ETV Bharat / state

ବେଉସା ବୁଡାଇଲା ବ୍ୟାରେଜ ! ମହାନଦୀରେ କମୁଛି ଜଳସ୍ତର, ଦାଦନ ମୁହାଁ ମତ୍ସ୍ୟଜୀବୀ

author img

By

Published : Jun 20, 2022, 4:54 PM IST

କମୁଛି ମହାନଦୀ ଜଳସ୍ତର : ଦାଦନ ମୁହାଁ ଚାଷୀ ଓ ମତ୍ସ୍ୟଜୀବୀ
କମୁଛି ମହାନଦୀ ଜଳସ୍ତର : ଦାଦନ ମୁହାଁ ଚାଷୀ ଓ ମତ୍ସ୍ୟଜୀବୀ

ଛତିଶଗଡ ସରକାର ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବା ଫଳରେ ଏହାର ପ୍ରଭାବ ମହାନଦୀ ଉପରେ ପଡିଛି । ଫଳରେ କୂଳ ବେଉସା ଛାଡି ଅନ୍ୟ କାମରେ ଏବେ ନିଜକୁ ନିୟୋଜିତ କରିଛନ୍ତି ଚାଷୀ । ଯେଉଁଠି ଦିନେ ଅକାତ କାତ ପାଣି ଲହଡି ମାରୁଥିଲା ଆଜି ସେଠି ଆଣ୍ଠୁଏ ପାଣି । ଦେଖନ୍ତୁ ଆମର ଏହି ରିପୋର୍ଟ ।

ନୟାଗଡ଼: କମୁଛି ମହାନଦୀ ଜଳସ୍ତର, ବଢୁଛି ଚାଷୀଙ୍କ ଦୁର୍ଦ୍ଦଶା । ମହାନଦୀକୁ ପ୍ରାଣକେନ୍ଦ୍ର କରି ଯେଉଁ ଚାଷୀ ଜୀବିକା କରିଥିଲା ଆଜି ସେ ଦାଦନ ମୁହାଁ ହୋଇଛି । ଛତିଶଗଡ ସରକାର ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବା ଫଳରେ ଏହାର ପ୍ରଭାବ ମହାନଦୀ ଉପରେ ପଡିଛି । ଓଡିଶାର ଜୀବନରେଖା କୁହାଯାଉଥିବା ମହାନଦୀ ଶୁଖି ଯିବାକୁ ବସିଥିବା ବେଳେ ହଜାର ହଜାର ଚାଷୀ ଏବଂ ମତ୍ସ୍ୟଜୀବୀ ଏବେ କୁଳ ବେଉସା ହରାଇ ଅନ୍ୟ କାମରେ ନିୟୋଜିତ ହୋଇଛନ୍ତି । ମହାନଦୀର ଅକାତକାତ ପାଣିକୁ ଉତ୍ସ କରି ନଦୀ କୂଳ ଅଞ୍ଚଳରେ ପନିପରିବା ଚାଷ ହେଉଥିଲା କିନ୍ତୁ ବର୍ତ୍ତମାନ ଜଳସ୍ତର ହ୍ରାସ ଯୋଗୁଁ ପାଣି ଆଣି ଚାଷ କରିବା ଏବେ ସମ୍ଭବ ହେଉନାହିଁ।

କମୁଛି ମହାନଦୀ ଜଳସ୍ତର


ସେହିପରି ଉପକୂଳବର୍ତ୍ତୀ ଗ୍ରାମଗୁଡିକରେ ଥିବା ମତ୍ସ୍ୟଜୀବୀମାନଙ୍କ ଜୀବିକା ଗଭୀର ଭାବେ ପ୍ରଭାବିତ ହୋଇଛି । ସେମାନେ ଦୈନିକ ମହାନଦୀରୁ ମାଛଧରି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ । ବର୍ତ୍ତମାନ ବେଉସା ଚାଲିଯିବା ପରେ ସେମାନଙ୍କ ପରିବାର ଆର୍ଥିକ ଅନଟନ ମଧ୍ୟରେ ଗତି କରୁଛନ୍ତି । ମାଛ ଧରା ଛାଡି ଦାଦନ ମୁହାଁ ହୋଇଛନ୍ତି । ଏହା ସହ ସ୍ଥାନୀୟ ମାଛ ବଜାରରେ ମହାନଦୀର ମାଛ ସ୍ବପ୍ନ ପାଲଟିଗଲାଣି ।

ଚିରସ୍ରୋତା ମହାନଦୀର ଯେଉଁ ସ୍ଥାନରେ ପାଣି କାତ ପାଉ ନଥିଲା ସେଠି ଏବେ ବାଲିର ପାହାଡ ସୃଷ୍ଟି ହୋଇଛି । ଏହାଛଡା ମହାନଦୀ ଅବବାହିକାରେ ଦ୍ରୁତ ଜଙ୍ଗଲ କ୍ଷୟ ଯୋଗୁ ନଦୀ ଗର୍ଭ କ୍ରମେ ପୋତି ହୋଇଯାଉଛି । ନୟାଗଡ଼ ଜିଲ୍ଲାର ସିଧାମୂଳା, ବଡବାଣପୁର, କଣ୍ଟିଲୋ, ପଦ୍ମାବତୀ, କରବର ଆଦି ପଞ୍ଚାୟତଗୁଡିକ ଗଭୀର ଭାବେ ପ୍ରଭାବିତ ହୋଇଛି । ମହାନଦୀ ଜଳକୁ ଆଧାର କରି ଗଢିଉଠିଥିବା ପାନୀୟ ଜଳ ସେଚନ ପ୍ରକଳ୍ପଗୁଡିକ ଏବେ ବନ୍ଦ ହୋଇପଡିଛି । ମେଗା ଜଳସେଚନ ପ୍ରକଳ୍ପ ଗୁଡିକ ସମ୍ପୂର୍ଣ୍ଣ ଅଚଳ ହୋଇପଡିବା ସହ ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଖତ ଖାଉଛି ।

କେବଳ ଏତିକି ନୁହେଁ ନୟାଗଡ଼ରେ ଥିବା ବିଭିନ୍ନ ସ୍ଥାନରେ କୋଟି କୋଟି ଟଙ୍କା ପାନୀୟ ଜଳ ପ୍ରକଳ୍ପ ଏବେ ଅଚଳ l ଫଳରେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦେଉଛି l ମହାନଦୀ ପାଣି ପାଇଁ ସତେ ଯେପରି ହାହାକାର ସୃଷ୍ଟି ହେଲାଣି l ତେବେ ମହାନଦୀ ପାନୀୟ ଜଳ ବଣ୍ଟନ ବିବାଦ କେବେ ସମାଧାନ ହେବ ଆଉ ଏହି ସମସ୍ୟା କେବେ ଦୂର ହେବ ତାହା ଏବେ କହିବା ମୁସ୍କିଲ l ଏପରି ଭାବେ ମହାନଦୀର ଜଳସ୍ତର କମିଲେ ଭବିଷ୍ୟତରେ ଏହା ସାଙ୍ଘାତିକ ରୂପ ନେବାର ଆଶଙ୍କା ରହିଛି l


ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.