ETV Bharat / state

ବିଚ ରାସ୍ତାରେ ୨ ଜଣ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

author img

By ETV Bharat Odisha Team

Published : Oct 11, 2023, 10:29 AM IST

2 person brutally attacked by miscreants
2 person brutally attacked by miscreants

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ ବାଇକରେ ଆସି ଦୁଇ ଜଣ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ । ଉଭୟଙ୍କ ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି । ଅଧିକ ପଢ଼ନ୍ତୁ

ରାଇରଙ୍ଗପୁର: ବାଇକରେ ଆସି ଦୁଇ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଉଦଳା-ବାରିପଦା ରାଜ୍ୟ ରାଜପଥର ଗଞ୍ଜାମ ଛକରେ । ତେବେ ଦୁର୍ବୃତ୍ତଙ୍କ ଆକ୍ରମଣରେ ୨ ଜଣ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଜିଲ୍ଲାର ଉଦଳା ହାଟରୁ କିଛି ଗୋରୁ ବେପାରୀ ଗୋରୁ ନେଇ ଚାଲି ଚାଲି ବାରିପଦା ପଟକୁ ଫେରୁଥିଲେ । ଉଦଳା-ବାରିପଦା ରାସ୍ତା ଦେଇ ଯାଉଥିବା ସମୟରେ ଗଞ୍ଜାମ ଛକ ନିକଟରେ ଗୋଟିଏ ବୋଲେରୋ ଏବଂ ବୁଲେଟରେ ଆସି କିଛି ଯୁବକ ଚାଲି ଚାଲି ଯାଉଥିବା ଗୋରୁ ବେପାରୀମାନଙ୍କୁ ରାସ୍ତାରେ ଅଟକାଇ ଥିଲେ । ଫଳରେ ଗୋରୁ ବେପାରୀ ଓ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା । ଏନେଇ ଗୋରୁ ବେପାରୀମାନେ ଫୋନ୍‌ ଯୋଗେ ଉଦଳା ଥାନା ଅନ୍ତର୍ଗତ ଚୁଳିଆପୋଷି ଗ୍ରାମରୁ ଦୁଇ ଜଣ ଯୁବକଙ୍କୁ ଡାକିଥିଲେ । ତେବେ ଚୁଳିଆପୋଷି ଗ୍ରାମର ଦିଲ୍ଲୀପ ବାରିକ ଏବଂ ସୁରେଶ ସାମଲ ଘଟଣାସ୍ଥଳରେ ପହଞ୍ଚିବା ପରେ ବାରିପଦାରୁ ଆସିଥିବା ଯୁବକମାନେ ଦୁହିଁଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ - ରଣକ୍ଷେତ୍ର ପାଲଟିଲା ମାଷ୍ଟରକ୍ୟାଣ୍ଟିନ, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଦିଲ୍ଲୀପ ଓ ସୁରେଶଙ୍କୁ ଦୁର୍ବୃତ୍ତମାନେ ଭୁଜାଲି ଓ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ ପକାଇ ଥିଲେ। ଆକ୍ରମଣ କରି ବାରିପଦାରୁ ଆସିଥିବା ଯୁବକମାନେ ସେଠାରୁ ଖସି ପଳାଇ ଯାଇଥିଲେ । ତେବେ ସ୍ଥାନୀୟ ଲୋକ ରକ୍ତାକ୍ତ ଅବସ୍ଥାରେ ଦିଲ୍ଲୀପ ଓ ସୁରେଶଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ମେଡିକାଲ ରେ ଭର୍ତ୍ତି କରିଥଲେ । ହେଲେ ଉଭୟଙ୍କ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ବାରିପଦା ପିଆରଏମ୍‌ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଦୁଇ ଯୁବକଙ୍କ ହାତ, ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ସେପଟେ ଖବର ପାଇ ଖୁଣ୍ଟା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପ୍ରୟାସ ଜାରି ରଖିଛି । ତେବେ ଏହି ଆକ୍ରମଣ ପଛରେ କାରଣ କଣ ରହିଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.