ETV Bharat / state

ଶିମିଳିପାଳରେ ଅସୁରକ୍ଷିତ ବନ୍ୟପ୍ରାଣୀ, ହାତୀ ପରେ ଆଜି ଚିତାବାଘ ଛୁଆର ମୃତଦେହ ଉଦ୍ଧାର

author img

By

Published : Jan 23, 2023, 4:13 PM IST

ଶିମିଳିପାଳରୁ ଚିତାବାଘ ଛୁଆର ମୃତଦେହ ଉଦ୍ଧାର
ଶିମିଳିପାଳରୁ ଚିତାବାଘ ଛୁଆର ମୃତଦେହ ଉଦ୍ଧାର

ଶିମିଳିପାଳ ଅଭୟାରଣ୍ୟରେ ଅସୁରକ୍ଷିତ ହୋଇପଡ଼ିଛନ୍ତି ବନ୍ୟପ୍ରାଣୀ । ରବିବାର ଗୋଟିଏ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଥିବାବେଳେ ସୋମବାର ଏକ ବାଘ ଛୁଆର ମୃତଦେହ ଉଦ୍ଧାର କରାଯାଇଛି । ବାଘ ଛୁଆଟି Leopard Cat ପ୍ରଜାତିର ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ପ୍ରବଳ ଥଣ୍ଡାରୁ ମୃତ୍ୟୁ ଘଟିଥିବା ଅନୁମାନ କରିଛି ବନବିଭାଗ । ଅଧିକ ପଢ଼ନ୍ତୁ

ରାଇରଙ୍ଗପୁର: ପୁଣି ଶିମିଳିପାଳ ଅଭୟାରଣ୍ୟରୁ Leopard Cat ପ୍ରଜାତିର ଏକ ବାଘ ଛୁଆର ମୃତଦେହ ଉଦ୍ଧାର କରାଯାଇଛି । ତେବେ କିପରି ଏହି ବାଘ ଛୁଆଟିର ମୃତ୍ୟୁ ଘଟିଲା ସେନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି । ଏହାର ବୟସ ପ୍ରାୟ ୧ ମାସ ହେବ ବୋଲି ଅନୁମାନ କରାଯାଉଥିବାବେଳେ ପ୍ରବଳ ଥଣ୍ଡା ଯଗୁଁ ଏହାର ମୃତ୍ୟୁ ଘଟିଥିବା ଅନୁମାନ କରିଛି ବନବିଭାଗ । ତେବେ ବ୍ୟବଚ୍ଛେଦ ପରେ ଏହି ବାଘ ଛୁଆର ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ।

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅନ୍ତର୍ଗତ ବୁଢ଼ୀଗାଁ ଜଙ୍ଗଲ ନିକଟରୁ ଚିତାବାଘ ଛୁଆର ମୃତଦେହ ଉଦ୍ଧାର କରିଛି ବନ ବିଭାଗ । ସୋମବାର ସକାଳୁ ବୁଢୀଗାଁ ଜଙ୍ଗଲ ନିକଟରେ ବନ ବିଭାଗ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବାବେଳେ ଏକ ଚିତାବାଘ ଛୁଆର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ପରେ ବନ ବିଭାଗ ଅଧିକାରୀଙ୍କୁ ଖବର ଦେବାରୁ ଘଟଣାସ୍ଥଳରେ ବନବିଭାଗ ଅଧିକାରୀମାନେ ପହଞ୍ଚିଥିଲେ । ତେବେ ବାଘ ଛୁଆଟି Leopard Cat ପ୍ରଜାତିର ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାର ବୟସ ପାଖାପାଖି ଗୋଟିଏ ମାସ ମଧ୍ୟରେ ହୋଇଥିବା ବନ ବିଭାଗ ଅନୁମାନ କରିଛି । ତେବେ ମାଆ ବାଘଠାରୁ ଛୁଆଟି ଅଲଗା ହୋଇ ଯାଇଥିବା ଓ ପ୍ରବଳ ଥଣ୍ଡା ଯୋଗୁଁ ବାଘ ଛୁଆର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ସେପଟେ ବାଘ ଛୁଆର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ବ୍ୟବଚ୍ଛେଦ ପରେ ହିଁ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ।

ଗତକାଲି(ରବିବାର) ଶିମିଳିପାଳ ଅଭୟାରଣ୍ୟର ତାଳବନ୍ଧ ରେଞ୍ଜ ଅଞ୍ଚଳରେ ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଥିଲା । ଏହି ହାତୀର ଦାନ୍ତ କାଟି କେହି ଦୁର୍ବୃତ୍ତ ନେଇ ଯାଇଥିବା ବନବିଭାଗ ସନ୍ଦେହ କରିଥିଲା । ଏହାପରେ ଆଜି ପୁଣି ଏକ Leopard Cat ପ୍ରଜାତିର ବାଘ ଛୁଆର ମୃତଦେହ ଉଦ୍ଧାର ଘଟଣା ପରିବେଶବିତ୍‌ଙ୍କ ମନରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ଏପରି ବନ୍ୟଜନ୍ତୁଙ୍କ ବାରମ୍ବାର ମୃତ୍ୟୁ ଘଟଣା ବନ ବିଭାଗରର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । କେତେବେଳେ ବନ୍ୟଜନ୍ତୁଙ୍କୁ ଶିକାରୀମାନେ ମାରୁଥିବା ବେଳେ ଆଉ କେତେବେଳେ ବନ୍ୟଜନ୍ତୁଙ୍କର ଏଭଳି ଅସ୍ବାଭାବିକ ମୃତ୍ୟୁକୁ ପରିବେଶବିତ୍ ସହଜରେ ଗ୍ରହଣ କରି ପାରିନଥିଲେ । ତେବେ ଏହି ବାଘ ଛୁଆର କିପରି ମୃତ୍ୟୁ ହୋଇଛି, ତାହା ବ୍ୟବଚ୍ଛେଦ ପରେ ହିଁ ସ୍ପଷ୍ଟ ହେବ ବୋଲି କହିଥିଲେ ପଶୁ ଚିକିତ୍ସକ ଲିଙ୍ଗରାଜ୍ ମହାନ୍ତ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.