ETV Bharat / state

ଚାଷୀଙ୍କୁ ମିଳିଲା ସୁବର୍ଣ୍ଣରେଖା ଜଳ: ମୟୂରଭଞ୍ଜର ୯୪ଟି ଗାଁର ୧୫୩୫୯ ହେକ୍ଟର ଜମିକୁ ଗଲା ପାଣି

author img

By

Published : Jul 19, 2021, 8:13 PM IST

Updated : Jul 19, 2021, 10:22 PM IST

ଚାଷୀଙ୍କୁ ମିଳିଲା ସୁବର୍ଣ୍ଣରେଖା ଜଳ: ମୟୂରଭଞ୍ଜର ୯୪ଟି ଗାଁର ୧୫୩୫୯ ହେକ୍ଟର ଜମିକୁ ଗଲା ପାଣି
ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ: ଭିସି ଯୋଗେ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ସ୍ବପ୍ନ ହେଲା ପୂରଣ । ଲୋକାର୍ପିତ ହେଲା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ । ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଭିସି ଯୋଗେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର କେନାଲ ସିଷ୍ଟମରୁ ୧୫,୩୫୯ ହେକ୍ଟର ଚାଷ ଜମିକୁ ପାଣି ଛଡାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏହାଦ୍ଵାରା ମୟୂରଭଞ୍ଜ ଜିଲ୍ଲାର ବାରିପଦା, ବେତନଟୀ, ମୋରଡା, ଶୂଳିଆପଦା ଓ ରାସଗୋବିନ୍ଦପୁର ବ୍ଲକର ୯୪ଟି ଗ୍ରାମର ଚାଷ ଜମିକୁ ଜଳସେଚନର ସୁବିଧା ମିଳିଲା । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ମୟୂରଭଞ୍ଜ ଜିଲ୍ଲା ଓ ସାରା ଓଡିଶା ପାଇଁ ଏକ ଆନନ୍ଦର ଦିନ । ଏହା ଦ୍ଵାରା ମୟୂରଭଞ୍ଜରେ ଜମିରେ ସୁନାର ଫସଲ ଫଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଦ୍ଵାରା ମୟୂରଭଞ୍ଜ ଓ ବାଲେଶ୍ଵରର ୧.୦୯ ଲକ୍ଷ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଚାଷୀଙ୍କୁ ମିଳିଲା ସୁବର୍ଣ୍ଣରେଖା ଜଳ: ମୟୂରଭଞ୍ଜର ୯୪ଟି ଗାଁର ୧୫୩୫୯ ହେକ୍ଟର ଜମିକୁ ଗଲା ପାଣି

ଜଳ ଏକ ଅମୂଲ୍ୟ ସମ୍ପଦ । ଏହାକୁ ନଷ୍ଟ ନ କରି ଠିକ ଭାବେ ବିନିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ସରକାର ସବୁବେଳେ ଚାଷୀଙ୍କ ସାଥିରେ ଅଛି । ସେମାନଙ୍କ ଉନ୍ନତି ପାଇଁ କାମ କରୁଛି । କାଳିଆ ଯୋଜନାରେ ୬୭ ଲକ୍ଷ ଚାଷୀ ପରିବାର ଉପକାର ପାଉଛନ୍ତି । ସରକାରଙ୍କ ବିଭିନ୍ନ କୃଷିକଲ୍ୟାଣ କାର୍ଯ୍ୟକ୍ରମ ଯୋଗୁ ଚାଷୀ ଆଜି ସମ୍ମାନର ସହ ବଞ୍ଚି ପାରୁଛି । ଚାଷୀକୁ ତାର ହକ ଦେବା ଆମର ଲକ୍ଷ୍ୟ । ଚାଷୀର ହକ ମିଳିଲା ପର୍ଯ୍ୟନ୍ତ ଆମର ଲଢେଇ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି କରିଛନ୍ତି ।

ମୟୂରଭଞ୍ଜର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ପଦକ୍ଷେପ ନେଉଛନ୍ତି । ଆଜିର ପ୍ରକଳ୍ପ ଦ୍ଵାରା ୨୦୨୪ ଜାନୁଆରୀ ସୁଧା ଜିଲ୍ଲାର ୭୦ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ । କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା । ରାଜ୍ୟରେ ଜଳସେଚନ ପାଇଁ ବିଭାଗର ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା (5T) ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାପାଳ ସ୍ଵାଗତ ଭାଷଣ ଦେଇଥିବାବେଳେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି କେ ଜେନା ଏବଂ ଜଳସଂପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ଉପସ୍ଥିତ ଥିଲେ ।

ମୟୂରଭଞ୍ଜ ଜିଲ୍ଲା ମୋ ପାଇଁ ସ୍ଵତନ୍ତ୍ର ଗୁରୁତ୍ଵ ବହନ କରେ -ମୁଖ୍ୟମନ୍ତ୍ରୀ

ମୟୂରଭଞ୍ଜ ତାଙ୍କ ପାଇଁ ସ୍ଵତନ୍ତ୍ର ଗୁରୁତ୍ଵ ବହନ କରେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଞ୍ଜରେ ସ୍ୱାସ୍ଥ୍ୟସେବାର ବିକାଶ ହେଉ ବା ମିଶନଶକ୍ତି କାର୍ଯ୍ୟର ସଫଳ ରୂପାୟନ । ଅବା ଜନଜାତି ମାନଙ୍କର ବିକାଶ ସବୁ କ୍ଷେତ୍ରରେ ମୟୂରଭଞ୍ଜ ଆଜି ଉନ୍ନତି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସବୁ ଘରକୁ ସବୁ ପରିବାରକୁ ପାଣି ଯୋଗାଇବାରେ ଦେଶର ପ୍ରଥମ ହେବ ମୟୁରଭଞ୍ଜ- ମୁଖ୍ୟମନ୍ତ୍ରୀ ସବୁ ଘରକୁ ସବୁ ପରିବାରକୁ ପାଇପ ପାଣି ଯୋଗାଇବାରେ ଦେଶର ଅଳ୍ପ କେତେକ ଜିଲ୍ଲା ମଧ୍ୟରୁ ମୟୂରଭଞ୍ଜ ପ୍ରଥମ ଜିଲ୍ଲା ହେବ । ମୟୂରଭଞ୍ଜରେ ପାଇପ ପାଣି ପ୍ରକଳ୍ପ ପାଇଁ ୭୬୮ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

୨ -୩ ବର୍ଷରେ ୧୫ ଟି ଜଳସେଚନ ପ୍ରକଳ୍ପ ହେବ କାର୍ଯ୍ୟକ୍ଷମ

ଜଳସେଚସନ ରାଜ୍ୟ ସରକାରଙ୍କର ଏକ ପ୍ରଥମିକତା କ୍ଷେତ୍ର । ଆଗାମୀ ଖରିଫ ଋତୁରୁ ଦେଓ ଜଳସେଚନ ପ୍ରକଳ୍ପରୁ ୧୦ ହଜାର ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯିବ । ଆଗାମୀ ୨-୩ ବର୍ଷ ମଧ୍ୟରେ ପ୍ରାୟ ୧୫ ଟି ଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated :Jul 19, 2021, 10:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.