ETV Bharat / state

ନାବାଳକ ଅମ୍ରିତ ଅପହରଣ ଘଟଣା, ଟଙ୍କା ପାଇଁ ଅପହରଣ କରାଯାଇଥିବା ସ୍ପଷ୍ଟ କଲେ ନୟାଗଡ SP

author img

By

Published : Dec 21, 2022, 10:16 PM IST

ନୟାଗଡ଼ କୁରାଳ ଗ୍ରାମର ନାବାଳକ ଅମ୍ରିତ ଅପହରଣ ଘଟଣା । ଟଙ୍କା ପାଇଁ ଅମ୍ରିତକୁ ଅପହରଣ କରାଯାଇଥିବା ସ୍ପଷ୍ଟ କଲେ ନୟାଗଡ ଏସପି ଅଲେଖ ଚନ୍ଦ୍ର ପହି । ଅଧିକ ପଢ଼ନ୍ତୁ

ନୟାଗଡ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ
ନୟାଗଡ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ

ନୟାଗଡ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ

ନୟାଗଡ଼: କୁରାଳ ଗ୍ରାମର ନାବାଳକ ଅମ୍ରିତ ଅପହରଣ ଘଟଣା । ଟଙ୍କା ପାଇଁ ଅପହରଣ କରାଯାଇଥିବା ସ୍ପଷ୍ଟ କଲେ ନୟାଗଡ ଏସପି ଅଲେଖ ଚନ୍ଦ୍ର ପହି । ଓଡଗାଁ ଥାନା ପରିସରରେ ପ୍ରେସମିଟରେ ଏସପି ଏନେଇ ସୂଚନା ଦେଇଛନ୍ତି । ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ପି କହିଛନ୍ତି ।

ନୟାଗଡ଼ ଏସ୍‌ପି ଦେଇଥିବା ସୂଚନା ଅନୁସାରେ ମୁଖ୍ୟ ଅଭିଯୁକ୍ତ ସ୍ବପ୍ନପ୍ରସାଦ ପଣ୍ଡା ବହୁ ବାକି ହୋଇଥିବାରୁ ଅମ୍ରିତକୁ ଅପହରଣ କରି ତାର ବାପାଙ୍କଠାରୁ ଟଙ୍କା ଆଦାୟ କରିବା ପାଇଁ ଏହି ଯୋଜନା କରିଥିଲା । ଏଥିପାଇଁ ସ୍ବପ୍ନ ତାର ଭାଇ ଭକ୍ତଦର୍ଶନ ଏବଂ ସାଙ୍ଗ ସୁନୀଲ ପାଣିଗ୍ରାହୀର ସହଯୋଗ ନେଇଥିଲା । ୧୫ ତାରିଖ ସନ୍ଧ୍ୟାରେ ଅମ୍ରିତ ଟ୍ୟୁସନରୁ ଫେରୁଥିବା ସମୟରେ ଘର ନିକଟରୁ ତାକୁ ସ୍ବପ୍ନ ଏବଂ ଅନ୍ୟ ଦୁଇ ଜଣ ମିଶି ନିଜର ବୋଲେରୋ ପିକଅପ୍ ଭ୍ୟାନରେ ଅପହରଣ କରିନେଇଥିଲେ । ଅମ୍ରିତକୁ ପ୍ରଥମେ କୁରାଳ ଚଣ୍ଡିସାହିର ଏକ ଘରେ ଏବଂ ପରେ ମହାନ୍ତି ସାହିରେ ରଖିଥିଲେ । ସେହି ଦୁଇଟି ଘରର ମାଲିକ ପଞ୍ଜାବରେ ରହୁଥିବାରୁ ଘରର ଚାବି ସ୍ବପ୍ନଙ୍କ ପରିବାର ପାଖରେ ରହୁଥିଲା ।

ଏସ୍‌ପି କହିଛନ୍ତି, "ସ୍ବପ୍ନ ତାର ଗାଡିରେ ଅମ୍ରିତ ବାପାଙ୍କର ବ୍ୟବସାୟ ପାଇଁ ଜିନିଷ ନେବା ଆଣିବା କରୁଥିବାରୁ ତାଙ୍କ ପାଖରେ ଅଧିକ ଟଙ୍କା ରହିଥିବା ଭାବି ଏହି କାଣ୍ଡ କରିଥିଲା । ତେବେ ଘଟଣା ପରେ ପୋଲିସ, ଗ୍ରାମବାସୀ ଅମ୍ରିତକୁ ଉଦ୍ଧାର ପାଇଁ ତତ୍ପର ହୋଇଯିବାରୁ ଅମ୍ରିତକୁ ବାହାରକୁ ନେଇପାରିନଥିଲେ । ୪ ଦିନ ତାକୁ ହାତଗୋଡ ବାନ୍ଧି ଘରେ ରଖିଥିଲେ । ଦୁଇଭାଇ ତାକୁ ସବୁ ସମୟରେ ଜଗି ରହୁଥିଲେ । ତେବେ ଶେଷରେ ଯୋଜନାରେ ବିଫଳ ହେବାପରେ ୧୭ ତାରିଖ ରାତିରେ ତାକୁ ସେହି ଘରେ ଛାଡିଦେଇ ଚାଲିଯିବା ପରେ ୧୮ ତାରିଖ ସକାଳେ ଅମ୍ରିତ ଘରର ଗ୍ରିଲ୍ ଦେଇ ପାଟି କରିବାରୁ କିଛି ମହିଳା କବାଟ ଖୋଲି ତାକୁ ଉଦ୍ଧାର କରିଥିଲେ ।"

ଗତକାଲି ଅଭିଯୁକ୍ତମାନଙ୍କୁ ନେଇ ସିନ୍ ରିକ୍ରିଏସନ କରି ପୋଲିସ ସେହି ଘରୁ ଅମ୍ରିତର ଜ୍ୟାକେଟ୍, ଛୁରି, ଅମ୍ରିତକୁ ବନ୍ଧାଯାଇଥିବା ରଶି ଏବଂ କୂଅରୁ ଅମ୍ରିତର ବ୍ୟାଗ୍ ଜବତ କରିଛି । ସେହିପରି ଅପହରଣରେ ବ୍ୟବହୃତ ବୋଲେରୋ ଭ୍ୟାନକୁ ମଧ୍ୟ ପୋଲିସ ଜବତ କରିଛି । ଆଜି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ପି କହିଛନ୍ତି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.