ଆବାସ ତାଲିକା ବିବାଦ: ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇଲେ ଲୋକେ

author img

By

Published : Jan 26, 2023, 10:58 PM IST

ସରପଞ୍ଚଙ୍କୁ ତାଲା ପକାଇଲେ ଗ୍ରାମବାସୀ

ଆବାସ ଯୋଜନା ତାଲିକାରେ ନାଁ ନଥିବାରୁ ଗ୍ରାମରେ ଉତ୍ତେଜନା । ସରପଞ୍ଚ ସମିତି ସଭ୍ୟ ଓ ନିର୍ବାହୀ ଅଧିକାରୀଙ୍କୁ ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ସରପଞ୍ଚଙ୍କୁ ତାଲା ପକାଇଲେ ଗ୍ରାମବାସୀ

ଅନୁଗୋଳ: ରାଜ୍ୟରେ ଆବାସ ତାଲିକାର ଚିଠା ଆସିବା ପରେ ଏହାକୁ ନେଇ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । ପ୍ରତି ଗାଁରେ ଦେଖିବାକୁ ମିଳୁଛି ଅସନ୍ତୋଷ । ନିଜକୁ ଯୋଗ୍ୟ ହିତାଧିକାରୀ ଭାବୁଥିବା ଲୋକ ତାଲିକାରେ ନାଁ ନଥିବାକୁ ନେଇ ତୀବ୍ର ଅସନ୍ତୋଷ ଜାହିର କରୁଛନ୍ତି । ଏହି ଘଟଣାକୁ କେନ୍ଦ୍ରକରି ଆଜି ଅନୁଗୋଳ ଜିଲ୍ଲା ବଅଁରପାଳର ସାନ୍ତରାପୁର ପଞ୍ଚାୟତରେ ଉତ୍ତେଜନା ପ୍ରକାଶ ପାଇଛି । ଅସନ୍ତୋଷ ଗ୍ରାମବାସୀମାନେ ପଞ୍ଚାୟତ ଅଫିସରେ ସରପଞ୍ଚଙ୍କୁ ତାଲା ପକାଇ ଦେଇଛନ୍ତି । ତେବେ କେବଳ ସରପଞ୍ଚ ନୁହେଁ, ଲୋକେ ସମିତି ସଭ୍ୟ ଓ ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ତାଲା ପକାଇ ଅଟକ ରଖିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ପକ୍କା ଘର ଆବଣ୍ଟନରେ ଅନିୟମିତତା ଅଭିଯୋଗ କରି ଗାଁ ଲୋକ ଅଧିକାରୀଙ୍କୁ ତାଲା ପକାଇ ଦେଇଛନ୍ତି । ଏହାକୁ ନେଇ ସାନ୍ତରାପୁର ପଞ୍ଚାୟତରେ ତୁମୁଳ କାଣ୍ଡ ହୋଇଛି । ଲୋକମାନେ ଅଭିଯୋଗ କରିଛନ୍ତି ଯେ, ପଞ୍ଚାୟତ ଅଧୀନରେ ଥିବା ଅନ୍ୟ ଗାଁଗୁଡିକରେ ହିତାଧିକାରୀଙ୍କ ନାଁ ପ୍ରକାଶିତ ତାଲିକାରେ ଥିବାବେଳେ ସାନ୍ତରାପୁର ଗାଁର କାହାରି ନାଁ ଚିଠାରେ ନାହିଁ । ଏହାକୁ ପ୍ରତିବାଦ କରି ଗ୍ରାମବାସୀମାନେ ପଞ୍ଚାୟତ ଅଫିସ ପରିସରରେ ହୋହାଲ୍ଲା କରିଥିଲେ । ଏହାପରେ ସେମାନେ ସରପଞ୍ଚ ନବୀନ ବେହେରା, ନିର୍ବାହୀ ଅଧିକାରୀ ଭୋଳେଶ୍ଵର ସାହୁ ଓ ଅନ୍ୟ କର୍ମଚାରୀମାନଙ୍କୁ ତାଲା ପକାଇ ଦେଇଥିଲେ ।

ଗାଁର ପୁରୁଷ ଓ ମହିଳାମାନେ ସମସ୍ତଙ୍କୁ ତାଲା ପକାଇ କାହିଁକି ସେମାନଙ୍କ ନାଁ ତାଲିକାରେ ନାହିଁ ବୋଲି ପ୍ରଶ୍ନ କରିଥିଲେ । ଏହି ଘଟଣାକୁ ନେଇ ଉତ୍ତେଜନା ବଢିବାରୁ ଜରପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି । ତେବେ ପୋଲିସର ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିବା ଖବର ମିଳିଛି । ତେବେ ଖାଲି ଅନୁଗୋଳ ନୁହେଁ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆବାସ ଯୋଜନାରେ ପକ୍କା ଘର ପାଇଁ ଉତ୍ତେଜନା ଦେଖିବାକୁ ମିଳୁଛି ।

ଉଲ୍ଲେଖଯୋଗ୍ୟ, ଆବାସ ଯୋଜନା ତାଲିକାରେ ହୋଇଥିବା ବ୍ୟାପକ ଅନିୟମିତତା ଓ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ଦାବିରେ ଗତକାଲି(ବୁଧବାର) ରାଜ୍ୟର ସମସ୍ତ ବ୍ଲକରେ ବିଜେପି ଆନ୍ଦୋଳନ କରିଥିଲା । ଏନେଇ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ମଧ୍ୟ ଦିଆଯାଇଥିଲା । ତେବେ ଯଦି ଯୋଗ୍ୟ ହିତାଧିକାରୀଙ୍କୁ ଘର ନମିଳେ, ଆସନ୍ତା ୩୧ ତାରିଖରେ ପୁଣି ସମସ୍ତ ୩୧୪ ବ୍ଲକ ଘେରାଓ କରାଯିବ ବୋଲି ଚେତାବନୀ ଦେଇଥିଲେ ଭୁବନେଶ୍ଵର ବିଜେପି ସଭାପତି ବାବୁ ସିଂ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.