ETV Bharat / state

ରାସ୍ତା ସମସ୍ୟାର ହେଲାନି ସମାଧାନ, ସରପଞ୍ଚଙ୍କୁ ୫ ଘଣ୍ଟା ତାଲା ପକାଇଲେ ଗ୍ରାମବାସୀ

author img

By ETV Bharat Odisha Team

Published : Sep 13, 2023, 8:34 PM IST

ଗାଁରେ ରାସ୍ତା ସମସ୍ୟାକୁ ନେଇ ତାତିଲେ ଲୋକ। ଦୀର୍ଘ ୫ ଘଣ୍ଟା ଧରି ସରପଞ୍ଚଙ୍କୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଭିତରେ ତାଲା ପକାଇ ରଖିଲେ ଗ୍ରାମବାସୀ। ଅଧିକ ପଢ଼ନ୍ତୁ

ସରପଞ୍ଚଙ୍କୁ ୫ ଘଣ୍ଟା ତାଲା
ସରପଞ୍ଚଙ୍କୁ ୫ ଘଣ୍ଟା ତାଲା

ସରପଞ୍ଚଙ୍କୁ ୫ ଘଣ୍ଟା ତାଲା

ରାଇରଙ୍ଗପୁର: ପଞ୍ଚାୟତରେ ରାସ୍ତା ସମସ୍ୟାକୁ ନେଇ ତାତିଲେ ଲୋକ । ଦୀର୍ଘ ୫ ଘଣ୍ଟା ଧରି ସରପଞ୍ଚଙ୍କୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଭିତରେ ତାଲା ପକାଇ ରଖିଲେ ପଞ୍ଚାୟତବାସୀ । ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବଡପଳସା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ।


ସୂଚନା ଅନୁଯାୟୀ, ବହଳଦା ବ୍ଲକ ଅନ୍ତର୍ଗତ ବଡପଳସା ଗ୍ରାମପଞ୍ଚାୟତ ଅଧିନରେ ଥିବା ବିଭିନ୍ନ ଗାଁ ଗୁଡିକରେ ଦୀର୍ଘ ବର୍ଷ ଧରି ସଡ଼କ ପଥଗୁଡ଼ିକ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି । ଫଳରେ ରୋଗୀମାନଙ୍କ ପାଇଁ ଆମ୍ବୁଲାନ୍ସ ସେବା ମଧ୍ୟ ବାଧାପ୍ରାପ୍ତ ହେଉଛି। ପ୍ରତ୍ୟେକ ଦିନ ବିପଦପୂର୍ଣ୍ଣ ରାସ୍ତାରେ ପଞ୍ଚାୟତବାସୀ ଗମନାଗମନ କରୁଛନ୍ତି। ଏହାସହ ଅନେକ ଦୁର୍ଘଟଣା ମଧ୍ୟ ହେଉଛି। ତେବେ ଏସମ୍ପର୍କରେ ପଞ୍ଚାୟତବାସୀ ବହୁ ପୂର୍ବରୁ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ପାରିନାହିଁ ।

ଏହା ମଧ୍ୟ ପଢ଼ନ୍ତୁ....ଆବାସ ତାଲିକା ବିବାଦ: ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇଲେ ଲୋକେ

ତେବେ ଏହି ରାସ୍ତା ସମସ୍ୟା ଉପରେ ସ୍ଥାନୀୟ ଜନପ୍ରତିନିଧି, ବ୍ଲକ ପ୍ରଶାସନ ଓ ଉପଖଣ୍ଡ ପ୍ରଶାସନର ଦୃଷ୍ଟି ପଡି ପାରୁନାହିଁ। ଏନେଇ ପଞ୍ଚାୟତବାସୀ ଅତିଷ୍ଠ ହେବା ପରେ ଆଜି ଦିନ ୧୧.୦୦ ଟାରୁ ପାଖାପାଖି ୫ ଘଣ୍ଟା କାଳ ବଡ଼ପଳସା ଗ୍ରାମପଞ୍ଚାୟତର ସରପଞ୍ଚ ଗୀତା ରାଣୀ ହେମ୍ବ୍ରମଙ୍କୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଭିତରେ ପୁରାଇ ତାଲା ପକାଇ ଦେଇଥିଲେ । ତେବେ ଖବର ପାଇ ରାଇରଙ୍ଗପୁର ଏସଡିପିଓ ତିରିଂ ଥାନା ପୋଲିସ, ବହଳଦା ଏବିଡିଓ ଓ ବହଳଦା ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ସହିତ ବୁଝାସୁଝା କରିଥିଲେ । ଏହାସହ ଏହି ସମସ୍ୟା ଉପରେ ଦୃଷ୍ଟି ଦେବାକୁ ପ୍ରତିଶ୍ରୁତି ଦେବା ପରେ ଗାଁ ଲୋକେ ପଞ୍ଚାୟତ କାର୍ଯ୍ୟାଳୟରୁ ତାଲା ଖୋଲି ଥିଲେ ।

ସେପଟେ ସମ୍ପର୍କରେ ସରପଞ୍ଚ ଗୀତା ରାଣୀ ହେମ୍ବ୍ରମ କହିଛନ୍ତି "ରାସ୍ତା ସମସ୍ୟାକୁ ନେଇ ସେ ବାରମ୍ବାର ଆରଡି ବିଭାଗ ଓ ପ୍ରଶାସନକୁ ଅବଗତ କରାଇଛନ୍ତି । କିନ୍ତୁ ସେଠାରୁ କୌଣସି ଶନ୍ତୋଷଜନକ ଉତ୍ତର ମିଳି ପାରି ନାହିଁ । ଗାଁକୁ ଭଲ ରାସ୍ତା ନଥିବାରୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ଦେଉଛନ୍ତି । ତେଣୁ ସେମାନେ ତାଙ୍କ ଅଭିଯୋଗ ଆଣି 5 ଘଣ୍ଟା ପଞ୍ଚାୟତରେ ତାଲା ମାରିଥିଲେ । ଆଗକୁ ଜନସାଧାରଣଙ୍କ ସମସ୍ୟାର ସମାଧାନ ନଦେଲେ ବ୍ଲକ ଘେରାଉ କରିବେ। ତେବେ ଆଗାମୀ ଦିନରେ ଲୋକଙ୍କ ସମସ୍ୟାର ସମାଧାନ କରି ନପାରିଲେ ବାଧ୍ୟ ହୋଇ ସେ ନିଜ ପଦରୁ ଇସ୍ତଫା ଦେବେ" ବୋଲି କହିଛନ୍ତି ସରପଞ୍ଚ ଗୀତା ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.