ETV Bharat / state

ବନ୍ୟାର ଛାତିଥରା ଘଟଣା ବଖାଣିଲେ ମହିଳା, ରାତି ଅଧରେ ମାଡ଼ି ଆସିଲା ପାଣି

author img

By

Published : Aug 21, 2022, 5:35 PM IST

flood situation in nayagarh
ରାତି ଅଧରେ ମାଡ଼ି ଆସିଲା ପାଣି, ତାପରେ

ମହାନଦୀରେ ବନ୍ୟା ଆସିବା ଯୋଗୁଁ ନୟାଗଡ଼ ଜିଲ୍ଲାର ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖିବାକୁ ମିଳିଛି । ବନ୍ୟାର ଛାତିଥରା ଦୃଶ୍ୟ ବଖାଣିଛନ୍ତି ନଦୀକୂଳିଆ ବାସିନ୍ଦା । ଅଧିକ ପଢ଼ନ୍ତୁ

ନୟାଗଡ଼: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି (heavy rainfall in odisha) । ଫଳରେ ମହାନଦୀ ସମେତ ବିଭିନ୍ନ ଶାଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରୁ ବାଦ ପଡିନି ନୟାଗଡ଼ ଜିଲ୍ଲା (flood situation in nayagarh) । ବିଭିନ୍ନ ଅଞ୍ଚଳ ବହୁମାତ୍ରାରେ ପ୍ରଭାବିତ ହୋଇଛି (people affected due to flood) । ବନ୍ୟା ନୟାଗଡ଼ ପାଇଁ ଯଦିଓ ନୂଆ ନୁହେଁ, ଏହାର ରୂପ ନଦୀକୂଳିଆ ଲୋକଙ୍କ ପାଇଁ ନୂଆ ବୋଲି କୁହାଯାଇଛି ।

ରାତି ଅଧରେ ମାଡ଼ି ଆସିଲା ପାଣି

ପ୍ରତି ବର୍ଷ ବନ୍ୟା ଅସୁଛି, ହେଲେ ଦୀର୍ଘ ଦିନ ଧରି ଏପରି ସ୍ଥିତି ସୃଷ୍ଟି କରୁଥିବା ଖୁବ କମ ଥର ଆସିଛି ବୋଲି ଲୋକେ କହିଛନ୍ତି । ମହାନଦୀରେ ବନ୍ୟା ଆସିବା ଯୋଗୁଁ ନୟାଗଡ଼ ଜିଲ୍ଲାର ଭାପୁର, ଖଣ୍ଡପଡ଼ା ଏବଂ ଗଣିଆ ଅଞ୍ଚଳର ବହୁ ଗ୍ରାମ ଜଳମଗ୍ନ ହୋଇଛି । ହଠାତ ରାତିରେ ମାଡ଼ି ଆସିଲା ପାଣି, ସକାଳୁ ଦେଖିଲା ବେଳକୁ ଚାରିଆଡ଼େ ପାଣି । ଏଥିରେ ଅନେକ ଘର ଭାଙ୍ଗିଛି ଏବଂ ଅନେକ ପରିବାର ବେସାହାରା ହୋଇଛନ୍ତି । ବନ୍ୟାର ଭୟଙ୍କର ଚିତ୍ର ବଖାଣିଛନ୍ତି ଭାପୁର ବ୍ଲକ କରବର ପଞ୍ଚାୟତ ହରିଜନ ସାହିର ବାସିନ୍ଦା ।

ସେମାନେ କହିଛନ୍ତି, "ପୂର୍ବରୁ ବନ୍ୟା ହୋଇଛି । କିନ୍ତୁ ଏଭଳି ହେବ ବୋଲି ଭାବିନଥିଲୁ । ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ସତର୍କ କିମ୍ବା ସୂଚନା ଦିଆଯାଇଥିଲା । ଯଦି ପୂର୍ବରୁ ଜାଣିଥାନ୍ତୁ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥାନ୍ତୁ ।" ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ନଦୀକୂଳିଆ ଅଞ୍ଚଳ ସମେତ ଆଖପାଖ ଅଞ୍ଚଳରରେ ମଧ୍ୟ ଜଳବନ୍ଦୀ ସମସ୍ୟା ଦେଖିବାକୁ ମିଳିଛି । ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଦଶପଲ୍ଲାଠାରୁ ବାଣୀଗୋଛା ମଧ୍ୟରେ ଥିବା ଏକ ପୋଲ ଭୁଷୁଡି ଯାଇଥିବା ସୂଚନା ମିଳିଛି । ଫଳରେ ବିପଦ ସଙ୍କୁଳ ଅବସ୍ଥାରେ ଲୋକମାନେ ଯାତାୟାତ କରୁଛନ୍ତି । ସେହିପରି ଗଣିଆ ଖଣ୍ଡପଡା ଏବଂ ଭାପୁର ବ୍ଳକର ୧୬ଟି ପଞ୍ଚାୟତର ୮୦ ଗାଁରେ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । ୩୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ସେପଟେ ୭୭୦୦ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବାବେଳେ, ୩୨୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.