ETV Bharat / state

ଷ୍ଟିୟରିଂ ଛାଡ଼ି ଆନ୍ଦୋଳନରେ ଡ୍ରାଇଭର ମହାସଙ୍ଘ, ପୁରୀରେ ଯାତ୍ରୀ ପରିବହନ ଠପ୍

author img

By

Published : Mar 15, 2023, 8:07 PM IST

ପୁରୀରେ ଯାତ୍ରୀ ପରିବହନ ଠପ୍
ପୁରୀରେ ଯାତ୍ରୀ ପରିବହନ ଠପ୍

ପୁରୀରେ ଡ୍ରାଇଭର ମହାସଙ୍ଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି । ବସ ସେବା ବନ୍ଦ ଥିବାରୁ ଯାତ୍ରୀମାନେ ଯାତାୟତ ନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେପଟେ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସଙ୍ଘ ଚେତାବନୀ ଦେଇଛି । ଅଧିକ ପଢ଼ନ୍ତୁ

ପୁରୀରେ ଯାତ୍ରୀ ପରିବହନ ଠପ୍

ପୁରୀ: ଓଡ଼ିଶା ଡ୍ରାଇଭର ମହାସଙ୍ଘର ଆହ୍ବାନରେ ସାରା ଓଡ଼ିଶାରେ ଆଜି ଡ୍ରାଇଭର ମାନେ ଷ୍ଟିଅରିଂ ଛାଡ ଆନ୍ଦୋଳନରେ ଯୋଗ ଦେଇଛନ୍ତି । ଏହାର ପ୍ରଭାବ ପୁରୀ ସହରରେ ଯାତ୍ରୀ ପରିବହନ ଉପରେ ମଧ୍ୟ ପଡ଼ିଛି । ବସ ସେବା ବନ୍ଦ ଥିବାରୁ ଯାତ୍ରୀମାନେ ଯାତାୟତ ନେଇ ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ୧୦ ଦଫା ଦାବି ଓ ରାଜ୍ୟ ସରକାରଙ୍କ ବେଖାତିର ମନୋଭାବର ପ୍ରତିବାଦରେ ଏହି ଷ୍ଟିଅରିଂ ଛାଡ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପାଇଁ କରାଯାଇଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସଙ୍ଘ ଚେତାବନୀ ଦେଇଛି ।

ପୁରୀ ସହରର ବିଭିନ୍ନ ଛକରେ ଓଡ଼ିଶା ଡ୍ରାଇଭର ମହାସଙ୍ଘ କର୍ମକର୍ତ୍ତାମାନେ ଅଟୋ ରିକ୍ସା ଚାଳକଙ୍କୁ ଯାତ୍ରୀ ପରିବହନ କରିବାକୁ ନେଇ ବିରୋଧ କରିଥିଲେ । ଆନ୍ଦୋଳନକୁ ସମର୍ଥନ କରିବାକୁ ମହାସଙ୍ଘର କର୍ମକର୍ତ୍ତାମାନେ ବୁଝାଇଥିଲେ । ଆନ୍ଦୋଳନରେ ସାମିଲ ହୋଇଥିବା ପୁରୀ ବିଶ୍ଵକର୍ମା ଟାକ୍ସି ଡ୍ରାଇଭର ସଙ୍ଘର କର୍ମକର୍ତ୍ତା ପୂର୍ଣ୍ଣଚନ୍ଦ୍ର ବେହେରା କହିଛନ୍ତି, "ରାଜ୍ୟ ସରକାର ଓଡ଼ିଶା ଡ୍ରାଇଭର ମହାସଙ୍ଘକୁ ଠକିଛନ୍ତି । ସଙ୍ଘର ବିଭିନ୍ନ ଦାବି ପୂରଣ କରାଯିବ ବୋଲି ରାଜ୍ୟ ସରକାର ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେ କୌଣସି ଦାବି ପୂରଣ କରୁନାହାନ୍ତି ।"

ଡ୍ରାଇଭରଙ୍କ ପାଇଁ ବୀମା ବ୍ୟବସ୍ଥା, ଅବସର ପରେ ପେନସନ, ରାସ୍ତାରେ ବିଶ୍ରାମାଗାର, ସହିତ ପରିବାରକୁ ସାମାଜିକ ସୁରକ୍ଷା ଆଦି ୧୦ ଦଫା ଦାବି ନେଇ ଏହି ଆନ୍ଦୋଳନ କରାଯାଉଥିବା ସଙ୍ଘ କହିଛି । ପୂର୍ବରୁ ଏନେଇ ପଦଯାତ୍ରା, ଦଣ୍ଡବତ ଯାତ୍ରା ସହିତ ଅନେକ ଥର ସରକାରଙ୍କ ସହ ଆଲୋଚନା ହୋଇଛି । ହେଲେ ଦାବି ପୂରଣ କରିବା ପ୍ରତିଶ୍ରୁତି ଦେଇ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି । ଅବହେଳା ଅତି ହେବାରୁ ଏହାର ପ୍ରତିବାଦରେ ସାରା ଓଡ଼ିଶାରେ ଡ୍ରାଇଭରମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଥିବା ସଙ୍ଘ କହିଛି ।

ଏହା ମଧ୍ୟ ପଢ଼ନ୍ତୁ.. Odisha Drivers Mahasangha strike: ମୁହଁ ଖୋଲିଲେ ବିଭାଗୀୟ ମନ୍ତ୍ରୀ ଓ ସଚିବ

ସେହିଭଳି ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ଡ୍ରାଇଭର ମହାସଙ୍ଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟର ପ୍ରମୁଖ ସହର ଗୁଡ଼ିକରେ ଯାତାୟତ ନେଇ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେପଟେ ଗୋଟିଏ ଦିନର ଆନ୍ଦୋଳନ ଭିତରେ ରାଜ୍ୟ ପରିବହନ ବିଭାଗ ପ୍ରତିକ୍ରିୟା ରଖିଛି । ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଓ ବିଭାଗୀୟ ସଚିବ ଏନେଇ ପ୍ରତିକ୍ରିୟା ରଖି ଡ୍ରାଇଭର ମହାସଙ୍ଘ ସହିତ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.