ETV Bharat / state

ଭକ୍ତଙ୍କ ବିଶ୍ୱାସ ସହିତ ଖେଳ, ପୁରୀରେ ବିକ୍ରି ହେଉଛି ନକଲି ଅବଢ଼ା

author img

By

Published : Jun 16, 2023, 3:55 PM IST

Updated : Jun 16, 2023, 6:39 PM IST

ପୁରୀରେ ବିକ୍ରି ହେଉଛି ନକଲି ଅବଢ଼ା
ପୁରୀରେ ବିକ୍ରି ହେଉଛି ନକଲି ଅବଢ଼ା

ପୁରୀରେ ନକଲି ଅବଢ଼ା ବିକ୍ରି ଅଭିଯୋଗ । ପାଇକ ସାହିରେ ନକଲି ଅବଢା ପ୍ରସ୍ତୁତ କରାଯାଇ ବିକ୍ରି ହେଉଥିବା ଅଭିଯୋଗ । ଅଧିକ ପଢନ୍ତୁ

ପୁରୀରେ ବିକ୍ରି ହେଉଛି ନକଲି ଅବଢ଼ା

ପୁରୀ: ମହାପ୍ରଭୁଙ୍କ ଅବଢ଼ାକୁ ନେଇ ଖେଳ । ଭକ୍ତଙ୍କ ବିଶ୍ୱାସ ସହିତ ଖେଳ ଖେଳିଲେ ଅସାଧୁ ବ୍ୟକ୍ତି । ଅବଢା ନାଁରେ ତିଆରି କରୁଛନ୍ତି ନକଲି ଅବଢା । ମହାପ୍ରଭୁ ଅଣସରରେ ଥିବାରୁ ଶ୍ରୀମନ୍ଦିରରେ ଏହି ସମୟରେ ମହାପ୍ରସାଦ ମିଳିନଥାଏ । ଏଥିପାଇଁ ବାହାରେ ଅବଢା ଅନ୍ନ, ଡାଲି, ବେସର ଓ ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଏହି ନକଲି ଅବଢା ମାଟି କୁଡୁଆରେ ଭକ୍ତଙ୍କୁ ଦିଆଯାଉଛି । ପୁରୀ ପାଇକ ସାହିରୁ ଆସିଛି ଏପରି ଅଭିଯୋଗ । ଘଟଣାସ୍ଥଳରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ପରେ ରୋଷେଇ କରୁଥିବା ବ୍ୟକ୍ତିମାନେ ଫେରାର ହୋଇ ଯାଇଥିବା ଜଣାପଡିଛି ।

ରଥଯାତ୍ରାକୁ ଆଉ ଅଳ୍ପଦିନ ଥିବାରୁ ପୁରୀକୁ ହଜାର ହଜାର ଭକ୍ତଙ୍କ ସମାଗମ ଜାରି ରହିଛି । ଏନେଇ ଅର୍ଥ ରୋଜଗାର ପାଇଁ ଭକ୍ତଙ୍କ ଭାବାବେଗ ସହ ଖେଳ ଖେଳିବାକୁ ଏବେ ନକଲି ଅବଢା ପ୍ରସ୍ତୁତ କରି ବିକ୍ରୟ ଆରମ୍ଭ କରିଛନ୍ତି କିଛି ଅସାଧୁ ବ୍ୟକ୍ତି । ପୁରୀ ପାଇକ ସାହିର ଏକ ଅସ୍ଥାୟୀ ଟେଣ୍ଟ୍‌ରେ ଅନ୍ନ, ଡାଲି, ବେସର ଓ ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତି କରାଯାଉଥିଲା । ଏହାକୁ ଭକ୍ତଙ୍କୁ ବିକ୍ରି ପାଇଁ ପ୍ରସ୍ତୁତ ହୋଇଥିବା ଅଭିଯୋଗ ହୋଇଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅଣସର ନୀତି ଚାଲିଥିବା ବେଳେ ମନ୍ଦିରରେ ମହାପ୍ରସାଦ ମିଳିନଥାଏ । ଅନେକ ଭକ୍ତ ଏନେଇ କିଛି ଜାଣିନଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି କିଛି ଅସାଧୁ ବ୍ୟକ୍ତି । କିଛି ଅସାଧୁ ସେବାୟତଙ୍କ ସହ ମିଶି ବାହାରେ ଅନ୍ନ, ଡାଲି ଓ ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରି ବିକ୍ରି ପାଇଁ ବ୍ୟବସ୍ଥା ହୋଇଛି । ତେବେ ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚିବା ପରେ ରୋଷେଇ କରୁଥିବା କିଛି ବ୍ୟକ୍ତି ଫେରାର ହୋଇଯାଇଛନ୍ତି ।

ସେଠାରେ ରୋଷେଇ କରୁଥିବା ରୋଷେୟା କହିଛନ୍ତି, "ଏହା ଏକ ଶୁଦ୍ଧିକ୍ରିୟା କାର୍ଯ୍ୟ ପାଇଁ ଅନ୍ନ, ଡାଲି, ବେସର ପ୍ରସ୍ତୁତ କରାଯାଉଥିଲା ।" ତେବେ ଶୁଦ୍ଧିକ୍ରିୟା ପାଇଁ ପ୍ରସ୍ତୁତ ଖାଦ୍ୟ କାହିଁକି ଅନ୍ୟ କୌଣସି ପାତ୍ରରେ ରଖାନଯାଇ କୁଡୁଆରେ ଭର୍ତ୍ତି କରାଯାଇଛି, ସେ ପ୍ରଶ୍ନର ରୋଷେୟା ସଠିକ୍ ଜବାବ ଦେଇ ପାରିନଥିଲେ । ସେହିପରି ରୋଷେଇରେ ଥିବା ଅନ୍ୟବ୍ୟକ୍ତି କାହିଁକି ମିଡିଆଙ୍କୁ ଦେଖି ଫେରାର ହେଲେ, ସେନେଇ ମଧ୍ୟ ରୋଷେୟା ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ପରେ କିଛି ସମୟ ପରେ ରୋଷେୟା ମଧ୍ୟ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ତେବେ କିଛି ଅସାଧୁ ସେବାୟତ ମହାପ୍ରଭୁଙ୍କ ଭକ୍ତଙ୍କୁ ଅବଢ଼ା ଯୋଗାଇ ଦେବା ନାଁରେ ଅର୍ଥ ନେଇ ବାହାରେ ରୋଷେଇ କରି ଅବଢ଼ା ନାମରେ ବିକ୍ରି କରୁଥିବା ସ୍ପଷ୍ଟ ହୋଇଛି ।

ତେବେ ରୋଷେୟାଙ୍କ କହିବା ମୁତାବକ, ଗୋପାଳ ପଣ୍ଡା ନାମକ ଜଣେ କେହି ସେବାୟତ ତାଙ୍କୁ ରୋଷେଇ ପାଇଁ ଡାକିଥିଲେ । ତାଙ୍କ ବରାଦ ମୁତାବକ ଅନ୍ନ, ଡାଲି, ବେସର ସହିତ ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରୁଥିଲେ । ସେପଟେ ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା, ଗତକାଲିଠାରୁ ଏହି ରୋଷେଇ ଚାଲିଛି । ଟ୍ରଲି ମାଧ୍ୟମରେ ଏହାକୁ ନିଆଯାଉଛି । ତେବେ ଶ୍ରୀମନ୍ଦିର ନିର୍ମିତ ହେଉଥିବା ମହାପ୍ରସାଦକୁ ବାହାରେ ତିଆରି କରି ବିକ୍ରି କରିବାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଜଗନ୍ନାଥ ପ୍ରେମୀ । ମହାପ୍ରସାଦକୁ ଭକ୍ତଟିଏ ଅତି ଭକ୍ତିର ସହ ସେବନ କରେ । କିନ୍ତୁ ଏହି ମହାପ୍ରସାଦକୁ ବାହାରେ ପ୍ରସ୍ତୁତ କରାଯାଇ ଭକ୍ତଙ୍କୁ ବିକ୍ରି କରିବା ଅତି ଦୁଃଖଦାୟକ ଓ ମହାପାପ । ପ୍ରଶାସନ ତୁରନ୍ତ ନକଲି ଅବଢ଼ାକୁ ଜବତ କରି ଦୋଷୀ ମାନଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଜଗନ୍ନାଥ ପ୍ରେମୀ ଦାବି କରିଛନ୍ତି । ତେବେ ଏହି ଘଟଣା ଗଣମାଧ୍ୟମରେ ଆସିବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, "ଏନେଇ କୌଣସି ସୂଚନା ନାହିଁ । ଏନେଇ ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ ।" ତେବେ ନକଲି ଅବଢ଼ା ପ୍ରସ୍ତୁତି ନେଇ ମିଡିଆରେ ଖବର ଆସିବା ପରେ ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚୁପ୍ ବସିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି ।

ଇଟିଭି ଭାରତ, ପୁରୀ

Last Updated :Jun 16, 2023, 6:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.