ETV Bharat / state

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI, ୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

author img

By ETV Bharat Odisha Team

Published : Sep 1, 2023, 10:35 PM IST

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲାଞ୍ଚୁଆ ରାଜସ୍ୱ ନିରୀକ୍ଷକ । ଜମି ମାପଚୁମ କରିବା ବାବଦକୁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ତହସିଲ ଅନ୍ତର୍ଗତ ଜୟପୁର ସର୍କଲର ରାଜସ୍ୱ ନିରୀକ୍ଷକ ରାକେଶ କୁମାର ପାତ୍ରଙ୍କୁ ଭିଜିଲାନ୍ସ ଗିରଫ କରିଛି । ଅଧିକ ପଢ଼ନ୍ତୁ

Mayurbhanj jaipur RI caught by vigilance
ଭିଜିଲାନ୍ସ ଜାଲରେ ଜୟପୁର ରାଜସ୍ୱ ନିରୀକ୍ଷକ

ରାଇରଙ୍ଗପୁର: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ରାଜସ୍ୱ ନିରୀକ୍ଷକ । ଜଣେ ବ୍ୟକ୍ତିଙ୍କ ଠାରୁ କାମ କରିବା ବାବଦକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ତହସିଲ ଅନ୍ତର୍ଗତ ଜୟପୁର ସର୍କଲର ରାଜସ୍ୱ ନିରୀକ୍ଷକ ରାକେଶ କୁମାର ପାତ୍ର । ରାକେଶଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି ଭିଜିଲାନ୍ସ ଟିମ ।

ସୂଚନା ଅନୁଯାୟୀ, ରାଇରଙ୍ଗପୁର ୱାର୍ଡ ନମ୍ବର ୬ର ନିବାସୀ ରାମଦାସ ସାହୁ ୫ଟି ଜାଗାର ମାପଚୁପ କରିବା ପାଇଁ ପୂର୍ବରୁ ଆରଆଇ ଅଫିସରେ ଆବେଦନ କରିଥିଲେ । ଏନେଇ ଜୟପୁର ଆରଆଇ ରାକେଶ କୁମାର ପାତ୍ର ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ରାମଦାସ ସାହୁ ଅସହାୟ ହୋଇ ବାଲେଶ୍ଵର ଭିଜିଲାନ୍ସ ବିଭାଗରେ ଏକ ଅଭିଯୋଗ କରିଥିଲେ । ଘଟଣାକୁ ଭିତ୍ତିକରି ଭିଜିଲାନ୍ସ ବିଭାଗର ଏକ ଟିମ ରେଭେନ୍ୟୁ ଇନ୍ସପେକ୍ଟର ରାକେଶ କୁମାର ପାତ୍ରଙ୍କୁ ଧରିବାକୁ ଯୋଜନା କରିଥିଲା । ରାଇରଙ୍ଗପୁର ସହର ସ୍ଥିତ ଦୁର୍ଗା ମଣ୍ଡପ ଛକ ଠାରେ ସନ୍ଧ୍ୟା ସମୟରେ ରାଜସ୍ୱ ନିରୀକ୍ଷକ ରାକେଶ କୁମାର ପାତ୍ର ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ ହାତରେ ଧରା ପଡିଥିଲେ । ତାଙ୍କ ନିକଟରୁ କେମିକାଲ ଲଗା ଯାଇଥିବା ୫ ହଜାର ଟଙ୍କା ଜବତ କରିବା ସହ ରାକେଶଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ ।

ଏହା ମଧ୍ୟ ପଢ଼ନ୍ତୁ: ଠିକାଦାର ବାପପୁଅଙ୍କୁ ବାନ୍ଧିଲା ଭିଜିଲାନ୍ସ, ଏସ୍‌ସି ଏସ୍‌ଟି ବିଭାଗ ହଷ୍ଟେଲ ନିର୍ମାଣରେ କରିଥିଲେ ବ୍ୟାପକ ଦୁର୍ନୀତି

ତେବେ ବାଲେଶ୍ଵର ଭିଜିଲାନ୍ସ ବିଭାଗ ପକ୍ଷରୁ କେଶ ନମ୍ବର ୨୪/୨୦୨୩ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ସୂଚନା ମିଳିଛି । ଏଥି ସହିତ ଭିଜିଲାନ୍ସ ଟିମ ଅଭିଯୁକ୍ତ ରେଭେନ୍ୟୁ ଇନ୍ସପେକ୍ଟର ରାକେଶ କୁମାର ପାତ୍ରଙ୍କ ଜୟପୁର କାର୍ଯ୍ୟାଳୟ ସ୍ଥିତ ସରକାରୀ ବାସଭବନ, ରାଇରଙ୍ଗପୁର ଓ ବାରିପଦାର ମୁର୍ଗାବାଡ଼ି ଭଡା ଘରେ ଚଢାଉ ଜାରି ରଖିଛନ୍ତି ବୋଲି ବାରିପଦା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି । ଏହି ଭିଜିଲାନ୍ସ ଚଢ଼ାଉରେ ଅତିରିକ୍ତ ଏସପି ହରେକୃଷ୍ଣ ମାଝୀଙ୍କ ନେତୃତ୍ୱରେ ଇନ୍ସପେକ୍ଟର ଦୁଷ୍ମନ୍ତ ନାୟକ ଓ ଅନ୍ୟାନ୍ୟ ବାଲେଶ୍ଵର ଭିଜିଲାନ୍ସ ବିଭାଗ କର୍ମଚାରୀ ମାନେ ସାମିଲ ହୋଇଥିଲେ । ତେବେ ରାକେଶ କୁମାର ପାତ୍ରଙ୍କ ଘର ବଡ଼ସାହି ଥାନା ଅନ୍ତର୍ଗତ ସିଙ୍ଗଟିଆ ଗ୍ରାମରେ ଥିବାବେଳେ ସେ ବର୍ତ୍ତମାନ ବାରିପଦା ସହର ସ୍ଥିତ ମୁର୍ଗାବାଡ଼ିରେ ରହୁଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.