ETV Bharat / state

ବିଜେଡି-ବିଜେପି ମୁହାଁମୁହିଁ: କାଦୁଅଫିଙ୍ଗା ରାଜନୀତିରେ ଲୋକେ ପ୍ରଭାବିତ

author img

By

Published : Feb 16, 2023, 9:21 PM IST

Nabarangpur
Nabarangpur

ବିଜେଡି-ବିଜେପି ପକ୍ଷରୁ ରାଜ୍ୟ ସମତେ ନବରଙ୍ଗପୁର ଜିଲ୍ଲାରେ ଆନ୍ଦୋଳନ ହୋଇଛି । ବିଜେପି ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ବିଜେଡି ଚାଉଳ କାଟକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି । ଉଭୟ ଦଳର କାଦୁଅ ଫିଙ୍ଗା ରାଜନୀତିରେ ସାଧାରଣ ଲୋକେ ପ୍ରଭାବିତ ହୋଇଛନ୍ତି । ଅଧିକ ପଢନ୍ତୁ

ବିଜେଡି-ବିଜେପି ମୁହାଁମୁହିଁ

ନବରଙ୍ଗପୁର: ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପରିସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛି ଜିଲ୍ଲା ବିଜେପି l ଏନେଇ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଏହା ସହ ଜଣେ ପୋଲିସ ଅଧିକାରୀ ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିବା ଘଟଣାକୁ ନେଇ ଗର୍ଜିଛି ବିଜେପି । ଅନ୍ୟପଟେ ବିଜେଡି ପକ୍ଷରୁ ମଧ୍ୟ କେନ୍ଦ୍ରର ଚାଷୀ ମାରଣାନୀତିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ରାଜ୍ୟରେ ପୂର୍ବରୁ ଘଟିଥିବା ସମସ୍ତ ଘଟଣାକୁ ଦୋହରାଇବା ସହ ସବୁବେଳେ ସବୁ କ୍ଷେତ୍ରରେ ସରକାର ପଛରେ ବୋଲି ଅଭିଯୋଗ କରିବା ସହ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ସ୍ବର ଉଠାଇଛି । ବିଜେପିର କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ସହ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ସମେତ ସମସ୍ତ ବିଜେପି କର୍ମୀ ଉପସ୍ଥିତ ଥିଲେ । ଆଜି ବିଜେପିକୁ କଡା ଜବାବ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ବିଜେଡି । ଗତକାଲି ବିରୋଧୀ ବିଧାୟକ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ମହିଳା ପୋଲିସ ଅଧିକାରୀଙ୍କ ପ୍ରତି ଅଶାଳୀନ ବ୍ୟବହାର ପାଇଁ ତୀବ୍ର ସମାଲୋଚନା କରିଛି ।

ଏହା ସହ ଚାଉଳ ଠକେଇ ପାଇଁ ମୋଦି ସରକାରଙ୍କ ବିରୋଧରେ ନାରାବାଜି କରି ଜିଲ୍ଲାପାଳଙ୍କ ଅଫିସ ସାମନାରେ ପ୍ରତିବାଦ କରିଥିଲେ ବିଜେଡି କର୍ମୀ । ଗରିବଙ୍କ ଚାଉଳ କାଟକୁ ନେଇ ତୀବ୍ର ନିନ୍ଦା କରିବା ସହ ଧାନ କିଣା ଓ MSPକୁ ନେଇ ମଧ୍ୟ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆଜିର ବିଜେଡି ପ୍ରତିବାଦ ସଭାରେ ସ୍ଥାନୀୟ ବିଧାୟକ ସଦାଶିବ ପ୍ରଧାନୀ ସହ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ସମେତ ସମସ୍ତ ବିଜେଡି କର୍ମୀ ଉପସ୍ଥିତ ଥିଲେ । ଜିଲ୍ଲାରେ ବିଜେଡି ବିଜେପି ପରସ୍ପରକୁ କାଦୁଅ ଫିଙ୍ଗାଫିଙ୍ଗି ହେଉଥିବା ବେଳେ ସାଧାରଣ ଜନତା ଉପରେ ଏହାର ବିଶେଷ ପ୍ରଭାବ ପକାଉଛି ।

ଏହା ବି ପଢନ୍ତୁ- ଖଡ଼କା ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

ସାରା ରାଜ୍ୟରେ ବିଜେଡି ପକ୍ଷରୁ ୫କେଜି ଚାଉଳ କାଟକୁ ନେଇ ଆନ୍ଦୋଳନ କରାଯାଉଛି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ ଅନ୍ନ କଲ୍ୟାଣ ଯୋଜନାରେ ଦେଉଥିବା ୫କେଜି ଚାଉଳକୁ ବନ୍ଦ କରିଦେଇଛନ୍ତି । ଫଳରେ ରାଜ୍ୟର ଅନେକ ଲୋକ ପ୍ରଭାବିତ ହେଉଥିବା ବିଜେଡି ଅଭିଯୋଗ କରିଛି । ଏ ନେଇ ସାରା ରାଜ୍ୟରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଗତ ଫେବୃଆରୀ ୧୪ ତାରିଖଠାରୁ ବିଜେଡି ୩ଦିନିଆ ଗଣ ଆନ୍ଦୋଳନ ଆରମ୍ଭ କରିଛି । ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

କେନ୍ଦ୍ର ସରକାର ୫କେଜି ଚାଉଳ ପୁଣି ନ ଦେଲେ ଆଗାମୀ ଦିନରେ ରାଜ୍ୟବାସୀ ଓ ଚାଷୀଙ୍କ ହକ ଲାଗି ତୀବ୍ର ଆନ୍ଦୋଳନ କରାଯିବ ବୋଲି ବିଜେଡି କହିଛି । ସେପଟେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଶାସକ ଦଳ ବିଜେଡିକୁ ଘେରିଛି ବିଜେପି । ବିଜେଡି ଏହା ଉପରୁ ରାଜ୍ୟବାସୀଙ୍କ ନଜର ହଟାଇବା ଲାଗି ଆନ୍ଦୋଳନ କରୁଥିବା ବିଜେପି ଅଭିଯୋଗ କରିଛି । ଉଭୟ ଦଳ ପକ୍ଷରୁ ଆରୋପ ପ୍ରତ୍ୟାରୋପ ରାଜନୀତି ଦେଖିବାକୁ ମିଳିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.