ETV Bharat / state

ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା, ସ୍ବାମୀକୁ ବାନ୍ଧିଲା ପୋଲିସ

author img

By

Published : May 29, 2023, 4:40 PM IST

ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା
ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା

ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ। ନୂଆପଡା ଜିଲ୍ଲା କୋମନାରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା। ଅଧିକ ପଢନ୍ତୁ

ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା

ନୂଆପଡ଼ା: ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ନିର୍ମମ ଭାବରେ ହତ୍ୟା କଲା ସୈତାନ ସ୍ୱାମୀ । ନୂଆପଡା ଜିଲ୍ଲା କୋମନା ଥାନା ଛତାଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଭିଯୁକ୍ତ ସ୍ୱାମୀ ଜଗବନ୍ଧୁ ତାଣ୍ଡି ହୋଇଥିବାବେଳେ ମୃତକ ଜଣକ ସୁନେତାଣ୍ଡି ବୋଲି ଜଣାପଡିଛି । ସ୍ତ୍ରୀକୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ଜଗବନ୍ଧୁ ତାଣ୍ଡି ଫେରାର ହୋଇ ଯାଇଥିବାବେଳେ, ହତ୍ୟାକାଣ୍ଡର 12ଘଣ୍ଟା ଭିତରେ କୋମନା ଓ ସିନାପାଲି ପୋଲିସ ମିଳିତ ଚଢ଼ାଉ କରିଥିଲେ। ଚଢାଉରେ ସିନାପାଲି ଥାନା ଅନ୍ତର୍ଗତ ସରଧାପୁର ଗାଁରୁ ହତ୍ୟାକାରୀ ଜଗବନ୍ଧୁକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

ଘଟଣା ସମ୍ପର୍କରେ ସୋମବାର ନୂଆପଡ଼ା ଆରକ୍ଷୀ ଅଧିକ୍ଷକ ଜି.ରାଘବେନ୍ଦ୍ର ରେଡ୍ଡି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କୋମନା ଥାନା ଅନ୍ତର୍ଗତ ଢୋର୍ଲା ଗ୍ରାମପଞ୍ଚାୟତ ସ୍ଥିତ ଛତା ଗାଁରେ ବାସ କରନ୍ତି ଜଗବନ୍ଧୁ ତାଣ୍ଡି ସ୍ତ୍ରୀ ଓ ଦୁଇ ପୁଅଙ୍କ ସହ ବାସ କରୁଥିଲେ । ସୁନେତାଣ୍ଡିଙ୍କର ଅନ୍ୟ ପୁରୁଷ ସହ ସମ୍ପର୍କ ଥିବା ବାରମ୍ବାର ଶୁଣିବାକୁ ପାଉଥିଲେ ସ୍ବାମୀ ଜଗବନ୍ଧୁ । ଯାହା ଫଳରେ ସେ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ ଏବଂ ବାରମ୍ବାର ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହିଥିଲା ।

ଶେଷରେ ସ୍ୱାମୀ ଜଗବନ୍ଧୁ ପ୍ରତିଶୋଧ ପରାୟଣ ହୋଇ ସ୍ତ୍ରୀକୁ ହତ୍ୟା କରିବା ପାଇଁ ଯୋଜନା କରୁଥିଲା । ଯୋଜନା ମୁତାବକ ଗତ 24 ତାରିଖ ଦିନ ନିଜ ଶ୍ୱଶୁର ଘର ବୋଡେ଼ନ ଥାନା ଅନ୍ତର୍ଗତ ନାଗପଡା ଗ୍ରାମପଞ୍ଚାୟତ ସିର୍ଲି ଗାଁକୁ ଯିବାପାଇଁ ସ୍ତ୍ରୀକୁ ପ୍ରସ୍ତାବ ଦେଇଥିଲା ଜଗବନ୍ଧୁ । ସ୍ୱାମୀ ପ୍ରସ୍ତାବରେ ଏକମତ ହୋଇ ଉଭୟେ 24 ତାରିଖ ଦିନ ସାଇକଲ ଯୋଗେ ବାହାରିଥିଲେ । ସଂଧ୍ୟା ପର୍ଯ୍ୟନ୍ତ ଉଭୟେ ସ୍ୱାମୀ ସ୍ତ୍ରୀ ଶ୍ୱଶୁର ଘର ସିର୍ଲି କିମ୍ବା ନିଜଘର ଛତାଗାଁକୁ ଯାଇନଥିଲେ ।

ଫଳରେ ବାପା ମାଆ ନିଖୋଜ ଥିବା ନେଇ ଜଗବନ୍ଧୁଙ୍କ ପୁଅ ସୁରେନ୍ଦ୍ର ତାଣ୍ଡି କୋମନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି କୋମନା ପୋଲିସ ତଦନ୍ତ ଜାରି ରଖିଥିଲା । ଏହାପରେ ଗତ 27 ତାରିଖ ଦିନ ଛତାଗାଁ ନିକଟସ୍ଥ ଦେଓଦରା ଜଙ୍ଗଲରେ ଜଣେ ମହିଳାଙ୍କ ମୃତଦେହ ପଡିଥିବା କୋମନା ପୋଲିସ ଜାଣିବାକୁ ପାଇଥିଲା । ତେବେ ମୃତ ମହିଳା ଜଣଙ୍କ ଜଗବନ୍ଧୁଙ୍କ ସ୍ତ୍ରୀ ସୁନେ ତାଣ୍ଡି ବୋଲି ଚିହ୍ନଟ କରିଥିଲା ପୋଲିସ ।

ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଜଗବନ୍ଧୁ ଫେରାର ହୋଇଯାଇଥିଲା । ପରେ ନୂଆପଡା SP ଜି. ରାଘବେନ୍ଦ୍ର ରେଡ୍ଡିଙ୍କ ନିର୍ଦ୍ଦେଶରେ SDPO ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ କୋମନା IIC ଜ୍ୟୋତିରଞ୍ଜନ ଗୌଡ, ସିନାପାଲି IIC ଡମ୍ବରୁଧର ପ୍ରଧାନଙ୍କୁ ନେଇ ଅଭିଯୁକ୍ତକୁ କାବୁ କରିବାକୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ ହେଲା । ଘଟଣାର ମାତ୍ର 12 ଘଣ୍ଟା ଭିତରେ ଅଭିଯୁକ୍ତ ଜଗବନ୍ଧୁକୁ ସିନାପାଲି ଥାନା ସରଧାପୁର ଗାଁରୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

ଅଭିଯୁକ୍ତ ହତ୍ୟା କରିଥିବା ସ୍ୱୀକାର କରିଥିବାବେଳେ, ତାଠାରୁ ଗୋଟିଏ ସାଇକଲ,ଗୋଟିଏ ମୋବାଇଲ ଫୋନ, ଉଭୟ ସ୍ୱାମୀ ସ୍ତ୍ରୀଙ୍କ ବ୍ୟବହୃତ କପଡା ଓ ହତ୍ୟାରେ ବ୍ୟବହୃତ ଠେଙ୍ଗା ଜବତ କରିଛି ପୋଲିସ । ସୋମବାର ଅଭିଯୁକ୍ତ ଜଗବନ୍ଧୁକୁ କୋର୍ଟ ଚାଲାଣ କରାଯାଇଥିବା ନୂଆପଡା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.