ETV Bharat / state

ପୁରୀରେ ୮ ଦେଶର ପ୍ରତିନିଧି ମଣ୍ଡଳୀ, ଓଡ଼ିଶାର କଳା ଓ ସଂସ୍କୃତିକୁ ଭୂରି ଭୂରି ପ୍ରଶଂସା

author img

By

Published : Apr 17, 2023, 6:58 AM IST

delegation team of 8countries visits puri
ପୁରୀ ଗସ୍ତରେ ୮ ଦେଶର ପ୍ରତିନିଧି ମଣ୍ଡଳୀ

ପୁରୀ ଗସ୍ତରେ ୮ ଦେଶର ପ୍ରତିନିଧି ମଣ୍ଡଳୀ । କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରି ଓଡ଼ିଶା କଳା, ସଂସ୍କୃତିକୁ ପ୍ରଶଂସା । ଅଧିକ ପଢ଼ନ୍ତୁ

ପୁରୀ ଗସ୍ତରେ ୮ ଦେଶର ପ୍ରତିନିଧି ମଣ୍ଡଳୀ

ପୁରୀ: କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ ୮ ଦେଶର ପ୍ରତିନିଧି ମଣ୍ଡଳୀ । ପୁରୀ ଗସ୍ତରେ ଗଣତାନ୍ତ୍ରିକ ପ୍ରତିନିଧି ମଣ୍ଡଳୀ ଆସି ସ୍ବର୍ଣ୍ଣାଭ ବେଳାଭୂମି, ଶ୍ରୀମନ୍ଦିର ବାହାର ପାର୍ଶ୍ଵ ଆଦି ପରିଦର୍ଶନ କରିଛନ୍ତି । ଆଜାଦି କା ଅମୃତ ମହୋତ୍ସବର ଅଂଶବିଶେଷ Gen-Nexର ଏହି କାର୍ଯ୍ୟକ୍ରମକୁ ଇଣ୍ଡିଆନ କାଉନ୍ସିଲ ଫର କଲଚରାଲ ରିସର୍ଚ୍ଚ ଆୟୋଜନ କରୁଥିବା ବେଳେ ଦେଶର ବିଭିନ୍ନ ଐତିହ୍ୟ, ବିଧାନସଭା ଗୃହ ଇତ୍ୟାଦି ପରିଦର୍ଶନ କରିଛନ୍ତି ଏହି ପ୍ରତିନିଧି ମଣ୍ଡଳୀ ।‌ ଓଡ଼ିଶାର ଆତିଥେୟତା, ସଂସ୍କୃତି ଓ କଳାକୃତି ସେମାନଙ୍କୁ ବିଶେଷ ଆକର୍ଷିତ କରିଥିବା ବେଳେ କୋଣାର୍କ ଓ ଶ୍ରୀମନ୍ଦିରର କାରୁକାର୍ଯ୍ୟଭରା ଐତିହ୍ୟକୁ ଏହି ପ୍ରତିନିଧି ମଣ୍ଡଳୀ ଅତୁଳନୀୟ କହିଛନ୍ତି ।

ଭାରତୀୟ ଗଣତନ୍ତ୍ର ବିଶ୍ୱର ସର୍ବଶ୍ରେଷ୍ଠ ଗଣତନ୍ତ୍ର । ଭାରତର ସଂସ୍କୃତି ଓ ପରମ୍ପରା ଅତୁଳନୀୟ । ବିଶେଷକରି ଓଡ଼ିଶାରେ ରହିଛି ଅନନ୍ୟ ପରମ୍ପରା ଓ ପ୍ରକୃତିର ଅପରୂପ ସମ୍ଭାର । ଓଡ଼ିଶାରେ ବିଭିନ୍ନ ବିଧାନସଭା ଓ ଐତିହ୍ୟ ପରିଦର୍ଶନ ପରେ ଏକ ନିଆରା ଅନୂଭୁତି ରହିଛି । ୮ଟି ଦେଶର ପ୍ରତିନିଧି ମଣ୍ଡଳୀ ପୁରୀ ଗସ୍ତରେ ଆସି ଏଭଳି ପ୍ରତିକ୍ରିୟା ରଖିଛନ୍ତି । ପର୍ତ୍ତୁଗାଲ, କ୍ରୋଏସିଆ, ମଙ୍ଗୋଲିଆ, ଗାଏନା, ବ୍ରାଜିଲ ବେଲିଜିୟମ, ବୁଲଗେରିଆ, ଦକ୍ଷିଣ ଆଫ୍ରିକା ଦେଶର ସାଂସଦମାନେ ପୁରୀ ଗସ୍ତରେ ଆସି ପ୍ରଥମେ କୋଣାର୍କ ଓ ଶ୍ରୀମନ୍ଦିର ପରିଦର୍ଶନ କରି ଓଡ଼ିଶାର ଐତିହ୍ୟ ବିଷୟରେ ଅବଗତ ହୋଇଛନ୍ତି । ଏଥିସହ ଶ୍ରୀମନ୍ଦିରକୁ ଦେଖି ବେଶ୍ ଖୁସି ହୋଇଛନ୍ତି ।

ରାଜରାଜୁଡା ଅମଳର କାରିଗରୀ ତଥା ସେତେବେଳେ ବିନା ଅତ୍ୟାଧୁନିକ ଯନ୍ତ୍ରପାତିରେ ସୂକ୍ଷ୍ମ କଳା ଭାସ୍କର୍ଯ୍ୟ ଦେଖି ବିଦେଶୀ ସାଂସଦମାନଙ୍କୁ ସ୍ତବ୍ଧ କରିଛି । ଓଡ଼ିଶାକୁ ପ୍ରଶଂସା କରି ବୁଲଗେରିଆ ସାଂସଦ କହିଛନ୍ତି, "ସମଗ୍ର ବିଶ୍ୱରେ ଓଡ଼ିଶା ଏକ ବ୍ୟତିକ୍ରମ । ଯାହାର ମାଟି, ପାଣି, ପବନ ସହ ଲୋକଙ୍କ ଆତିଥେୟତା ଅନ୍ୟ କୌଣସି ଠାରେ ପାଇନାହୁଁ । ସବୁ ଦେଶର ଅଲଗା ଅଲଗା ସଂସ୍କୃତି, ପରମ୍ପରା ଓ ପର୍ବ ରହିଛି । ଇଷ୍ଟର ଭଳି ପର୍ବ ସାରା ବିଶ୍ୱରେ ବିଦିତ ମାତ୍ର ଓଡ଼ିଶାର ପର୍ବ ଓ ପାଳନ ବିଧି ସ୍ୱତନ୍ତ୍ର ।‌"

କୋଣାର୍କର ଅଦ୍ଵିତୀୟ ସ୍ଥାପତ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି ଏହି ପ୍ରତିନିଧି ମଣ୍ଡଳୀ । ବ୍ଲାକ ପାଗୋଡାର କାରୁକାର୍ଯ୍ୟ ଆଶ୍ଚର୍ଯ୍ୟ ଚକିତ କରିବା ସହ ଏହାର ସମ କାରିଗରୀ ବିଶ୍ଵରେ କୌଣସି ସ୍ଥାନରେ ନାହିଁ ବୋଲି ଅନୁଭବ କରିଛନ୍ତି । ହଜାର ବର୍ଷ ତଳର ସୁକ୍ଷ୍ମ କାରିଗରୀ ଓ ଜ୍ଞାନୀ କଳାକାରଙ୍କ କଳାକୃତିକୁ ବେଶ ପ୍ରଶଂସା କରିଛନ୍ତି ଏହି ପ୍ରତିନିଧି ମଣ୍ଡଳୀ । ପୁରୀ ଗସ୍ତ ଅବସରରେ ଭାରତ ଓ ଓଡ଼ିଶାର ଲୋକ, ନେତୃତ୍ୱ , ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଏମାନେ ଭୂରି ଭୂରି ପ୍ରଶଂସା କରିଛନ୍ତି । ଆଜାଦି କା ଅମୃତ ମହୋତ୍ସବ ଅବସରରେ ଏଭଳି ଏକ କାର୍ଯ୍ୟକ୍ରମ ଦେଶ ଦେଶକୁ ଯୋଡିବାରେ ବେଶ ସହାୟକ ହେବ । ଭାରତୀୟ ଗଣତନ୍ତ୍ର ଓ ସଂସ୍କୃତିର ମହାନତା ବିଷୟରେ ସାରା ବିଶ୍ୱ ଅବଗତ ହୋଇପାରିବ ବୋଲି ପ୍ରତିନିଧି ମଣ୍ଡଳୀ କହିଛନ୍ତି ।



ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.