ETV Bharat / state

ଘରୋଇ ଜମିରେ ସରକାରୀ କୋଠା, ଦଶ ବର୍ଷ ହେଲା କବଜା କରି ରହୁଛନ୍ତି ଜମିମାଲିକ

author img

By

Published : Nov 2, 2022, 4:14 PM IST

Updated : Nov 2, 2022, 4:21 PM IST

govt building make on private land in nuapada
ସରକାରୀ କୋଠକୁ କବଜା, ନିରବଦ୍ରଷ୍ଟା ପ୍ରଶାସନ

ଜମି ମାଲିକଙ୍କ କବଜାରେ ସରକାରୀ କୋଠା । ବ୍ୟକ୍ତିଗତ ଜମିରେ ତିଆରି ହୋଇଛି କୋଟିକୋଟି ଟଙ୍କାର ସରକାରୀ କୋଠା । ଦୀର୍ଘ 10 ବର୍ଷ ହେବ ଉକ୍ତ ଘରେ ରହିଆସୁଛନ୍ତି ଜମି ମାଲିକ । ନା ହୋଇଛି ସରକାରୀ ତଦନ୍ତ, ନା ପ୍ରଶାସନ କୌଣସି ପଦକ୍ଷେପ ନେଇଛି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଭୁଲିଆ ସିକୁଆଁ ଗ୍ରାମପଞ୍ଚାୟତରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । ଅଧିକ ପଢ଼ନ୍ତୁ

ନୂଆପଡ଼ା: ବେସରକାରୀ ଜମିରେ ସରକାରୀ କୋଠା । କୋଟି କୋଟି ଟଙ୍କାରେ ତିଆରି ହୋଇଥିବା ଘର ଏବେ ଜମି ମାଲିକଙ୍କ କବଜାରେ । ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ 12 ବର୍ଷ ଧରି ସରକାରୀ କୋଠା ଦଖଲ କରି ରହୁଛନ୍ତି ଜମି ମାଲିକ ହେଲେ ନିରବଦ୍ରଷ୍ଟା ସାଜିଛି ଜିଲ୍ଲା ପ୍ରଶାସନ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଭୁଲିଆ ସିକୁଆଁ ଗ୍ରାମପଞ୍ଚାୟତରେ । ସରକାରୀ ବାବୁଙ୍କ ବେପରୁଆ ମନୋଭାବ ଯୋଗୁଁ ଗ୍ରାମର ଅଙ୍ଗବାଡ଼ି କେନ୍ଦ୍ର ଓ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ସାଧାରଣ ଲୋକଙ୍କ କବଜାରେ ଥିବା ଦେଖିବାକୁ ମିଳିଛି ।

ଘରୋଇ ଜମିରେ ସରକାରୀ କୋଠା, ଦଶ ବର୍ଷ ହେଲା କବଜା କରି ରହୁଛନ୍ତି ଜମିମାଲିକ

2010 ମସିହାରେ ଭୁଲିଆ ସିକୁଆଁ ଗ୍ରାମପଞ୍ଚାୟତରେ ରାଜ୍ୟ ସରକାରଙ୍କ ଦ୍ବାରା କୋଟି କୋଟି ଟଙ୍କା ବ୍ୟୟରେ 3ଟି ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ହୋଇଥିଲା । କିନ୍ତୁ ଘରୋଇ ଜମିରେ ସରକାରୀ କୋଠା ନିର୍ମାଣ ହୋଇଥିବା ଅଭିଯୋଗରେ ସେହି ଗ୍ରାମର ବନମାଳୀ ମେହେର, ହରେଶ୍ୱର ମେହେର ଏବଂ କୁଳମଣି ନାଗ ନାମକ ବ୍ୟକ୍ତି ଘର ଅକ୍ତିଆର କରି ନିଜ ପରିବାର ସହ ରହୁଛନ୍ତି । ଏନେଇ ଘର ଦଖଲକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, " ପୂର୍ବ ପୀଢ଼ିରୁ ଏହି ଜମି ଆମର ରହିଆସିଛି । ସରକାର ଏଠାରେ ଆସି ଘର ତିଆରି କରିଛନ୍ତି । ଘର ତିଆରି କରାଯିବା ବେଳେ ଆମେ ମନା କରିଥିଲୁ । କେହି ଶୁଣିଲେନି । ଘର ତିଆରି ହେବା ପରେ ଆମେ ଏଠାରେ ରହୁଛୁ ।" ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ହୋଇଥିଲେ ସୁଦ୍ଧା ଭଡ଼ା ଘରେ ପିଲାଙ୍କୁ ପାଠ ପଢ଼ା ଯାଉଛି । ଫଳରେ ବିଭିନ୍ନ ସମସ୍ୟା ଦେଖାଦେଉଥିବା ଅଙ୍ଗନବାଡ଼ି କର୍ମଚାରୀ କହିଛନ୍ତି ।

ସେହିଭଳି ରାଜୀବ ଗାନ୍ଧୀ ସେବାକେନ୍ଦ୍ର କୋଠା ଘରକୁ ମଧ୍ୟ ସେହି ଗ୍ରାମର ଲଙ୍କେଶ୍ୱର ନାଗ ନାମକ ବ୍ୟକ୍ତି ଅକ୍ତିଆର କରି ୨୦୧୦ ମସିହାରୁ ପରିବାର ସହ ରହୁଛନ୍ତି । ତାଙ୍କ କହିବା କଥା, 2010ରେ ଏହି ଜମିରେ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ନିର୍ମାଣ ହେଲା । ଏହାକୁ ବିରୋଧ କରିବା ସତ୍ବେ ସ୍ଥାନୀୟ ପ୍ରଶାସନ ନମାନି ଏଠାରେ କୋଠା ନିର୍ମାଣ କଲେ । ଏହାକୁ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲି ମାତ୍ର କୌଣସି ସୁଫଳ ମିଳିନଥିଲା । ତେଣୁ ଗୃହ ନିର୍ମାଣ ହେବା ପରଠାରୁ ମୁଁ ଏଠାରେ ରହି ଆସୁଛି ।" ସବୁଠାରୁ ବଡ଼ କଥା ହେଲା ଦୀର୍ଘ 12 ବର୍ଷ ମଧ୍ୟରେ ପ୍ରଶାସନିକ ସ୍ତରରେ ଏନେଇ କୌଣସି ତଦନ୍ତ କରାଯାଇନାହିଁ । ନିର୍ମାଣ କରିବା ସମୟରେ ତତ୍କାଳୀନ BDO ଓ ଇଂଜିନିୟରଙ୍କ ଦୂରଦୃଷ୍ଟି ଅଭାବ ଓ ଖାମାଖିଆଳି ନୀତି ଯୋଗୁଁ ଏଭଳି ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଘଟଣା ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ ସେ ଏହାକୁ ସ୍ୱୀକାର କରିବା ସହ ସ୍ଥାନୀୟ ବ୍ଲକ ପ୍ରଶାସନକୁ ଜଣାଇଥିବା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ରଜନାରେ PDS ଚାଉଳ ଯୋଗାଣରେ ଦୁର୍ନୀତି, ପ୍ରତିବାଦ କଲେ ହିତାଧିକାରୀ

ସରକାର କୋମଳମତି ଶିଶୁ ଓ ମାଆମାନଙ୍କ ମାନସିକ ଶାରୀରିକ ବିକାଶ କରିବା ସହ ଅପପୁଷ୍ଟି ଜନିତ ରୋଗ ଦାଉରୁ ମୁକ୍ତ କରିବା ପାଇଁ ଅଙ୍ଗନବାଡ଼ି ସେବା ଯୋଜନା ଆରମ୍ଭ କରିଛନ୍ତି । ଯେଉଁଥିରେ ମାଆ ଓ ଶିଶୁ ପୁଷ୍ଟିକର ଖାଦ୍ୟ ପାଇପାରିବେ । ସୁରକ୍ଷିତ କେନ୍ଦ୍ର ପରିଚାଳନା ପାଇଁ ସରକାରୀ ଟଙ୍କାରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିଛନ୍ତି ସତ । କିନ୍ତୁ ବିଡ଼ମ୍ବନାର ବିଷୟ ଭୁଲିଆ ସିକୁଆଁ ଗାଁରେ ଗୋଟିଏ କି ଦୁଇଟି ନୁହେଁ ୪ଟି ସରକାରୀ (୩ଟି ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଗୋଟିଏ ରାଜୀବ ଗାନ୍ଧୀ ସେବାକେନ୍ଦ୍ର)କୋଠାକୁ ଲୋକେ ଅକ୍ତିଆର କରିନେଇଛନ୍ତି । ଜିଲ୍ଲା ପ୍ରଶାସନର ଏଭଳି ଅବହେଳା ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ତେବେ ଏଥିପ୍ରତି ପ୍ରଶାସନ କଣ ନିଷ୍ପତ୍ତି ନେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ନୂଆପଡ଼ା

Last Updated :Nov 2, 2022, 4:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.