ETV Bharat / state

ମହାପ୍ରଭୁଙ୍କ ନାଁରେ ପୁଣି ଅନଲାଇନ ଠକେଇ, ଡଲାରରେ ଦକ୍ଷିଣା ଦେଉଛନ୍ତି ଭକ୍ତ

author img

By

Published : Jul 4, 2023, 5:22 PM IST

ମହାପ୍ରଭୁଙ୍କ ନାଁରେ ପୁଣି ଅନଲାଇନ ଠକେଇ । ମହାପ୍ରଭୁଙ୍କ ବିଭିନ୍ନ ପୂଜା କରାଇଦେବା ନାଁରେ ବିଦେଶରେ ଅନଲାଇନ ଯୋଗେ ଠକେଇ ଚାଲିଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

fraud in name of lord jagannath
ମହାପ୍ରଭୁଙ୍କ ନାଁରେ ଅନଲାଇନ ଠକେଇ ଅଭିଯୋଗ

ମହାପ୍ରଭୁଙ୍କ ନାଁରେ ଅନଲାଇନ ଠକେଇ ଅଭିଯୋଗ

ପୁରୀ: ପୁଣି ମହାପ୍ରଭୁଙ୍କ ନାଁରେ ଅନଲାଇନ ଠକେଇ । ରାଜ୍ୟ କିମ୍ବା ଦେଶ ଭିତରେ ନୁହେଁ ବିଦେଶ ଯାଏଁ ଲମ୍ବିଛି ଏହି ଠକେଇର ଚେର। ଡଲାରରେ ଭକ୍ତଙ୍କ ଠାରୁ ନିଆଯାଉଛି ଦକ୍ଷିଣା । ଶ୍ରୀଜଗନ୍ନାଥ ମନ୍ଦିରରେ ସିଦ୍ଧ ପୂଜା, ଶାଳଗ୍ରାମ ପୂଜା ଭଳି କେତେକ ପୂଜା କରାଇଦେବା ପାଇଁ ଆଖିରେ ଆଙ୍ଗୁଠି ଗେଞ୍ଜି ଭକ୍ତଙ୍କ ଭାବନା ସହ ଖେଳ ଖେଳା ଯାଉଛି । ଶାଳଗ୍ରାମ ଶିଳା ନାମକ ଏକ ୱେବ ସାଇଡ଼ରେ ମହାପ୍ରଭୁଙ୍କ ନାଁରେ ଚାଲିଛି ଏଭଳି ଅନଲାଇନ ଠକେଇ । ଶ୍ରୀମନ୍ଦିରରେ ବ୍ରହ୍ମଣ ଭୋଜନ କରାଇବା ନାଁରେ ଟଙ୍କା ଆଦାୟ ସହ ରିହାତି ମଧ୍ୟ ଦିଆଯାଉଛି । ତେବେ ଏଭଳି ଠକେଇ ଘଟଣାର ପର୍ଦ୍ଦାଫାସ କରିବା ପରେ ସେବାୟତଙ୍କ ପକ୍ଷରୁ ପୋଲିସରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ସିଂହଦ୍ୱାର ଥାନା ମାମଲା ରୁଜୁ କରିଛି ।

ଶାଳିଗ୍ରାମ ଶାଳା ନାମକ ଏକ ସାଇଡ ମାଧ୍ୟମରେ ଦେଶ ବିଦେଶରେ ଥିବା ଜଗନ୍ନାଥ ପ୍ରେମୀଙ୍କୁ ଅନଲାଇନରେ ପୂଜା ବିଧି କରିବା ପାଇଁ ଆଗ୍ରହ ସୃଷ୍ଟି କରାଯାଇ ସେମାନଙ୍କ ଠାରୁ ଅନଲାଇନରେ ଟଙ୍କା ଗ୍ରହଣ କରାଯାଉଥିବା ଅଭିଯୋଗ ହୋଇଛି । ଅନଲାଇନରେ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ପ୍ରକାର ପୂଜା ଓ ବ୍ରାହ୍ମଣ ଭୋଜନ ପାଇଁ ୬ ହଜାର ଟଙ୍କା ବା ୭୯ ଡଲାର ଲେଖାଯାଇଛି । ଏହା ପୁଣି ରିହାତିମୂଳକ ଟଙ୍କା ଲେଖାଯାଇଛି । ଶ୍ରୀଜଗନ୍ନାଥଙ୍କ ମନ୍ତ୍ର, ଜପ ପୂଜା, ଯଜ୍ଞ, ଶ୍ରୀନାଥଜୀ ଶ୍ରୀଙ୍ଗାର ପାଇଁ ୪୫୦୦ ଟଙ୍କା ଅଥବା ୫୯ ଡଲାର ଦେଇ ପୂଜା କରି ପାରିବେ । କେବଳ ଏତିକି ନୁହଁ ତିନି ବିଗ୍ରହଙ୍କ ପୂଜା ପାଇଁ ୧୧୫୦୦ ଟଙ୍କା, ତିନିଜଣ ପୂଜକଙ୍କ ଦ୍ଵାରା ସିଦ୍ଧ ପୂଜା ଗୋଟିଏ ଦିନ କରିବାକୁ ୧୨୦୦୦ ଟଙ୍କା ବା ୧୫୯ ଡଲାର ଲାଗିବ ବୋଲି ଉଲ୍ଲେଖ କରାଯାଇଛି । ଏପରିକି ୭ ପୂଜକଙ୍କ ଦ୍ବାରା ତିନିଦିନ କଲେ ୪୦ହଜାର ବା ୫୨୬ ଡଲାର , ୧୧ଜଣ ବ୍ରାହ୍ମଣଙ୍କୁ ଭୋଜନ ୬୦୦୦ ଟଙ୍କା, ୨୧ଜଣ ବ୍ରାହ୍ମଣଙ୍କୁ ଭୋଜନ ପାଇଁ ୧୧୫୦୦ଟଙ୍କା ଦେବାକୁ ପଡିବ।

ଏହା ମଧ୍ୟ ପଢ଼ନ୍ତୁ: ମହାପ୍ରଭୁଙ୍କ ନାଁରେ ଠକେଇ; ଅନଲାଇନ ଆପ ଜାରିଆରେ ଦର୍ଶନ, ଭୋଗ ପାଇଁ ହେଉଛି ବୁକିଂ

ସେପଟେ ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତ ସିଧାସଳଖ କହିଛନ୍ତି, "ଏଭଳି କିଛି ପୂଜାବିଧି ଶ୍ରୀମନ୍ଦିରରେ ନାହିଁ । କୌଣସି ଭକ୍ତ ସିଧା ଆସି ଶ୍ରୀଜଗନ୍ନାଥଙ୍କୁ ପୂଜା କରିପାରିବ ଓ୍ବେବସାଇଡ ମାଧ୍ୟମରେ କୌଣସି ଟଙ୍କା ଗ୍ରହଣ କରାଯାଇନଥାଏ ।" ସେପଟେ ଉତ୍ସବ ଆପରେ ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା ନେଇ ଟଙ୍କା ଆଦାୟ ଘଟଣାର ପୋଲିସ ତଦନ୍ତ ଆରମ୍ଭ କରିଛି । ଆସନ୍ତା 7 ତାରିଖରେ ଉତ୍ସବ ଆପର କର୍ତ୍ତୃପକ୍ଷ ସିଂହଦ୍ଵାର ଥାନାରେ ହାଜର ହେବାକୁ ନୋଟିସ ରହିଛି । ତେବେ ମହାପ୍ରଭୁଙ୍କ ନାମରେ ଅନଲାଇନରେ ବ୍ୟାପକ ଠକେଇ ଚାଲିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଜଗନ୍ନାଥପ୍ରେମୀ ଦାବି କରିଛନ୍ତି । ଅନଲାଇନରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ନେଇ କୌଣସି ବ୍ୟବସ୍ଥା ନଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରଚାର ପ୍ରସାର କରାଯିବାକୁ ଜଗନ୍ନାଥପ୍ରେମୀ ଦାବି କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.