ETV Bharat / state

ଶୁଣିଲାନି ପ୍ରଶାସନ, ହାତରେ ହାତ ମିଶାଇ ନିଜେ ରାସ୍ତା ତିଆରି କଲେ ଗ୍ରାମବାସୀ

author img

By ETV Bharat Odisha Team

Published : Oct 5, 2023, 4:15 PM IST

villagers repair road themselves
villagers repair road themselves

ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକର ରଙ୍ଗାମାଟିଆ ଗାଁରେ ଗାଁ ରାସ୍ତା ନିଜେ ମରାମତି କଲେ ଗ୍ରାମବାସୀ । ନିଜ ଶ୍ରମ ଓ ଅର୍ଥ ଖର୍ଚ୍ଚ କରି ରାସ୍ତା ତିଆରି କରିଛନ୍ତି । ଅଧିକ ପଢନ୍ତୁ

villagers repair road themselves

ରାଇରଙ୍ଗପୁର: ଗାଁକୁ ଯିବାକୁ ନ ଥିଲା ରାସ୍ତା । ରାସ୍ତା ମରାମତି ପାଇଁ ପ୍ରଶାସନକୁ ଗୁହାରି କରି ନ ଶୁଣିବାରୁ ଗାଁ ରାସ୍ତା ନିଜେ ମରାମତି କଲେ ଗ୍ରାମବାସୀ । ନିଜ ଶ୍ରମ ଓ ଅର୍ଥ ଖର୍ଚ୍ଚ କରି ରାସ୍ତା ତିଆରି କଲେ । ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଯଶିପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ରଙ୍ଗାମାଟିଆ ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ରଙ୍ଗାମାଟିଆ ଗାଁରେ ୧୦୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରନ୍ତି । ହେଲେ ଗାଁକୁ ଯିବା ଆସିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ । ବର୍ଷା ଦିନରେ ରାସ୍ତା କଥା ନ କହିବା ଭଲ। ଏବେ ଲଘୁଚାପ ଜନିତ ଲଗାଣ ବର୍ଷାରେ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମା ହେଉଥିବା ବେଳେ ରାସ୍ତା ସାରା କାଦୁଅ । କାଦୁଅ ରାସ୍ତା ଯୋଗୁଁ ଯିବା ଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଗ୍ରାମବାସୀ ।

ଏପରି କି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ମଧ୍ୟ ଗାଁ ଭିତରକୁ ପହଞ୍ଚି ପାରେନାହିଁ । ଗର୍ଭବତୀ ମହିଳା କିମ୍ବା ଗୁରୁତର ଅସୁସ୍ଥ ରୋଗୀଙ୍କୁ ଡାକ୍ତରଖାନା ନେବାକୁ ହେଲେ ଅଧ କିଲୋମିଟର ଖଟିଆରେ ବୋହି ନେଇ ଆମ୍ବୁଲାନ୍ସ ନିକଟକୁ ପହଞ୍ଚାଇଥାନ୍ତି ଗ୍ରାମବାସୀ । ସେପଟେ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ କାଦୁଅ ପଚ ପଚ ରାସ୍ତାରେ ବିଦ୍ୟାଳୟକୁ ଯାଇଥାନ୍ତି । ଉକ୍ତ ରାସ୍ତା ପାଇଁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଗାଁକୁ ଭଲ ରାସ୍ତା ଖଣ୍ଡିଏ ନିର୍ମାଣ ପାଇଁ ବାରମ୍ବାର ବ୍ଲକ ପ୍ରଶାସନ ଓ ସରପଞ୍ଚ ନିକଟରେ ଗୁହାରୀ କରିଥିଲେ ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ- ଶୁଣିଲାନି ପ୍ରଶାସନ, ଗାଁକୁ ରାସ୍ତା ତିଆରି କଲେ ଗ୍ରାମବାସୀ

ହେଲେ କୌଣସି ସୁଫଳ ନ ପାଇ ଶେଷରେ ଗାଁ ରାସ୍ତାର ମରାମତି ପାଇଁ ଆଗେଇ ଆସିଲେ ଗ୍ରାମବାସୀ । ଗ୍ରାମରେ ଥିବା ପରିବାର ପିଛା ୨୦୦ ଟଙ୍କା ଆଦାୟ କରି ଗାଁ ଲୋକେ ଟ୍ରାକ୍ଟର ଯୋଗେ ମାଟି ଆଣିବା ସହ ନିଜେ ଶ୍ରମଦାନ କରି ଉକ୍ତ ରାସ୍ତାର ମରାମତି କାର୍ଯ୍ୟ ସମାପନ କରିଛନ୍ତି । ଏଥି ସହିତ ସେଠାରେ ନୂତନ କଂକ୍ରିଟ ରାସ୍ତା ନିର୍ମାଣ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ତେବେ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ ନ କଲେ ଆଗାମୀ ଦିନରେ ବହଳଦା ବ୍ଳକ ଓ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.