ETV Bharat / state

ପାଣି ଭର୍ତ୍ତି ଗାତରେ ବୁଡ଼ି ଦୁଇ ଶିଶୁ କନ୍ୟା ମୃତ

author img

By

Published : Feb 3, 2023, 1:23 AM IST

Breaking News

ପାଣି ଭର୍ତ୍ତି ଗର୍ତ୍ତରେ ଖସିପଡ଼ିଲେ ୨ ଶିଶୁ । ଉଦ୍ଧାର କରି ନିଆଗଲା ମେଡ଼ିକାଲ । ଡାକ୍ତର କଲେ ମୃତ୍ୟୁ ଘୋଷଣା । ଅଧିକ ପଢ଼ନ୍ତୁ

ମାଲକାନଗିରି : ରାସ୍ତା ଉପରେ ଠିକାଦାର ଖୋଳିଥିବା ଖାଲରେ ପଡ଼ି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଢେପ ସାହିର ଶୁଭଦ୍ରା କମାର (୪) ଏବଂ ସୁମୀ ଜାନମ (୩) ଦୁହେଁ ଆଜି ସକାଳେ ଘର ବାହାରେ ଖେଳୁଥିଲେ। ତେବେ ଖେଳୁଥିବା ସମୟରେ ପାଖରେ ଖୋଳାଯାଇଥିବା ଏକ ବଡ଼ ଗାତରେ ଅସାବଧାନତା ଯୋଗୁଁ ଉଭୟଙ୍କର ଗୋଡ଼ ଖସିଯାଇଥିଲା । ଫଳରେ ଦୁହେଁ ଖସିପଡ଼ିଥିଲେ ପାଣି ଭର୍ତ୍ତି ଗର୍ତ୍ତ ଭିତରେ ।

ତେବେ ଖାଲରେ ଅଧିକ ପାଣି ଥିବାରୁ ସେମାନେ ଉପରକୁ ଉଠି ପାରିନଥିଲେ । ବଞ୍ଚିବା ପାଇଁ ଘର ଲୋକଙ୍କୁ ଡାକିଥିଲେ । ହେଲେ କେହି ତାଙ୍କ ପାଟି ଶୁଣିପାରିନଥିଲେ । କିଛି ସମୟ ଧରି ଛୁଆ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ସେହି ସମୟରେ ଉକ୍ତ ଖାଲରେ ପିଲା ୨ଜଣ ପଡ଼ିଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ଗ୍ରାମବାସୀଙ୍କ ସହାୟତାରେ ୨ ଶିଶୁ କନ୍ୟାଙ୍କୁ ଉଦ୍ଧାର କରି ଚିତ୍ରକୋଣ୍ଡା ହସ୍ପିଟାଲକୁ ନେଇଥିଲେ ।

ହେଲେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ଅଞ୍ଚଳରେ ରାସ୍ତା କାମ ପାଇଁ ଠିକାଦାରମାନେ ଖାଲ ଖୋଳି ପାଣି ରଖୁଥିଲେ । ହେଲେ ରାସ୍ତା କାମ ସରିବା ପରେ ଗାତକୁ ନପୋତି ତାକୁ ଖୋଲା ଛାଡି ଦେଇଥିଲେ । ଯାହା ଦ୍ଵାରା ଏହି ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ୨ ଶିଶୁ କନ୍ୟାଙ୍କ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ଗୋଟିଏ ଗାଁରେ ୨ ଶିଶୁଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଗ୍ରାମବାସୀ । ୨ ଜଣ ପ୍ରିତିଦନ ସାଙ୍ଗ ହୋଇ ଖେଳନ୍ତି । ଆଜି ମଧ୍ୟ ଖେଳୁଥିଲେ । ହେଲେ କିଏ ବା ଜାଣିଥିଲା ଯେ ଘର ବାହାରେ ଯମ ଜଗିଛି । ୨ ଶିଶୁଙ୍କ ମୃତ୍ୟୁ ହେବାପରେ ପରିବାରରେ ଯେପରି କଳାବାଦଲ ଖେଳିଯାଇଛି । ମୁଣ୍ଡ ପିଟି କାନ୍ଦୁଛି ମାଆ । ପରିବାର ଲୋକେ ତ ଧର୍ଯ୍ୟ ବି ଧରିପାରୁନାହାଁନ୍ତି । କିଛି ବୁଝିବା ଆଗରୁ ସବୁ ଯେପରି ଶେଷ ହୋଇଯାଇଛି । ଡାକ୍ତରଙ୍କ ଘୋଷଣା ପରେ ପାଦତଳୁ ମାଟି ଖସିଗଲା ପରି ଲାଗିଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.