ଜୋର ଧରିଲା ନୂତନ ରାଇରଙ୍ଗପୁର ଜିଲ୍ଲା ଗଠନ ଦାବି

author img

By

Published : Nov 18, 2022, 7:52 AM IST

ଜୋର ଧରିଲା ନୂତନ ରାଇରଙ୍ଗପୁର ଜିଲ୍ଲା ଗଠନ ଦାବି

ଜୋର ଧରିଲା ନୂତନ ରାଇରଙ୍ଗପୁର ଜିଲ୍ଲା ଗଠନ ଦାବି । ଏନେଇ ଦଳଗତ ନିର୍ବିଶେଷରେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ନିଷ୍ପତ୍ତି ନେଇଛି ରାଇରଙ୍ଗପୁର ଓକିଲ ସଂଘ । ଅଧିକ ପଢନ୍ତୁ

ରାଇରଙ୍ଗପୁର: ନୂତନ ରାଇରଙ୍ଗପୁର ଜିଲ୍ଲା ଗଠନ ଦାବିରେ ଗୁରୁବାର ସ୍ଥାନୀୟ କଲ୍ୟାଣୀ ମଣ୍ଡପରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ଓକିଲ ସଂଘ ସଭାପତି ଅକ୍ଷୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସ୍ବତନ୍ତ୍ର ରାଇରଙ୍ଗପୁର ଜିଲ୍ଲା ଗଠନ ପାଇଁ ଦଳଗତ ନିର୍ବିଶେଷରେ ଆନ୍ଦୋଳନକୁ ଜୋରଦାର କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହାସହିତ ଉପଖଣ୍ଡର ସାତଟି ବ୍ଲକର ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି, ସାମାଜିକ ସଙ୍ଗଠନ, ବୁଦ୍ଧିଜୀବୀ, ବଣିକ ସଙ୍ଘ, ମୋଟର ଚାଳକ ସଙ୍ଘ ସହିତ ସମସ୍ତ ଅନୁଷ୍ଠାନକୁ ଯୋଡି ଆନ୍ଦୋଳନକୁ ଜୋରଦାର କରାଯିବାର ନିଷ୍ପତ୍ତି ନିଆଯାଇଛି ।

ଜୋର ଧରିଲା ନୂତନ ରାଇରଙ୍ଗପୁର ଜିଲ୍ଲା ଗଠନ ଦାବି

ସୂଚନାଯୋଗ୍ୟ ଯେ, ରାଇରଙ୍ଗପୁର ଜିଲ୍ଲା ପାଇଁ ଦୀର୍ଘ ବର୍ଷ ଧରି ଦାବି ହୋଇ ଆସୁଥିବାବେଳେ ରାଜ୍ୟ ସରକାର କର୍ଣ୍ଣପାତ କରୁ ନଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା । ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ପାଇଁ ପଦ୍ମପୁରକୁ ଜିଲ୍ଲା ଘୋଷଣା ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ରାଇରଙ୍ଗପୁର ଜିଲ୍ଲା ପାଇଁ ଦୀର୍ଘ ବର୍ଷର ଦାବିକୁ ଉପେକ୍ଷା କରି ଚାଲିଛନ୍ତି । ନୂତନ ଜିଲ୍ଲା ମାନ୍ୟତା ଦାବିରେ ଆସନ୍ତା ୨୬ ତାରିଖରେ ଉପଖଣ୍ଡର ସମସ୍ତ ନିର୍ବାଚିତ ପ୍ରତିନିଧି, ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନଙ୍କୁ ନେଇ ବୈଠକ ହେବା ସହିତ କୋର କମିଟି ଗଠନ କରାଯିବ । ସମସ୍ତଙ୍କ ଦସ୍ତଖତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବଙ୍କୁ ନୂତନ ଜିଲ୍ଲା ଗଠନ ନେଇ ଦାବିପତ୍ର ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି ।

ଏହାମଧ୍ୟ ପଢନ୍ତୁ: ୨୦୨୩ ଶେଷସୁଦ୍ଧା ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା ! ଉପନିର୍ବାଚନ ଇସ୍ତାହାରରେ ଘୋଷଣା କରିବ BJD

ଏହି ବୈଠକରେ ବରିଷ୍ଠ ଓକିଲ ରସାନନ୍ଦ ଲେଙ୍କା, ପ୍ରଭାସ କବି, ବିଜେପିର ବରିଷ୍ଠ ନେତା ମନୋରଞ୍ଜନ ମହାନ୍ତି, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ପୂର୍ବତନ ବିଧାୟକ ଲକ୍ଷଣ ମାଝୀ, ପ୍ରହଲ୍ଲାଦ ପୂର୍ତ୍ତ, ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ, ସଂଜୀବ ମହାନ୍ତି, ବିଜେଡି ବରିଷ୍ଠ ନେତା ମନୁ ଚୌଧୁରୀ, ରତିକାନ୍ତ ପରିକ୍ଷା, ବିଜୟ ରାମ, ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ପଟ୍ଟନାୟକ, ମାନସ ମହାନ୍ତି, କାଳି ପ୍ରସନ୍ନ ମହାନ୍ତି, ପୌରପାଳିକା ଉପାଧ୍ୟକ୍ଷା ମୋମିତା ଚୌଧୁରୀ ପ୍ରମୁଖ ସାମିଲ ହୋଇ ନିଜର ମତାମତ ରଖିଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.