ETV Bharat / state

ଉତ୍ସବ ମୁଖରିତ ହେଲା ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ ଥୁଆବାରୀ, ଶହୀଦଙ୍କୁ ଝୁରିଲେ ଗ୍ରାମବାସୀ

author img

By

Published : Oct 10, 2021, 10:29 PM IST

freedom struggle village thuabari remember freedom fighter
ଉତ୍ସବ ମୁଖରିତ ହେଲା ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ ଥୁଆବାରୀ

ଶହୀଦଙ୍କୁ ମନେପକାଇଲା ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ ଥୁଆବାରୀ । ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନରେ 65 ଜଣ ସ୍ବାଧୀନତା ସଂଗ୍ରାମୀ ପ୍ରାଣ ଦେଇ ଶହୀଦ ହୋଇଛନ୍ତି । ଅଧିକ ପଢନ୍ତୁ...

ନୟାଗଡ: ଉତ୍ସବ ମୁଖରିତ ହେଲା ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର ଥୁଆବାରୀ ଗାଁ । ଶହୀଦଙ୍କୁ ଝୁରିଲେ ଗ୍ରାମବାସୀ । ମହାତ୍ମା ଗାନ୍ଧୀଙ୍କ ଦେଶମୁକ୍ତି ଡାକରାରେ ଉଦବୁଦ୍ଧ ହୋଇ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ ଥୁଆବାରୀ ଗ୍ରାମବାସୀ ।

ଉତ୍ସବ ମୁଖରିତ ହେଲା ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ ଥୁଆବାରୀ

ଓଡ଼ିଶାର ରକ୍ତତୀର୍ଥ ଇରମ ପରେ ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ ଭାବେ ଭାରତର ସ୍ବାଧୀନତା ସଂଗ୍ରାମ ଇତିହାସରେ ସୁନ୍ଦରପୃଷ୍ଠା ମଣ୍ଡନ କରିଛି ଥୁଆବାରୀ । ପ୍ରଜାମଣ୍ଡଳ ଆନ୍ଦୋଳନରେ ଏହି ଗାଁର କଣ୍ଡୁରୀ ପରିଡା ସ୍ଥାନୀୟ ଆଦିବାସୀଙ୍କୁ ମେଳି କରି ସ୍ବାଧୀନତା ଆନ୍ଦୋଳନରେ ସାମିଲ କରାଇଥିଲେ । ଆଉ ଏହାପରେ ଗାନ୍ଧିଜୀଙ୍କ ଓଡିଶା ଆଗମନରେ ଭାରତ ଛାଡ଼ ଆନ୍ଦୋଳନର ନେତୃତ୍ବ ନେଇ ଏହି ଗାଁର କଣ୍ଡୁରୀ ପରିଡା ଓ ଆନନ୍ଦ ସ୍ବାଇଁଙ୍କ ନେତୃତ୍ବରେ ଗ୍ରାମବାସୀ ଦେଶ ମୁକ୍ତି ଆନ୍ଦୋଳନରେ ସାମିଲ ହୋଇଥିଲେ । ଭାରତ ଛାଡ଼ ଆନ୍ଦୋଳନ ବେଳେ ଏହି ଗାଁର ଶତାଧିକ ଲୋକେ ମେଳି ବାନ୍ଧି ବରକୋଳା ବଙ୍ଗଳା ସମେତ ଆଖପାଖ ସମସ୍ତ ଅଞ୍ଚଳରେ ଇଂରେଜ ସରକାରଙ୍କ ସରକାରୀ ଅଫିସରେ ନିଆଁ ଲଗାଇଥିଲେ । ଇଂରେଜମାନଙ୍କୁ ଅସହଯୋଗ କରିଥିଲେ ଗ୍ରାମବାସୀ । ଏହି ଆନ୍ଦୋଳନରେ ଗ୍ରାମର ପ୍ରାୟ 65 ଜଣ ସ୍ବାଧୀନତା ସଂଗ୍ରାମୀ ପ୍ରାଣ ଦେଇ ଆଜି ବି ଅମର ହୋଇଛନ୍ତି ।

ଗାଁ ମୁଣ୍ଡରେ ଥିବା ଶହୀଦ ସ୍ତମ୍ଭ ଆଜି ସଂଗ୍ରାମୀଙ୍କ ସ୍ମୃତିକୁ ବହନ କରି ଛିଡ଼ା ହୋଇଛି । ଗ୍ରାମର ସଂଗ୍ରାମୀଙ୍କ ସ୍ମୃତିରେ ପ୍ରତିବର୍ଷ ଅକ୍ଟୋବର 10 ତାରିଖକୁ ଗ୍ରାମବାସୀ ଶହୀଦ ଦିବସ ଭାବେ ପାଳନ କରି ଆସୁଛନ୍ତି l ଆଜି ମଧ୍ୟ ଗାଁ ଉତ୍ସବ ମୁଖର ଥିଲା l ଆଜି ଥୁଆବାରୀ ଗ୍ରାମରେ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି l ଏଥିରେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ସାହୁ, ବିଡ଼ିଓ ପ୍ରମୋଦ କୁମାର ନାୟକଙ୍କ ସହିତ ତହସିଲଦାର ପ୍ରଳୟ ନନ୍ଦ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ l

ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ସାମିଲ ହୋଇଥିବା ଏହି ଗାଁର କଣ୍ଡୁରୀ ପରିଡାଙ୍କ ସମେତ ଭାଗବତ ସ୍ବାଇଁ, ଆନନ୍ଦ ସ୍ବାଇଁ, ପ୍ରହ୍ଲାଦ ସ୍ବାଇଁଙ୍କୁ ଗିରଫ କରିବା ପାଇଁ ଇଂରେଜ ସରକାର 500 ମୁଦ୍ରାର ପୁରସ୍କାର ରାଶି ଘୋଷଣା କରିଥିବା ବେଳେ କଣ୍ଡୁରୀ ପରିଡା ଓ ତାଙ୍କ ପୁଅ ବୁଦ୍ଧି ପରିଡ଼ାଙ୍କୁ ଗିରଫ କରି ଅକଥନୀୟ ନିର୍ଯାତନା ଦେଉଥିଲେ । ଫଳରେ କାରାଗାର ଭିତରେ କଣ୍ଡୁରୀ ପରିଡାଙ୍କ ପୁଅ ବୁଦ୍ଧି ପରିଡା ଶହୀଦ ହୋଇଯାଇଥିଲେ । ଏହି ଗାଁର ଲିଙ୍ଗା ନାଏକ ଓ ହରି ସାହୁ ଇଂରେଜମାନଙ୍କ ଅତ୍ୟାଚାର ସହି ନପାରି ପାଗଳ ହୋଇଯାଇଥିଲେ । ଏହି ଗାଁର ଅନ୍ୟଜଣେ ସଂଗ୍ରାମୀ ଖତି ସାହୁଙ୍କୁ ଇଂରେଜ ସରକାର ଏଭଳି ଦଣ୍ଡ ବ୍ୟବସ୍ଥା କଲେ ଯେ କେହି ତାଙ୍କର ପତ୍ତା ମଧ୍ୟ ପାଇଲେ ନାହିଁ ।

ଏହି ଭଳି ଭାବେ ଗାଁର ପ୍ରାୟ 65 ଜଣ ମହିଳା ଓ ପୁରୁଷ ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇ ଜେଲଦଣ୍ଡ ଓ ଲୁଟପାଟ ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ । ଥୁଆବାରୀ ଗ୍ରାମବାସୀ ଦେଶ ମାତୃକାକୁ ସ୍ବାଧୀନତାର ସ୍ବାଦ ଚଖାଇବାକୁ ଯେଉଁ ବିପ୍ଳବ କରିଥିଲେ । ତାହା ଯୁଗ ଯୁଗ ଧରି ଚିରସ୍ମରଣୀୟ ହୋଇ ନିଶ୍ଚୟ ରହିବ । ଗ୍ରାମବାସୀଙ୍କ ସଂଗ୍ରାମର ଗାଥାକୁ ଇତିହାସ ନିଜର ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଛି ଏବଂ ଥୁଆବାରୀ ଗ୍ରାମବାସୀଙ୍କ ବୀରତ୍ବ ଆଜି ତାଙ୍କୁ କରିଛି ଅମର l ଆଜି ଗ୍ରାମବାସୀ, ରାଜନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଗାଁ ପହଞ୍ଚି ଶହୀଦଙ୍କୁ ମନେପକାଇଥିଲେ l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.