ETV Bharat / state

ନବରଙ୍ଗପୁରରେ ମଣ୍ଡି ଖୋଲିବାରେ ବିଳମ୍ବ, ଚାଷୀ ହତାଶ

author img

By

Published : Dec 6, 2022, 3:57 PM IST

ମଣ୍ଡି ଖୋଲିବାରେ ବିଳମ୍ବ, ଚାଷୀ ହତାଶ
ମଣ୍ଡି ଖୋଲିବାରେ ବିଳମ୍ବ, ଚାଷୀ ହତାଶ

ନବରଙ୍ଗପୁର ଚାଷୀ ହତାଶ । ଧାନମଣ୍ଡି ଖୋଲିବାରେ ବିଳମ୍ବ । ଯାହାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଅଧିକ ପଢ଼ନ୍ତୁ

ନବରଙ୍ଗପୁର : ନବରଙ୍ଗପୁରରେ ମଣ୍ଡି ଖୋଲିବାରେ ବିଳମ୍ବ । ଯାହାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଧାନ ଅମଳ ହେବାପରେ ମଣ୍ଡି ଖୋଲିବାରେ ବିଳମ୍ବ ହେବାରୁ ଚାଷୀ ତା ଧାନକୁ ବାଧ୍ୟ ହୋଇ ଦଲାଲଙ୍କୁ ବିକୁଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ ନବରଙ୍ଗପୁର ଜିଲ୍ଲାରେ ।

ମଣ୍ଡି ଖୋଲିବାରେ ବିଳମ୍ବ, ଚାଷୀ ହତାଶ

ସୂଚନାନୁସାରେ ନବରଙ୍ଗପୁର ଏକ କୃଷି ପ୍ରାଧାନ୍ୟ ଜିଲ୍ଲା । ଏହି ଜିଲ୍ଲାରେ ପାରମ୍ପରିକ ଚାଷ ଭାବେ ଧାନ ଚାଷକୁ ସମସ୍ତେ ଗୁରୁତ୍ୱ ଦେଇଥାନ୍ତି । ହେଲେ ଧାନ ଅମଳ ହେବାପରେ ମଣ୍ଡି ଖୋଲିବାରେ ବିଳମ୍ବ ହୋଇଛି (Farmers facing problems sale of paddy in madi) । ଏହାକୁ ନେଇ ଚିନ୍ତା ବଢ଼ିଯାଇଛି ଚାଷୀର । ଦୀର୍ଘ 4 ରୁ 5 ମାସ ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ସୁନାର ଫସଲ ଅମଳ କରିଥିଲେ । ହେଲେ ସଠିକ ସମୟରେ ଅମଳ ହୋଇଥିବା ଫସଲକୁ ବିକ୍ରି କରିପାରୁନାହାଁନ୍ତି । ତେଣୁ ବାଧ୍ୟ ହୋଇ ବ୍ୟବସାୟୀ କିମ୍ବା ଦଲାଲ ହାତରେ ଧାନକୁ ଟେକି ଦେଉଛନ୍ତି ଚାଷୀ ।

ଅନ୍ୟପକ୍ଷରେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି । ଉପଯୁକ୍ତ ସମୟରେ ବର୍ଷାର ଅଭାବ ଦେଖାଯାଇଛି । କେବଳ ଲଘୁଚାପ ଉପରେ ନିର୍ଭର କରି ଚାଷୀ ଚାଷ କାମକୁ ଆଗେଇ ନେଇଛନ୍ତି । ଧାନର ଉଚିତ ମୂଲ୍ୟ ମଧ୍ୟ ପାଇପାରୁ ନାହିଁ ଚାଷୀ । ଯେଉଁଠି ଚାଷୀଙ୍କୁ ପଡୋଶୀ ରାଜ୍ୟରେ ଆମ ରାଜ୍ୟ ଆପେକ୍ଷା ଅଧିକ ମୂଲ୍ୟ ମିଳୁଛି ।

ଜିଲ୍ଲାର କିଛି ଅଞ୍ଚଳରେ ଧାନ ଅମଳ ଭଲ ହୋଇଥିବା ବେଳେ ଅନେକାଂଶରେ ରୋଗ ପୋକ ଲାଗି ଧାନ ନଷ୍ଟ ହେବାର ନଜରକୁ ଆସିଛି । ଧାନ ପାଚିଲା ପରେ ଧାନ ଖଳାକୁ ଆଣି ତାକୁ ପୁଣି ଲୋକ ଲଗାଇ ଧାନ କାଟୁଛନ୍ତି । ଫଳରେ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି ଚାଷୀ । ଅବ୍ୟବସ୍ଥା ଭିତରେ ଚାଷ ଓ ଚାଷୀ ଆଜି ଅବହେଳିତ । ଯେଉଁ ଚାଷୀମାନେ ଦିନେ 100 ଏକର ଜମିରେ ଚାଷ କରିଥିଲେ ସେମାନେ ଆଜି 30 ଏକରକୁ ଚାଲି ଆସିଲେଣି । ଜିଲ୍ଲାରେ ଧାନ ଚାଷ ପରେ ପରେ ମାଣ୍ଡିଆ, ଆଖୁ, ବିରି, ମୁଗ ଇତ୍ୟାଦି ଚାଷ କରିବା ପାଇଁ ଚାଷୀ ପୂର୍ବ ପ୍ରସ୍ତୁତି ହୋଇ ରହିଥାନ୍ତି । କିନ୍ତୁ ଚଳିତ ବର୍ଷ ମଣ୍ଡି ଖୋଲିବା ବିଳମ୍ବ ହେଉଥିବା ଯୋଗୁଁ ଆଜିଯାଏଁ ଧାନ ଖଳାରୁ ମଣ୍ଡିକୁ ଯାଇପାରି ନାହିଁ ଧାନ ।

ଉନ୍ନତ ପଦ୍ଧତିରେ ଚାଷ କରି ଚାଷୀ ଏକର ପିଛା 25 ରୁ 30 କୁଇଣ୍ଟାଲ ଧାନ ଅମଳ କରିଛୁ । ମାତ୍ର ଚାଷାଠାରୁ ପ୍ରତି ଏକର ପିଛା 13 କୁଇଣ୍ଟାଲ ଧାନ କିଣୁଛନ୍ତି ସରକାର । ଶେଷରେ ଚାଷୀ ବଳକା ଧାନକୁ କମ ଦରରେ ବାଧ୍ୟ ହୋଇ ଦଲାଲକୁ ବିକ୍ରି କରୁଥିବା କହିଛନ୍ତି । ଫଳରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ ହେବା ବଦଳରେ ଦଲାଲ ଓ ବ୍ୟବସାୟୀ ମାଲାମାଲ ହେଉଛନ୍ତି । ଆଗକୁ ଜିଲ୍ଲାର ଗଣ ପର୍ବ ମଣ୍ଡେଇ 2022 ଦଶ ତାରିଖ ଦିନ ଆରମ୍ଭ ହେବ । ସେହି ଦିନ ହିଁ ପ୍ରଶାସନ ମଣ୍ଡିର ଶୁଭାରମ୍ଭ କରିବାର ପୂର୍ବ ପ୍ରସ୍ତୁତି କରିଛି । ଗତ ବର୍ଷ ଏହି ସମୟରେ ଜିଲ୍ଲାରେ 30 ପ୍ରତିଶତ ଧାନ ଉଠି ସାରିଥିବା ବେଳେ ଜିଲ୍ଲାରେ ମଣ୍ଡେଇକୁ ତତ୍ପରତା ନଦେଖାଇ ମଣ୍ଡି ଉପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଉ ବୋଲି ଚାଷୀ ନେତା ଦାବି କରିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.