ETV Bharat / state

ନୟାଗଡ ନାବାଳିକା ହତ୍ୟାକାଣ୍ଡ: ସିବିଆଇକୁ ସୁପ୍ରିମକୋର୍ଟଙ୍କ ନୋଟିସ ଜାରି

author img

By

Published : Jan 13, 2021, 5:59 PM IST

Updated : Jan 13, 2021, 6:27 PM IST

supreme court noticed cbi regarding nayagarh minor rape and murder case
ନୟାଗଡ଼ ନାବାଳିକା ହତ୍ୟାକାଣ୍ଡ: ସିବିଆଇକୁ ସୁପ୍ରିମକୋର୍ଟଙ୍କ ନୋଟିସ ଜାରି

ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇକୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ ଏହି ଚର୍ଚ୍ଚିତ ହତ୍ୟାକାଣ୍ଡର ତଦନ୍ତ ଭାର ନେଇଥିଲା ଏସଆଇଟି। ଅଧିକ ପଢ଼ନ୍ତୁ...

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇକୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଏହି ଜଘନ୍ୟ ଦୁଷ୍କର୍ମ ଓ ହତ୍ୟା ମାମଲାର ସିବିଆଇ ତଦନ୍ତ କରାଇବା ପାଇଁ ମୃତ ନାବାଳିକାଙ୍କ ମା' ସୌଦାମିନି ସାହୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୌଦାମିନି ସାହୁଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ସିବିଆଇକୁ ନୋଟିସ ଜାରି କରିଛନ୍ତି।

ପୂର୍ବରୁ ଏହି ଚର୍ଚ୍ଚିତ ହତ୍ୟାକାଣ୍ଡର ତଦନ୍ତ ଭାର ନେଇଥିଲା ଏସଆଇଟି। ଘଟଣାର ତଦନ୍ତ କରି ନାବାଳିକାର ଅଭିଯୁକ୍ତ ପଡ଼ୋଶୀକୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ ହୋଇଛି। ତେବେ ଏହି ତଦନ୍ତ ପ୍ରକ୍ରିୟାକୁ ନେଇ ନାବାଳିକାଙ୍କ ବାପା ଓ ମାଆ ସନ୍ତୁଷ୍ଟ ନଥିଲେ। ଏଥିପାଇଁ ବାରମ୍ବାର ଝିଅର ହତ୍ୟା ମାମଲାର ସିବିଆଇ ତଦନ୍ତ କରାଇବାକୁ ଦାବି କରି ଆସୁଥିଲେ ନାବାଳିକାଙ୍କ ବାପା ଓ ମାଆ।

ଆବେଦନକାରୀ ବରିଷ୍ଠ ଓକିଲ ବେଞ୍ଚ ସମ୍ମୁଖରେ ଉପସ୍ଥିତ ରହି ନିଜର ସମସ୍ତ ପକ୍ଷ ରଖିଥିଲେ। ଏହି ମାମଲାରେ ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ରିଟ ପିଟିସନ ଦାଖଲ ହୋଇଥିଲା। ଏହି ପିଟିସନରେ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ସହ ଜିଲ୍ଲା ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ କରିଛନ୍ତି ନାବାଳିକାଙ୍କ ମାଆ ସୌଦାମିନି ସାହୁ। ସିବିଆଇ ତଦନ୍ତ ହେଲେ ଘଟଣାର ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଆଶା କରାଯାଉଛି।

ସେପଟେ ପରୀ ହତ୍ୟାକାଣ୍ଡରେ ଏସଆଇଟି ଗିରଫ କରିଥିବା ଅଭିଯୁକ୍ତର ବ୍ରେନ ମ୍ୟାପିଂ ନେଇ ଜୁଭେନାଇଲ କୋର୍ଟରେ ଶୁଣାଣି ହୋଇଛି। ବ୍ରେନ ମ୍ୟାପିଂ ପାଇଁ ଅଭିଯୁକ୍ତ କୋର୍ଟ ଆଗରେ ମନା କରିଦେଇଛି ଅଭିଯୁ୍କ୍ତ ନାବାଳକ। ଫଳରେ ବ୍ରେନ ମ୍ୟାପିଂ ପାଇଁ ଏସଆଇଟି ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ନୟାଗଡ଼ ଜୁଭେନାଇଲ କୋର୍ଟ।

2020 ବର୍ଷ ଜୁଲାଇ ମାସରେ ଘର ସମ୍ମୁଖରେ ଖେଳୁଥିବା ବେଳେ ନୟଗଡ଼ ନାବାଳିକାକୁ ଅପହରଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ଗାଁ ପାଖ ପୋଖରୀ ନିକଟରୁ ତାର ଖପୁରୀ ଏବଂ କିଛି ଦେହାବଶେଷ ଉଦ୍ଧାର ହୋଇଥିଲା । ମାନବ ଅଙ୍ଗ ଚାଲାଣ ପାଇଁ ନାବାଳିକାକୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିବା ବେଳେ ଏସଆଇଟି ତଦନ୍ତରେ ଏହା ଦୁଷ୍କର୍ମ ଜନିତ ହତ୍ୟାକାଣ୍ଡ ବୋଲି କୁହାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 13, 2021, 6:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.