗା, ଚୂଳ ମାଳ ଲାଗି କରାଯାଇ ଛଅ ମୂର୍ତ୍ତୀ ଅଳଙ୍କାରରେ ଭୂଷିତ କରାଯାଏ ।

ମଧ୍ୟାହ୍ନ ଧୂପ ପରେ ନଡିଆ, ଘିଅ, ମିଠା, ଦୁଧ, ସର,ଖୁଆ ଓ ଚାଉଳକୁ ମିଶ୍ରିତ କରାଯାଇ ମକର ଭୋଗ ମହାପ୍ରଭୁଙ୍କୁ ଲାଗି କରାଯାଇଥାଏ । ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ପରଠାରୁ ମକର ନୀତି ପାଳନ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ଆଲାମଚଣ୍ଡୀ ମନ୍ଦିରରୁ ଆସିଥିବା ମକର ତାଡକୁ ଭୋଗମଣ୍ଡପରୁ ଆଣି ସେବାୟତମାନେ ସେଥିରେ ମକର ଚାଉଳ ପ୍ରସ୍ତୁତ କରିଥାନ୍ତି । ଏଥିସହିତ ଶ୍ରୀଜିଉଙ୍କୁ ମକର ଚୌରାଶି ବେଶ କରାଯିବା ସହିତ ପ୍ରସ୍ତୁତ ହୋଇଥିବା ମକର ଚାଉଳକୁ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରାଯାଇଥାଏ ।

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ବାର ମାସରେ ତେର ପର୍ବ ପାଳନ ହୋଇଥାଏ ବୋଲି ଲୋକକଥାରେ ରହିଛି। ସେଥି ମଧ୍ୟରୁ ମକର ସଂକ୍ରାନ୍ତି ପର୍ବ ଅନ୍ୟତମ। ମକର ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ହଜାର ହଜାର ଭକ୍ତଙ୍କ ଆଗମନ ହୋଇଛି। ମହାପ୍ରଭୁଙ୍କ ମକର ଚାଉଳ ପ୍ରସାଦ ରୂପେ ପାଇବା ପାଇଁ ଭକ୍ତମାନେ ମଧ୍ୟ ଉତ୍କଣ୍ଠାରେ ଅଛନ୍ତି । ସେପଟେ ମହାପ୍ରଭୁଙ୍କ ମକର ସଂକ୍ରାନ୍ତି ନୀତି ଅବସରରେ ବିଭିନ୍ନ ମଠ ମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଭୋଗ ରୂପେ ଅର୍ପଣ କରାଯାଏ। ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀରେ ବିଭିନ୍ନ ମଠ ମନ୍ଦିର ମଧ୍ୟ ଚଳଚଞ୍ଚଳ ହୋଇପଡିଛି ।

ଏହା ମଧ୍ୟ ପଢନ୍ତୁ- ଆଜି ମହାପ୍ରଭୁଙ୍କ ନବାଙ୍କ ବେଶ, ପୁଷ୍ପ ଅଳଙ୍କାରରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି

ସେପଟେ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭକ୍ତମାନେ ଶୃଙ୍ଖଳିତ ଭବେ ପ୍ରଶାସନର ବ୍ୟବସ୍ଥା ଅନୁଯାୟୀ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପୁରୀ ପୋଲିସ୍ ପକ୍ଷରୁ ଅନୁରୋଧ କରାଯାଇଛି । ଗତକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ ଅନୁଷ୍ଠିତ ହୋଇଥିଲା। କର ସଂକ୍ରାନ୍ତି ପୂର୍ବଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବାଙ୍କ ବେଶ ସହ ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହୁଏ । ଉକ୍ତ ଦିନ ସନ୍ଧ୍ୟା ଆଳତି ବେଶରେ ମାଳଚୂଳମାନ ଖୁଣ୍ଟିଆ ଓ ପୁଷ୍ପାଳକ ସେବକଙ୍କ ସହାୟତାରେ ଠାକୁର ମାନଙ୍କୁ ଲାଗି କରାଯାଇଥାଏ ।

ଇଟିଭି ଭାରତ, ପୁରୀ

Last Updated :Jan 15, 2024, 1:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.