ETV Bharat / state

ଶ୍ରୀମନ୍ଦିରରେ ଆଜି ଦେବୀ ଉତ୍ଥାପନ ନୀତି ଓ ଦ୍ଵିତୀୟା ଓଷା

author img

By ETV Bharat Odisha Team

Published : Oct 6, 2023, 2:12 PM IST

ଶ୍ରୀମନ୍ଦିରରେ ଆଜି ଦେବୀ ଉତ୍ଥାପନ ନୀତି ଓ ଦ୍ଵିତୀୟା ଓଷା । ଶ୍ରୀମନ୍ଦିରରେ ଦ୍ବିତୀୟ ଓଷା ମହାଲକ୍ଷ୍ମୀ ଠାକୁରାଣୀ ପାଳନ କରିଥାନ୍ତି । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ ଆଜି ଦେବୀ ଉତ୍ଥାପନ ନୀତି
ଶ୍ରୀମନ୍ଦିରରେ ଆଜି ଦେବୀ ଉତ୍ଥାପନ ନୀତି

ଦେବୀ ଉତ୍ଥାପନ ନୀତି ଓ ଦ୍ଵିତୀୟା ଓଷା

ପୁରୀ: ଶ୍ରୀମନ୍ଦିରରେ ଆଜି ଦେବୀ ଉତ୍ଥାପନ ନୀତି । ଶ୍ରୀଦୁର୍ଗା ଦେବୀଙ୍କର ଶୟନକାଳ ହେଉଛି ଭାଦ୍ରବ ମାସ ଶୁକ୍ଲପକ୍ଷ ଅଷ୍ଟମୀଠାରୁ ଆଶ୍ଵିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ପର୍ଯ୍ୟନ୍ତ । ଦେବୀ ଦୁର୍ଗା ଭାଦ୍ରବ ଶୁକ୍ଲ ଅଷ୍ଟମୀ ରାତ୍ରିରେ ଶୟନ କରନ୍ତି ଓ ଆଶ୍ଵିନ କୃଷ୍ଣ ଅଷ୍ଟମୀ ଦିବା ଭାଗରେ ଶୟନରୁ ଉଠନ୍ତି । ଚନ୍ଦ୍ରମାନ ମାସର ଏହି ପନ୍ଦର ଦିନ ମଧ୍ୟରେ କେତେବେଳେ ତିଥି ବୃଦ୍ଧି ସମ୍ଭବ ହେଲେ ମଧ୍ୟ ଦେବୀ ଦୁର୍ଗାଙ୍କର ଶୟନକାଳ ନିର୍ଦ୍ଦିଷ୍ଟ ପନ୍ଦର ଦିନରୁ ବଢ଼ି ନଥାଏ । ତେଣୁ ତିଥି ବୃଦ୍ଧି ନଥିଲେ ଆଶ୍ଵିନ କୃଷ୍ଣ ଅଷ୍ଟମୀ ଦିନ କିମ୍ବା ତିଥି ବୃଦ୍ଧିରେ ସପ୍ତମୀ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସକାଳ ଧୂପ ସରିବା ପରେ ଭଣ୍ଡାର ଘରୁ ଦୁର୍ଗାଦେବୀଙ୍କର ଚଳନ୍ତି ବିଗ୍ରହ ଆଜ୍ଞାମାଳ ପାଇ ପତିମହାପାତ୍ରଙ୍କ ହସ୍ତରେ ଆସି ସୋମନାଥ ମଣ୍ଡପ ଖଟ ଉପରେ ବିଜେ ହୁଅନ୍ତି ।

ସେଠାରେ ପୁଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ଆଚାର୍ଯ୍ୟ ବ୍ରାହ୍ମଣ ବରଣ ହୋଇ ଶ୍ରୀଦୁର୍ଗା ଦେବୀଙ୍କର କୋଠଭୋଗ ପାଣିଆ ସେବକ ଯୋଗାଇଥିବା ଏକ ସହସ୍ର ଗରା ଜଳଲାଗି କରନ୍ତି । ପରେ ଶ୍ରୀଅଙ୍ଗ ପୋଛା ପରେ ଲୁଗା ଲାଗି ହୋଇ ବେଶ ହୋଇଥାଆନ୍ତି । ପାଣି ପଡ଼ି ଶୀତଳ ଭୋଗ ଓ ବନ୍ଦାପନାଦି ଶେଷ ହେଲେ ଦେବୀ ବିଗ୍ରହଙ୍କୁ ଭଣ୍ଡାର ଘର ଦ୍ଵାରଦେଶରେ ବିଜେ କରାଗଲା ପରେ ସହସ୍ରା କୁମ୍ଭାଭିଷେକ ନୀତି ସମାପ୍ତ ହୁଏ । ଶ୍ରୀମନ୍ଦିରରେ ଦେବୀ ଉତ୍ଥାପନ ଓ ସହସ୍ର କୁମ୍ଭାଭିଷେକ-ଦେବାଦେବୀଙ୍କର ଶୟନ ଓ ଉତ୍ଥାପନ ଆଦିରେ ବହୁବିଧ କର୍ମ ସମ୍ପାଦିତ ହେଉଥିଲେ ମଧ୍ୟ ତନ୍ମଧ୍ୟରୁ ଅଭିଷେକ ବିଧିର ଯଥେଷ୍ଟ ପ୍ରାଧାନ୍ୟ ରହିଛି ।

ଏହାମଧ୍ୟ ପଢନ୍ତୁ: Srimandir Rituals: ଆଜି ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ ନୀତି

ଶଙ୍ଖକ୍ଷେତ୍ର ପୁରୀର କ୍ଷେତ୍ରଶ୍ଵରୀ ଭାବରେ ମା' ବିମଳା ଅଧିଷ୍ଠିତ । ଶ୍ରୀମନ୍ଦିରର ଭିତରବେଢ଼ା ମଧ୍ୟରେ ବିରାଜିତା ଦେବୀ ବିମଳା ପାଦପୀଠେଶ୍ଵରୀ ନାମରେ ସୁବିଦିତା । ସେ ହେଉଛନ୍ତି ଶାକ୍ତ ପାରମ୍ପରାରେ ମୁଖ୍ୟ ଶକ୍ତି । ଅଶ୍ଵିନ ମାସର ଶରତ କାଳରେ ମା’ ଶ୍ରୀକ୍ଷେତ୍ରଶ୍ଵରୀଙ୍କର ଶ୍ରୌତ ସ୍ମାର୍ତ୍ତ ବିଧିରେ ତର୍ପଣ, ମାର୍ଜନ, ହୋମ ଓ ବଳିପୂଜାଦି ଅନୁଷ୍ଠିତ ହୋଇଥାଏ । ବହୁ ଆଡ଼ମ୍ବର ଓ ବିଧିବିଧାନ ସହ ବହୁ ଦିନ ପର୍ଯ୍ୟନ୍ତ ପାଳିତ ହେଉଥିବା ଦେବୀଙ୍କର ଏହି ପୂଜା ‘ଶାରଦୀୟ ଦୁର୍ଗୋତ୍ସବ’ ଭାବରେ ଖ୍ୟାତ । ଶରତ କାଳର ଏହି ପୂଜା ସମୟକୁ ଛାଡ଼ିଦେଲେ ମା' ବିମଳାଙ୍କର ନିତ୍ୟ ପୂଜାବିଧି ନାହିଁ । ଶ୍ରୀମନ୍ଦିରରେ କେବଳ ଶ୍ରୀଜୀଉମାନଙ୍କର ନୈବେଦ୍ୟ ଦେବୀଙ୍କୁ ସମର୍ପଣ କରାଯାଇଥାଏ ।

ସେପଟେ ଆଜି ଶ୍ରୀମନ୍ଦିରରେ ଦ୍ଵିତୀୟା ଓଷା । ଆଶ୍ଵିନ କୃଷ୍ଣ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଏହି ବ୍ରତକୁ ମହାଲକ୍ଷ୍ମୀ ଠାକୁରାଣୀ ପାଳନ କରିଥାନ୍ତି । ଏହି ଦିନ ଠାକୁର ମାନଙ୍କର ସକାଳ ଧୂପ ସମାପ୍ତି ହେବାପରେ ଶ୍ରୀଦେବୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ସାତ ପାହାଚ ଦ୍ଵାରଠାରେ ଥିବା ପାଲିଙ୍କିରେ ବସି ମହାଲକ୍ଷ୍ମୀଙ୍କ ମନ୍ଦିରକୁ ବିଜେ ହୋଇ ସେଠାରେ ପଡିଥିବା ଏକ ଖଟ ଉପରେ ଅଧିଷ୍ଠିତ ଦେବା ପରେ ମହାଜନ ସେବକ ମାଆଙ୍କ ମାଜଣା ପରେ କର୍ପୂର ଲାଗି ହୋଇଥାଏ । ଜନୈକ ପୂଜାପଣ୍ଡା ସେବକ ଶ୍ରୀଦେବୀଙ୍କୁ ଲକ୍ଷ୍ମୀବ୍ରତ କଥା ଶୁଣାଇଥାନ୍ତି । ପରେ ଭୋଗ ଓ ବନ୍ଦାପନା ହୋଇଥାଏ । ଭିତରେ ମଧ୍ୟାହ୍ନ ଧୂପ ଉଠିବା ପରେ ଶ୍ରୀଦେବୀ ରତ୍ନ ସିଂହାସନକୁ ବିଜେ କରିଥାନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.