ETV Bharat / state

ଆଜି 12 ଘଣ୍ଟିଆ ଭାରତ ବନ୍ଦ: ଜାଣନ୍ତୁ ଓଡିଶାରେ କେମିତି ରହିଛି ପ୍ରଭାବ...

author img

By

Published : Feb 26, 2021, 8:14 AM IST

Updated : Feb 26, 2021, 4:21 PM IST

ଭାରତ ବନ୍ଦର ପ୍ରଭାବ
ଭାରତ ବନ୍ଦର ପ୍ରଭାବ

16:09 February 26

ବୌଦ୍ଧରେ ଭାରତ ବନ୍ଦ ପ୍ରଭାବ ସାମାନ୍ୟ

ଭାରତ ବନ୍ଦ

ବୌଦ୍ଧ: ଜିଏସଟି ସରଳିକରଣ ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ସର୍ବଭାରତୀୟ ବନ୍ଦର ପ୍ରଭାବ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ପଡି ନଥିଲେ ମଧ୍ୟ ଦୋକାନ ବଜାର ବନ୍ଦ ରହିଛି ।

ସର୍ବଭାରତୀୟସ୍ତରରେ ବ୍ୟବସାୟୀ ମାନେ ଜିଏସଟି ଓ ଅନ୍ୟାନ୍ୟ ସମସ୍ୟା କୁନେଇ ବନ୍ଦ ଡାକରା ଦେଇଥିବା ବେଳେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ, ପୁରୁଣାକଟକ, ଚାରିଛକ ଭଳି ବ୍ୟବସାୟୀକ ପେଣ୍ଠସ୍ଥଳ ଗୁଡିକରେ ଦେଖିବାକୁ ମିଳିଥିଲା । କିନ୍ତୁ ବନ୍ଦକୁ ନେଇ ସେଭଳି କୌଣସି ସ୍ପଷ୍ଟ ସୂଚନା ନଥିବାରୁ ଗାଡି ମୋଟର, ସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ଓ ବ୍ୟାଙ୍କ ଖୋଲାଯାଉଥିଲା । କିନ୍ତୁ ପୁଣିଥରେ କିଛି ସିମୀତ ସଂଖ୍ୟାରେ ବ୍ୟବସାୟୀ ବ୍ୟାଙ୍କ ଓ ଦୋକାନ ପିକେଟିଂ କରି ବନ୍ଦ କରିଥିବାରୁ ଏନେଇ ଦ୍ବନ୍ଦ ଦେଖାଦେଇଥିବା ବୁଦ୍ଧିଜୀବୀ କହିଛନ୍ତି । ଜିଲ୍ଲାରେ ଗାଡିମୋଟର ଚଳାଚଳ ସମ୍ପୂର୍ଣ୍ଣ ସ୍ବାଭାବିକ ଥିବା ବେଳେ ବନ୍ଦ ସମ୍ପର୍କରେ କୌଣସି ସଠିକ ସୂଚନା ନଥିବାରୁ ସାଧାରଣ ଲୋକ ଦ୍ବନ୍ଦ ମଧ୍ୟରେ କେବଳ ଔପଚାରିକତା ଦୃଷ୍ଟିରୁ ବନ୍ଦକୁ ସମର୍ଥନ ଜଣାଇଥିଲେ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

15:54 February 26

ଭାରତ ବନ୍ଦରେ ସାମିଲ ହେଲା ଯାଜପୁର ବ୍ୟବସାୟୀ ସଂଘ

ଭାରତ ବନ୍ଦ

ଯାଜପୁର: ଜିଏସଟି ସରଳୀକରଣ ଓ ଦରଦାମ ବୃଦ୍ଧି  ଦାବିରେ ସର୍ବଭାରତୀୟ ବାଣିଜ୍ୟ ମହାସଂଘ ଡାକରାରେ ଯାଜପୁର ଜିଲ୍ଲା ବ୍ୟବସାୟ ସଂଘ ପକ୍ଷରୁ ଭାରତ ବନ୍ଦ ପାଳନ କରାଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାହାର ପ୍ରଭାବ ଦେଖିବାକୁ ମିଳିଛି।  

ବ୍ୟାସନଗର ବ୍ୟବସାୟୀ ସଂଘ ନେତୃତ୍ବରେ ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ ମାନେ ଯାଜପୁର ରୋଡ୍ ବାଇପାସ ଛକରେ ଏହାର ପ୍ରତିବାଦ କରିଥିଲେ। ତେବେ ଜିଏସଟିକୁ ସରଳୀକରଣ କରିବା ଓ ଗୋଟିଏ ଦେଶରେ ଗୋଟିଏ ଟ୍ୟାକ୍ସ ନିମନ୍ତେ ଦାବି କରିଛନ୍ତି। ବାରମ୍ବାର ବିଭିନ୍ନ ତାରିଖରେ ଟ୍ୟାକ୍ସ ପେମେଣ୍ଟ ଦ୍ଵାରା ଵ୍ୟଵସାୟିକ କ୍ଷତି ହେବା ସହ ବ୍ୟବସାୟୀ ମାନେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଯାହାକୁ ବିରୋଧ କରିଛି ବ୍ୟବସାୟ ସଂଘ । ଜିଲ୍ଲାର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଆଂଶିକ ବନ୍ଦ ରହିଛି । 

ଜିଲ୍ଲାରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଆଖି ଆଗରେ ରଖି ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୃତୟନ ରହିଛନ୍ତି। ତେବେ ମୋଟାମୋଟି ଭାବେ ଶାନ୍ତି ଶୃଙ୍ଖଳାର ସହ ବନ୍ଦ ପାଳନ କରାଯାଇଛି। ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଯାଜପୁର ବାଣିଜ୍ୟ କର ଯୁଗ୍ମ କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

15:52 February 26

ଭାରତ ବନ୍ଦକୁ କୋରାପୁଟ ଜିଲ୍ଲା ବ୍ୟବସାୟୀ ସଂଘର ସମର୍ଥନ

ଭାରତ ବନ୍ଦ

କୋରାପୁଟ: ଭାରତ ବନ୍ଦକୁ କୋରାପୁଟ ଜିଲ୍ଲା ବ୍ୟବସାୟୀ ସଂଘର ସମର୍ଥନ କରି ବନ୍ଦରରେ ସାମିଲ ହୋଇଛନ୍ତି । ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖାଯାଇଥିଲେ ମଧ୍ୟ ଜରୁରୀ ସେବା ସହ ଯାନବାହାନ ଚଳାଚଳ ଜାରୀ ରହିଛି ।

ଜିଏସଟି ସରଳି କରଣ ଦାବି ଓ ଇକମର୍ସ ପ୍ରତିବାଦରେ ସର୍ବଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ୧୨ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତ ବନ୍ଦର ପ୍ରଭାବ କୋରାପୁଟରେ ମଧ୍ୟ ଦେଖିବାକୁ ମିଳିଛି । କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ୟବସାୟୀ ସଂଘ ପକ୍ଷରୁ ବନ୍ଦକୁ ସମର୍ଥନ କରାଯାଇଛି । ଜରୁରୀ କାଳୀନ ସେବାକୁ ବାଦ ଦେଇ କୋରାପୁଟ ଜିଲ୍ଲାର ସମସ୍ତ ଛୋଟ ବଡ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ବନ୍ଦର ପ୍ରଭାବକୁ ଦେଖି ଜିଲ୍ଳାର ବିଭିନ୍ନ ସହରରେ ପୋଲିସ ମୃତୟନ ହୋଇଥିବା ବେଳେ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲାରହିଛି । ରାସ୍ତାଘାଟରେ ଯାନବାହନର ଚଳାଚଳ କିଛିମାତ୍ରାରେ ପ୍ରଭାବିତ ହୋଇଥିଲେ ମଧ୍ୟ ସମ୍ପୂର୍ଣରୂପେ ବନ୍ଦ ହୋଇନାହିଁ ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

15:26 February 26

ଢେଙ୍କାନାଳରେ ଭାରତ ବନ୍ଦର ପ୍ରଭାବ

ଢେଙ୍କାନାଳରେ ଭାରତ ବନ୍ଦର ପ୍ରଭାବ

ଢେଙ୍କାନାଳ: ସର୍ବଭାରତୀୟ ବ୍ୟବସାୟୀ ସଂଘ ଡ଼ାକରାରେ ୧୨ଘଣ୍ଟିଆ ଭାରତ ବନ୍ଦ ଢେଙ୍କାନାଳ ପ୍ରଭାବିତ । ବାଣିଜ୍ୟ ସଂଗଠନ ପକ୍ଷରୁ ସହରରେ ପିକେଟିଂ ଜାରି । ଦୋକାନ ବଜାର ବନ୍ଦ । ସେପଟେ ସରକାରୀ ଅଫିସ ଖୋଲା ହୋଇଥିବାବେଳେ ଗାଡ଼ି ଚଳାଚଳ ସ୍ବାଭାବିକ ରହିଛି ।

ଜିଏସଟି ସରଳି କରଣ ଦାବି ଓ ଇକମର୍ସ ପ୍ରତିବାଦରେ ସର୍ବଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ୧୨ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଢେଙ୍କାନାଳ ଜିଲ୍ଲା ବାଣିଜ୍ୟ ସଂଗଠନ ପକ୍ଷରୁ ଏହାକୁ ସମର୍ଥନ କରି  ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି । ତେବେ ଢେଙ୍କାନାଳରେ  ସ୍ଥାନୀୟ ଘରୋଇ ବସ ସବୁ ବସ ଷ୍ଟାଣ୍ଡରେ ଛିଡା କରିଦେଇଥିବା ବେଳେ ସେପଟେ ରେଳ ଚଳାଚଳ ହେଉ ବା ଢେଙ୍କାନାଳ ଦେଇ ଯାଇଥିବା କଟକ ସମ୍ବଲପୁର ମୁଖ୍ୟ ରାସ୍ତା 55 ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ସ୍ବାଭାବିକ ଥିବା ପରିଲକ୍ଷିତ ହୋଇଛି । ଢେଙ୍କାନାଳରେ ସ୍କୁଲ କଲେଜ ଓ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ଖୋଲାଥିବା ଦେଖାଯାଇଛି । ବାଣିଜ୍ୟ ସଂଗଠନ ପକ୍ଷରୁ ଦଳ ଦଳ ହୋଇ ବଜାରରେ ପିକେଟିଂ କରୁଥିବା ଦେଖାଯାଇଛି । ଭାରତ ବନ୍ଦରେ ଢେଙ୍କାନାଳରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲେ ମଧ୍ୟ ସାଧାରଣ ଯାତାୟାତ ରେ କିଛି ବ୍ୟାଘାତ ଘଟିନଥିବା ଦେଖାଯାଇଛି । ତେବେ ସରକାର ତୁରନ୍ତ ଜିଏସଟି ସରଳିକରଣ କରି ଛୋଟ ମୋଟ ବ୍ୟବସାୟୀ ମାନଙ୍କୁ ବ୍ୟବସାୟର ସୁଯୋଗ ନଦେଲେ ଆଗାମୀ ସମୟରେ ଆହୁରି ଆନ୍ଦୋଳନ କରାଯିବ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

15:13 February 26

ଆଜି ଭାରତ ବନ୍ଦ,ସ୍ବାଭାବିକ ଚାଲିବ ଗାଡିମଟର ବସ

ଆଜି ଭାରତ ବନ୍ଦ,ସ୍ବାଭାବିକ ଚାଲିବ ଗାଡିମଟର ବସ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଜିଏସ୍‌ଟି ଓ ବ୍ୟବସାୟ ନୀତି ଉପରେ ଅସନ୍ତୋଷ ପ୍ରକାଶ କରି ଆଜି ଭାରତ ବନ୍ଦ ଡାକରା ଦେଇଛି ସର୍ବଭାରତୀୟ ବ୍ୟବସାୟୀ ସଂଘ । ଏଥିରେ ଦେଶର ପ୍ରାୟ ୮ କୋଟି ବ୍ୟବସାୟୀ ସାମିଲ୍ ହୋଇଥିବାବେଳେ ଓଡ଼ିଶାର ୨୦ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ଏହାକୁ ସମର୍ଥନ କରି ବନ୍ଦରେ ସାମିଲ ହୋଇଛନ୍ତି । 

ତେବେ ଏହି ଆନ୍ଦୋଳନ ବେଳେ ଗମନାଗମନ ପ୍ରଭାବିତ ହେବନାହିଁ ବୋଲି  ସଂଘ ପକ୍ଷରୁ ଡକରା ଦିଆଯାଇଥିବା ବେଳେ ଗାଡିମଟର,ବସ ସେବା ସ୍ବାଭାବିକ ଭାବେ ଚାଲିଛି । ଶାନ୍ତିପୂର୍ଣ୍ଣ ବନ୍ଦ ସହ ଦୋକାନ ବଜାର ଓ ପେଟ୍ରୋଲ ପମ୍ପ ବନ୍ଦ ରହିଥିବା ବେଳେ ରାସ୍ତାରେ ଲୋକମାନେ ଯିବା ଆସିବା କରୁଛନ୍ତି। ସେହିଭଳି ବାରମ୍ବାର କେନ୍ଦ୍ର ସରକାର ଜିଏସ୍‌ଟି ପରିବର୍ତ୍ତନ କରୁଛନ୍ତି, ଯାହା ଦ୍ବାରା ଜିଏସ୍‌ଟି ବ୍ୟବସାୟୀ ବିରୋଧୀ ଆଇନ୍‌ରେ ପରିଣତ ହୋଇଛି । ଏହା ସହ ଏଭଳି ଆଇନ୍ ଯୋଗୁଁ ବ୍ୟବସାୟୀଙ୍କୁ ଦୁଇଥର ଜିଏସ୍‌ଟି ଦେବାକୁ ପଡୁଛି । ଏହା ବ୍ୟତୀତ ଅନ୍‌ଲାଇନ୍ ବ୍ୟବସାୟ ପାଇଁ ମଧ୍ୟ ସରକାର କୌଣସି ନିର୍ଦ୍ଦିଷ୍ଟ ଆଇନ୍ ପ୍ରଣୟନ କରିନାହାନ୍ତି । ଫଳରେ ଅନ୍‌ଲାଇନ ବ୍ୟବସାୟ ପାଇଁ ଅଫ୍‌ଲାଇନ୍ ବ୍ୟବସାୟୀମାନେ କ୍ଷତି ସହୁଛନ୍ତି ବୋଲି ବ୍ୟବସାୟୀ କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

14:19 February 26

ବଲାଙ୍ଗୀରରେ ଦୋକାନ ବଜାର ବନ୍ଦ

ବଲାଙ୍ଗିରରେ ବନ୍ଦ ଦୋକାନ ବଜାର

ବଲାଙ୍ଗୀର: ଆଜି ଭାରତ ବନ୍ଦ ଡାକରାରେ ବନ୍ଦ ରହିଛି ବାଲାଙ୍ଗିର ବଜାର । ଜିଏସଟିକୁ ନେଇ ବ୍ୟବସାୟିକ ସଂଘମାନେ ଭାରତ ବନ୍ଦ ଡାକରାରେ ଜିଲ୍ଲାର ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।

ଜିଏସଟି ସରଳିକରଣ ଦାବି, ବର୍ଦ୍ଧିତ ତୈଳ ଦର ଓ ଇ ୱେ ବିଲ ବିରୋଧରେ ଆଜି ଭାରତର ମିଳିତ ଟ୍ରେଡ ଭାରତ ବନ୍ଦ ଡାକରା ଦେଇଛନ୍ତି। ଯେଉଁଥିରେ ବଲାଙ୍ଗିର ବଣିକ ସଂଘ ମଧ୍ୟ ସାମିଲ ହୋଇ ଏହି ବନ୍ଦକୁ ସମ୍ପୂର୍ଣ୍ଣ ସମର୍ଥନ ଦେଇଛି।

ଆଜି ସକାଳୁ 6 ଟାରୁ ବ୍ୟବସାୟିକ ସଂଘର କର୍ମକର୍ତ୍ତାମାନେ ଏହି ବନ୍ଦ କରାଇଛନ୍ତି । ସେପଟେ ଏହି ବନ୍ଦରେ ଯେପରି ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ନ ହେବ ତା ପାଇଁ  ଗାଡି ଚଳାଚଳ ସ୍କୁଲ କଲେଜ ସରକାରୀ ପ୍ରତିଷ୍ଠାନ ଓ ବ୍ୟାଙ୍କ ଇତ୍ୟାଦି ଖୋଲା ରହିଛି। ସେପଟେ ସୁରକ୍ଷାକୁ ଦୃଷ୍ଟିରୁ ସବୁଠି ପୋଲିସର କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। 

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

14:06 February 26

ବ୍ରହ୍ମପୁରରେ ବନ୍ଦ ବଜାର

ବ୍ରହ୍ମପୁରରେ ବନ୍ଦ ବଜାର

ବ୍ରହ୍ମପୁର: ଜିଏସଟି ସରଳିକରଣ ଦାବି ନେଇ ବ୍ୟବସାୟୀଙ୍କ ଭାରତ ବନ୍ଦ ଡାକରାର ପ୍ରଭାବ ରେଶମ ସହର ବ୍ରହ୍ମପୁରରେ ଦେଖିବାକୁ ମିଳିଛି । ଏହାକୁ ନେଇ ଗଞ୍ଜାମ ଚାମ୍ବର ଅଫ୍ କମର୍ସ  ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ପରେ ମୋଟର ସାଇକେଲ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଛି । ସେପଟେ ଏହାକୁ ସମର୍ଥନ ଜଣାଇ ଦୋକାନ ବଜାର ବନ୍ଦ ରହିଥିବା ଦେଖାଯାଇଛି ।

ଧାର୍ଯ୍ୟ ହୋଇଥିବା ତାରିଖ ଅନୁସାରେ ଆଜି ରାଜ୍ୟରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଗଞ୍ଜାମ ଚାମ୍ବର ଅଫ୍ କମର୍ସର କର୍ମକର୍ତ୍ତାଙ୍କ ସହିତ ବିଭିନ୍ନ ବ୍ୟବସାୟୀମାନେ ଏଥିରେ ସାମିଲ ହୋଇ ଏହି ଦାବିକୁ ଗୁରୁତ୍ବ ଦେବା ପାଇଁ ଦାବି କରି ସହରର ଗଣେଷ ମାର୍କେଟ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ମୋଟର ସାଇକେଲ ଶୋଭାଯାତ୍ରାରେ ସହର ପରିକ୍ରମା କରିଛନ୍ତି । ସେପଟେ ଏହାକୁ ସମର୍ଥନ ଜଣାଇ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି । ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ବ୍ୟବସାୟ ସଙ୍ଘର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

13:54 February 26

ଖାଁ ଖାଁ ରାଜଧାନୀ ବଜାର

ଖାଁ ଖାଁ ରାଜଧାନୀ ବଜାର

ଭୁବନେଶ୍ବର: ଖାଁ ଖାଁ ରାଜଧାନୀ ବଜାର । ସର୍ବ ଭାରତୀୟ ସ୍ତରୀୟ ବ୍ୟବସାୟୀ ସଂଘ ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରାରେ ଭୁବନେଶ୍ବରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ବ୍ରିଟ କଲୋନୀ, ବିଜେବି ନଗର,ବଡଗଡ଼, କଳ୍ପନା ଛକରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଏହି ସହିତ ରାଜଧାନୀର କିଛି ଛକରେ ସେପରି ପ୍ରଭାବ ଦେଖିବାକୁ ମିଳିନାହିଁ ।

ତେବେ ରାଜ୍ୟରେ ପ୍ରାୟ ୪୦,୦୦୦ ବ୍ୟବସାୟିକ ପ୍ରତିଷ୍ଠାନ ଏ ବନ୍ଦରେ ସାମିଲ ହୋଇଛନ୍ତି। ଜିଏସଟି ସରଳିକରଣ ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସର୍ବଭାରତୀୟ ବ୍ୟବସାୟିକ ମହାସଂଘ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

13:43 February 26

ଭୁବନେଶ୍ବରରେ ବନ୍ଦର ପ୍ରଭାବ

ଭୁବନେଶ୍ବରରେ ବନ୍ଦର ପ୍ରଭାବ

ଭୁବନେଶ୍ବର: ରାଜଧାନୀରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଜିଏସଟି ପ୍ରକ୍ରିୟାରେ ସରଳୀକରଣ, ଇ ଓ୍ବେ ବିଲ ପ୍ରକ୍ରିୟାରେ ସରଳୀକରଣ, ଲାଇସେନ୍ସ ପ୍ରକ୍ରିୟାରେ ଏକାକୀକରଣ , ଜିଏସଟି କ୍ଷେତ୍ରରେ ସମସ୍ୟା ନେଇ ବ୍ୟବସାୟୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦାବି ନେଇ ଭାରତ ବନ୍ଦ ଡାକରା ଦେଇଛନ୍ତି।

କେବଳ ବ୍ୟବସାୟିକ ପ୍ରତିଷ୍ଠାନ ଦୋକାନ ବଜାର ବନ୍ଦ ସହ ପେଟ୍ରୋଲ ଟାଙ୍କି ବନ୍ଦ ରହିଛି। ବାକି ପରିବହନ ସେବା ଚାଲୁ ରହିଛି । ସରକାରୀ ଅଫିସ ଖୋଲା ଥିବାବେଳେ ଶାନ୍ତିପୁର୍ଣ୍ଣ ଭାବେ ବନ୍ଦକୁ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

13:30 February 26

ଭଦ୍ରକରେ ବନ୍ଦ ପ୍ରଭାବ

ଭଦ୍ରକରେ ବନ୍ଦ ପ୍ରଭାବ

ଭଦ୍ରକ: ସାମଗ୍ରୀ ଓ ସେବା ଟିକସ ଜିଏସଟିର ବିଭିନ୍ନ ବ୍ୟବସ୍ଥା, ଜିଏସଟିର ସଂଶୋଧିତ ନିୟମକୁ ବିରୋଧ କରି ଆଇନ ପ୍ରତ୍ୟାହାର ଦାବିରେ ସର୍ବଭାରତୀୟ ବ୍ୟବସାୟିକ ମହାସଂଘ ଭାରତ ବନ୍ଦ ଡାକରା ଦେଇଛି । ଏହାର ପ୍ରଭାବ ଭଦ୍ରକରେ ଦେଖିବାକୁ ମିଳିଛି । ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି।

କେବଳ ବ୍ୟବସାହିକ ପ୍ରତିଷ୍ଠାନ ଛାଡିଦେଲେ ଅତ୍ୟାବଶକ ସେବା, ପନିପରିବା ଦୋକାନ ବଜାର ଖୋଲା ରହିଛି। ବସ ଚଳାଚଳ ଜାରି ରହିଛି । ଆଇନକୁ ପ୍ରତ୍ୟାହାର ଦାବି କରିବା ପାଇଁ ଏହି ଭାରତ ବନ୍ଦ ଡାକରା ଦିଆଯାଇଛି। ମୋଟାମୋଟି ଏହି ଭାରତ ବନ୍ଦ ଡାକରାର ଆଂଶିକ ପ୍ରଭାବ ଭଦ୍ରକରେ ଦେଖିବାକୁ ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

13:15 February 26

କଟକରେ ବନ୍ଦ ପ୍ରଭାବ

କଟକରେ ବନ୍ଦ ପ୍ରଭାବ

କଟକ: 12 ଘଣ୍ଟା ପାଇଁ ବନ୍ଦ ହେଲା ମାଲଗୋଦାମ । ଜିଏସଟି ସରଳିକରଣ  ଓ ଅନ୍ୟାନ୍ୟ ଦାବିରେ ଆଜି କଟକର ମାଲଗୋଦାମ ସମେତ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଆଜି ଦିନ ସକାଳ 6 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଆଜି ବନ୍ଦ ଡାକରା ଦେଇଛି ସଙ୍ଘ।  ସର୍ବ ଭାରତୀୟ ବ୍ୟବସାୟୀ ମହାସଙ୍ଗର ଡାକରା ପରେ କଟକରେ ମଧ୍ୟ ସମାନ ଭାବରେ ବନ୍ଦ ଡ଼କାରା ଦେଇଛି ବ୍ୟବସାୟୀ ସଙ୍ଘ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

13:03 February 26

ଜଗତସିଂହପୁରରେ ଭାରତ ବନ୍ଦର ପ୍ରଭାବ

ଜଗତସିଂହପୁରରେ ଭାରତ ବନ୍ଦର ପ୍ରଭାବ

ଜଗତସିଂହପୁର: ଜିଲ୍ଲାରେ ଦ୍ରଵ୍ୟ ଓ ସେବା କରରେ ବାରମ୍ବାର ପରିବର୍ତ୍ତନକୁ ବିରୋଧ କରି ସର୍ଵ ଭାରତୀୟ ବେବସାୟ ସଂଗଠନର ବନ୍ଦ ଡାକରା ପ୍ରତିଫଳିତ ହୋଇଛି । ଜଗତସିଂହପୁର ଓ ପାରାଦୀପ ସହରରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଆଜି ବନ୍ଦ ରହିଛି। କେନ୍ଦ୍ର ସରକାରଙ୍କ ଜିଏସଟି ସରଳୀକରଣ କରିବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି।

କେନ୍ଦ୍ର ସରକାର ଜିଏସଟି ପରିଷଦ ଲାଭ ନିୟମ ପରିବର୍ତ୍ତନ କରି ଚାଲିଛନ୍ତି। ଜିଏସଟି ଆସିବାର ଚାରିବର୍ଷ ଭିତରେ ସରକାର ଏହି ନିଅମକୁ 937 ଥର ବଦଳାଇ ସାରିଲେଣି । ଫଳରେ ଏହାର ଢାଞ୍ଚା ବଦଳି ଗଲାଣି । ଏହାକୁ ବିରୋଧ କରି ବ୍ୟବସାୟୀମାନେ ଆଜି ବନ୍ଦ ଡାକରା ଦେଇଛନ୍ତି। ଏହାର ପ୍ରଭାବ ଜଗତସିଂହପୁର ଓ ପାରାଦୀପରେ ପଡିଥିବା ଦେଖିବାକୁ ମିଳିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

12:56 February 26

କଳାହାଣ୍ଡିରେ ବନ୍ଦ ପ୍ରଭାବ

କଳାହାଣ୍ଡିରେ ବନ୍ଦ ପ୍ରଭାବ

ଭବାନୀପାଟଣା: କଳାହାଣ୍ତିରେ ଭାରତ ବନ୍ଦକୁ ସମର୍ଥନ।ସାରା ଭାରତ ବର୍ଷରେ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଥିବା ବେଳେ ଏହାର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି।

୧୨ ଘଣ୍ଟିଆ ବନ୍ଦ ଡ଼ାକରାକୁ ଜିଲ୍ଲା ବଣିକ ସଙ୍ଘ ସମର୍ଥନ ଜଣାଇ ଦୋକାନ ବଜାର ବନ୍ଦ ରଖିଥିବା ବସ ଚଳାଚଳ ମଧ୍ୟ ବନ୍ଦ ରହିଛି। ଏହି ବନ୍ଦରେ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି। ଜିଏସଟି ନିୟମକୁ ସରଳୀକରଣ କରିବା ସହ ନୂଆ ଜିଏସଟି ନିୟମକୁ ଉଚ୍ଛେଦ କରିବା ପାଇଁ ଦାବି ହୋଇଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ  

12:37 February 26

ପୁରୀରେ ବନ୍ଦ ପ୍ରଭାବ

ପୁରୀରେ ବନ୍ଦ ପ୍ରଭାବ

ପୁରୀ: ଜିଲ୍ଲାରେ ଭାରତ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି । ସହରରେ ଦୋକାନ ବଜାର ବନ୍ଦ ରହିଛି। ଅତ୍ୟାବଶ୍ୟକ ସେବା ଛାଡି ସବୁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି । ଆଜି ପୁରୀ ବ୍ୟବସାୟୀ ସଂଘ ଶ୍ରୀମନ୍ଦିର ସିଂହ ଦ୍ବାର ସାମ୍ନାରେ ଏକାଠି ହୋଇ ଜିଏସଟି ସରଳୀକରଣ ଦାବି ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି ।

ତୁରନ୍ତ କେନ୍ଦ୍ର ସରକାର ଦାବି ପୂରଣ ନ କଲେ ଅଗାମୀ ଦିନରେ ଆହୁରି ଆନ୍ଦୋଳନ ଜୋରଦାର ହେବ ବୋଲି ପୁରୀ ଟ୍ରେଡ଼ର ଆସୋସିଏସନ ଚେତାବନୀ ଦେଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

12:03 February 26

ସମ୍ବଲପୁରରେ ବନ୍ଦ ପ୍ରଭାବ

ସମ୍ବଲପୁରରେ ବନ୍ଦ ପ୍ରଭାବ

ସମ୍ବଲପୁର: ଜିଏସଟି ସରଳୀକରଣ ଦାବି ନେଇ ଆଜି ବ୍ୟବସାୟୀ ସଙ୍ଘ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ସମ୍ବଲପୁରରେ ମଧ୍ୟ ଦେଖିବାକୁ ମିଳିଛି। ବନ୍ଦ ପ୍ରଭାବରେ ଆଜି ସମ୍ବଲପୁରରେ ବ୍ୟବସାୟିକ ପ୍ରତିଷ୍ଠାନ ସହ ଦୋକାନ ବଜାର ବନ୍ଦ ରହିଛି।

ବ୍ୟବସାୟୀ ସଂଘ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାରେ ଆଜି ସମ୍ବଲପୁରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିଛି । ତେବେ ସରକାରୀ ଅଫିସ,ସ୍କୁଲ କଲେଜ ସବୁ ଖୋଲା ରହିଛି । ଜିଏସଟି ପାଇଁ ହୋଇଥିବା ଏହି ବନ୍ଦକୁ ଅଖିଳ ଭାରତୀୟ ଟ୍ରକ ମାଲିକ ସଙ୍ଘ ସମର୍ଥନ କରିଛି। ତେବେ ସମ୍ବଲପୁରରେ ବସ ଚଳାଚଳକୁ ଏହି ବନ୍ଦରୁ ବାଦ ଦିଆ ଯାଇଥିଲେ ମଧ୍ୟ ସମ୍ବଲପୁରରେ ବେସରକାରୀ ବସ  ସେବା ବନ୍ଦ ରହିଛି। ସକାଳ 6 ରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଏହି ବନ୍ଦ ବଳବତ୍ତର ରହିବ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

11:52 February 26

ବାଲେଶ୍ବରରେ ବନ୍ଦ ପ୍ରଭାବ

ବାଲେଶ୍ବରରେ ବନ୍ଦ ପ୍ରଭାବ

ବାଲେଶ୍ଵର: ଜିଲ୍ଲାରେ ଭାରତ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ବ୍ୟବସାୟିକ ସଂଗଠନ ପକ୍ଷରୁ କିଛିଦିନ ପୂର୍ବରୁ ମାଇକ ପ୍ରଚାର ସହ ସୋସିଆଲ ମିଡିଆ ଜରିଆରେ ବନ୍ଦ ସଫଳ କରିବାକୁ ଆହ୍ବାନ ଦିଆଯାଇଥିଲା। ବ୍ୟବସାୟିକ ସଂଗଠନ ପକ୍ଷରୁ ସଦସ୍ୟମାନେ ବାଇକ ରାଲି କରି ଦୋକାନ ବଜାର ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ।

ଜିଏସଟି ସରଳୀକରଣ କରିବା ଦାବିରେ ହୋଇଥିବା ଭାରତ ବନ୍ଦ ପ୍ରଭାବରେ ବାଲେଶ୍ଵର ସହର ନୂଆବଜାର, ମୋତିଗଞ୍ଜ, ଫାଣ୍ଡିଛକ ଭଳି ଜନବହୁଳ ବଜାର ବନ୍ଦ ଥିବା ଦେଖିବାକୁ ମିଳିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

11:37 February 26

ନବରଙ୍ଗପୁରରେ ଭାରତ ବନ୍ଦର ପ୍ରଭାବ

ନବରଙ୍ଗପୁରରେ ଭାରତ ବନ୍ଦର ପ୍ରଭାବ

ନବରଙ୍ଗପୁର: ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଟ୍ରେଡ଼ ୟୁନିୟନ ପକ୍ଷରୁ ଡକାଯାଇଥିବା ଏହି ବନ୍ଦ ଫଳରେ ସକାଳୁ ଜିଲ୍ଲାର ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡି, ମଟର ଚାଲୁ ରହିଛି।

ଟ୍ରେଡ଼ ୟୁନିୟନ କର୍ମଚାରୀ ମାନେ ବନ୍ଦକୁ ସଫଳ କରିବା ପାଇଁ ଦୋକାନୀମାନଙ୍କୁ ଦୋକାନ ବନ୍ଦ ରଖିବାକୁ କହିଛନ୍ତି। ଏହି ଭାରତ ବନ୍ଦ ଫଳରେ ଜିଲ୍ଲାର ସାଧାରଣ ଜୀବନ ଯାପନ ଉପରେ ପ୍ରଭାବ ପଡିବା ଦେଖିବାକୁ ମିଳିଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

11:27 February 26

କେନ୍ଦୁଝରରେ ଭାରତ ବନ୍ଦର ପ୍ରଭାବ

କେନ୍ଦୁଝରରେ ଭାରତ ବନ୍ଦର ପ୍ରଭାବ

କେନ୍ଦୁଝର: ଜିଏସଟି ସରଳୀକରଣ ସହ ଦରଦାମ ବୃଦ୍ଧି ଦାବିରେ ଆଜି କେନ୍ଦୁଝର ବନ୍ଦ ରହିଛି ସମସ୍ତ ଦୋକାନ ବଜାର । କେନ୍ଦୁଝର ଜିଲ୍ଲାର ବ୍ୟବସାୟ ସଙ୍ଘ ଜିଲ୍ଲାପାଳଙ୍କ  କାର୍ଯ୍ୟଳୟ ଆଗରେ ବ୍ୟାନର ମାରି ଏହାର ପ୍ରତିବାଦ କରିଛନ୍ତି ।

ଜିଏସଟିକୁ ସରଳୀକରଣ ଓ ଗୋଟିଏ ଦେଶ ଗୋଟିଏ ଟ୍ୟାକ୍ସ ସହ ମାସର ଗୋଟିଏ ଦିନ ଟ୍ୟାକ୍ସ ପେମଣ୍ଟ ଦାବି କରିଛନ୍ତି। ବାରମ୍ବାର ବିଭିନ୍ନ ତାରିଖରେ ଟ୍ୟାକ୍ସ ପେମଣ୍ଟ ଦ୍ବାରା ବ୍ୟବସାୟୀ କ୍ଷତି ସହୁଛନ୍ତି । ଯାହାକୁ ବିରୋଧ କରିଛନ୍ତି ବ୍ୟବସାୟ ସଙ୍ଘ ।

ଯାହାର ପ୍ରଭାବ କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି। ଜିଲ୍ଲାର ସମସ୍ତ ଦୋକାନ ବଜାର ବନ୍ଦ ରହିବ ସହ ବସ ଚଳା ଚାଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏହି ବନ୍ଦକୁ ଆଖି ଆଗରେ ରଖି  ବିଭିନ୍ନ ଛକମାନଙ୍କରେ ପୋଲିସ ମୁତୟନ ହୋଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

11:16 February 26

ଖୋର୍ଦ୍ଧାରେ ଭାରତ ବନ୍ଦର ପ୍ରଭାବ

ଖୋର୍ଦ୍ଧାରେ ଭାରତ ବନ୍ଦର ପ୍ରଭାବ

ଖୋର୍ଦ୍ଧା : ଦ୍ରବ୍ୟ ଓ ସେବା କରରେ ବାରମ୍ବାର ପରିବର୍ତ୍ତନକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟ ସଂଗଠନ ଆଜି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭାରତ ବନ୍ଦ ଡାକରା ଦେଇଛି। ଏହି ବନ୍ଦକୁ ସର୍ବଭାରତୀୟ ବ୍ୟବସାୟୀ ସଂଗଠନ ଓଡ଼ିଶା ଶାଖା ପକ୍ଷରୁ ସମର୍ଥନ ଦିଆଯାଇଛି।ଏହି ବନ୍ଦର ପ୍ରଭାବ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି । ବନ୍ଦର ପ୍ରଭାବରେ ଖୋର୍ଦ୍ଧା ,ବେଗୁନିଆ, ଜଟଣୀ, ବାଲୁଗାଁ,ଟାଙ୍ଗି ଆଦି ଅଞ୍ଚଳର ବ୍ୟବସାୟୀମାନେ ନିଜ ନିଜି ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ ରଖିଥିବା ଦେଖାଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

11:15 February 26

ବରଗଡରେ ଭାରତ ବନ୍ଦକୁ ସର୍ମଥନ

ବରଗଡରେ ଭାରତ ବନ୍ଦକୁ ସର୍ମଥନ

ବରଗଡ: ସାରା ଭାରତ ବର୍ଷରେ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଥିବା ବେଳେ ଏହାର ପ୍ରଭାବ ବରଗଡ ଜିଲ୍ଲାରେ ଦେଖିବାକୁ ମିଳିଛି । ୧୨ ଘଣ୍ଟିଆ ବନ୍ଦ ଡାକରାକୁ ଚାମ୍ବର ଅଫ କମର୍ଷ ଏସୋସିଏସନ ଏବଂ ବରଗଡ ବ୍ୟବସାୟୀକ ସଂଘ ବନ୍ଦକୁ ସମର୍ଥନ ଜଣାଇ ଦୋକାନ ବଜାର ବନ୍ଦ ରଖିଛନ୍ତି ।

କେବଳେ ସରକାରୀ କାର୍ଯ୍ୟାଳୟ ଏବଂ ଗମନା ଗମନ ବାଧାପ୍ରାପ୍ତ ହୋଇନାହିଁ । ଜିଏସଟି ନିୟମକୁ ସରଳୀକରଣ କରିବା ସହ ନୂଆ ଜିଏସଟି ନିୟମକୁ ଉଚ୍ଛେଦ ନ କଲେ ଆଗାମୀ ଦିନରେ ରାସ୍ତା ଅବରୋଧ କରିବା ସହ ବିରାଟ ଧରଣରେ ଆନ୍ଦୋଳନ କରିବେ ବୋଲି ଚାମ୍ବର ଅଫ କମର୍ଷ ଏସୋସିଏସନ ତରଫରୁ ଚେତାବନୀ ଦେଇଛନ୍ତି ।

ବରଗଡରୁ ରାଜେଶ ସରାଫ, ଇଟିଭି ଭାରତ

11:14 February 26

ସୁବର୍ଣ୍ଣପୁରରେ ଭାରତ ବନ୍ଦର ପ୍ରଭାବ

ସୁବର୍ଣ୍ଣପୁର: ଜିଲ୍ଲାରେ ପଡିଛି ଭାରତ ବନ୍ଦର ପ୍ରଭାବ । ସକାଳ 10ଟା 30 ମିନିଟ ପରେ ସହରରେ ସମ୍ପୂର୍ଣ୍ଣ ବନ୍ଦ ପାଳନ କରାଯାଇଛି। ଜିଲ୍ଲା ବଣିକ ସଂଘ ପକ୍ଷରୁ ଦିଆଯାଇଥିବା ଆଜିର ବନ୍ଦ ଡ଼ାକରାରେ ସକାଳ 6ଟାରୁ ସହରର ଦୋକାନ ବଜ଼ାର ,ବ୍ୟବସାୟିକ ପ୍ରତିଷ୍ଠାନ ଆଦି ବନ୍ଦ ରହିଛି ।

ତେବେ ଜିଲ୍ଲା ବଣିକ ସଂଘର ସଭ୍ୟମାନେ ସକାଳୁ ସକାଳୁ ସହରର ସବୁ ପ୍ରବେଶ ପଥକୁ ଅବରୋଧ କରିବା ଫଳରେ ଗାଡ଼ି ମୋଟର ଚଳାଚଳ ବି ବନ୍ଦ ରହିଛି । ଜିଲ୍ଲା ବଣିକ ସଂଘର ସଭ୍ୟମାନେ 10 ଟା 30 ପୂର୍ବରୁ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଆଦି ଆଗରେ ପିକେଟିଂ କରି ବନ୍ଦ କରି ଦେଇଛନ୍ତି। ଜିଏସଟି ସରଳୀକରଣ ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ଅପ୍ରୀତିକର ପରିସ୍ଥିତିକୁ ଏଡେଇବା ପାଇଁ ସହରର ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡିକରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

10:33 February 26

ଅନୁଗୋଳରେ ଭାରତ ବନ୍ଦର ପ୍ରଭାବ

ଅନୁଗୋଳରେ ଭାରତ ବନ୍ଦର ପ୍ରଭାବ

ଅନୁଗୋଳ: ଜିଲ୍ଲାରେ ଭାରତ ବ୍ୟବସାୟ ବନ୍ଦର ପ୍ରଭାବ। ପୁରା ବ୍ୟବସାୟୀ ଏକ ଜୁଟ। ଅନୁଗୋଳ ସହର ସମେତ ଜିଲ୍ଲାର ବାକି ସବୁ ସହରର ବ୍ୟବସାୟୀ ବନ୍ଦକୁ ସମର୍ଥନ କରିଛନ୍ତି ।

ଜିଏସଟି ସରଳୀକରଣ ଦାବିରେ ସର୍ବ ଭାରତୀୟ କ୍ୟାଟ ସଙ୍ଘ ଦେଇଥିବା ଭାରତ ବନ୍ଦ ଡାକରର ପ୍ରଭାବ ଅନୁଗୋଳରେ ଦେଖିବାକୁ ମିଳିଛି। ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଗାଡି ଚଳାଚଳ ମଧ୍ୟ ବନ୍ଦ ଥିବା ଦେଖିବାକୁ ମିଳିଛି। କ୍ୟାଟ ଅନୁଗୋଳ ଜିଲା ଶାଖାର ସଭାପତି ଆର.କେ.ଶୁକ୍ଳା ଓ ଅଧ୍ୟକ୍ଷ ଜିତେନ୍ଦ୍ର ଗୁପ୍ତାଙ୍କ ନେତୃତ୍ବରେ ବହୁ ସଂଖ୍ୟାରେ ବ୍ୟବସାୟୀ ଗାନ୍ଧିମାର୍ଗ ଠାରୁ ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

07:41 February 26

ନୟାଗଡ଼ରେ ଭାରତ ବନ୍ଦର ପ୍ରଭାବ

ନୟାଗଡ଼ରେ ଭାରତ ବନ୍ଦର ପ୍ରଭାବ

ନୟାଗଡ: ଆଜି ବ୍ୟବସାୟୀ ସଂଘ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ନୟାଗଡରେ ସକାଳୁ ସକାଳୁ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାରେ ସକାଳୁ ଦୋକାନ ବଜାର ବନ୍ଦ ହୋଇଥିବା ଦେଖିବାକୁ ମିଳିଛି । ବ୍ୟବସାୟୀମାନେ ବଜାର ବନ୍ଦ କରି ଭାରତ ବନ୍ଦକୁ ସଫଳ କରାଇବାକୁ ଚେଷ୍ଟା କରୁଛନ୍ତି l ଜରୁରୀକାଳୀନ ସେବା କିଭଳି ପ୍ରଭାବିତ ନ ହେବ ସେଥିପାଇଁ ପ୍ରଶାସନ ଦୃଷ୍ଟି ଦେଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated :Feb 26, 2021, 4:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.