ETV Bharat / state

ପୁଣି ଅସହାୟଙ୍କ ପାଇଁ ସାହା ପାଲଟିଲେ ଏସଆଇ ଶୁଭଶ୍ରୀ ନାୟକ

author img

By

Published : Sep 14, 2020, 1:12 PM IST

si subhashree nayak, malkangiri si subhashree nayak, humanity of si subhashree, malkangiri latest news, ଏସଆଇ ଶୁଭଶ୍ରୀ ନାୟକ, ମାଲକାନଗିରି ଏସଆଇ ଶୁଭଶ୍ରୀ ନାୟକ, ଏସଆଇ ଶୁଭଶ୍ରୀଙ୍କ ବଦାନ୍ୟତା, ମାଲକାନଗିରି ଲାଟେଷ୍ଟ ନ୍ୟୁଜ୍‌
ପୁଣି ଅସହାୟଙ୍କ ପାଇଁ ସାହା ପାଲଟିଲେ ଏସଆଇ ଶୁଭଶ୍ରୀ ନାୟକ

ମାନବ ସେବା ହିଁ ମାଧବ ସେବା । ଏହି ଉକ୍ତିଟିକୁ ଯଥାର୍ଥ କରି ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି ପୋଲିସ ଏସଆଇ ଶୁଭଶ୍ରୀ ନାୟକ । ପୂର୍ବରୁ ଜଣେ ଅସହାୟ ମହିଳାଙ୍କୁ ହାତରେ ଖୁଆଇ ପ୍ରଶଂସା ସାଉଣ୍ଟିଥିବା ଶୁଭଶ୍ରୀ ଆଜି ଜଣେ ଦିବ୍ୟାଙ୍ଗଙ୍କୁ ଦେଖାଇଛନ୍ତି ବଞ୍ଚିବାର ରାହା । ଅଧିକ ପଢନ୍ତୁ...

ମାଲକାନଗିରି: ମାନବ ସେବା ହିଁ ମାଧବ ସେବା । ଏହି ଉକ୍ତିଟିକୁ ଯଥାର୍ଥ କରି ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି ପୋଲିସ ଏସଆଇ ଶୁଭଶ୍ରୀ ନାୟକ । ଜୁଲାଇ 13 ତାରିଖର ସେହି କାଳ ମୁହୂର୍ତ୍ତରେ ଚାଷ କରୁଥିବା ବେଳେ ହ୍ୟାଣ୍ଡ ଟ୍ରାକଟର ତଳେ ଚାପି ହୋଇ ନିଜ ବାମ ଗୋଡ ସମ୍ପୂର୍ଣ୍ଣ ହରାଇଥିଲେ ପଡିଆ ବ୍ଲକ ଉଣ୍ଡୁରୁକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏମଭି 56 ଗ୍ରାମର ସୁଜନ ବିଶ୍ବାସ । ଭେଣ୍ଡିଆ ପୁଅକୁ ନେଇ ବୃଦ୍ଧ ବାପା ମା’ ମାଲକାନାଗିରିରୁ ଆନ୍ଧ୍ରପ୍ରଦେଶର ବିଭିନ୍ନ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇ ନିଃସ୍ବ ହୋଇ ପଡ଼ିଥିଲେ । ଏମିତିରେ ଏମାନଙ୍କ ପାଇଁ ଆଶାର କିରଣ ପାଲଟିଛନ୍ତି ଏସଆଇ ଶୁଭଶ୍ରୀ ନାୟକ ।

ପୁଣି ଅସହାୟଙ୍କ ପାଇଁ ସାହା ପାଲଟିଲେ ଏସଆଇ ଶୁଭଶ୍ରୀ ନାୟକ

ଏହି ପରିବାର ପକ୍ଷେ ବର୍ତ୍ତମାନ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଜମି ବିକ୍ରି କରିବାକୁ ପଡିଥିବା ବେଳେ ଚିକିତ୍ସାରେ ସୁଜନଙ୍କ ବାମ ଗୋଡଟିକୁ କାଟିବାକୁ ପଡିଥିଲା । ଅର୍ଥାଭାବ ଓ ଶାରିରୀକ ପୀଡା ପାଇଁ ଜୀବନ ଏକପ୍ରକାର ଦୁର୍ବିସହ ହୋଇପଡିଥିଲା ଏମାନଙ୍କ ପାଇଁ । ଏତିକି ବେଳେ ଏକ ନୂତନ ଆଶାର ବାଡ଼ି ଧରି ପହଞ୍ଚିଥିଲେ ମାଲକାନଗିରି ଜିଲ୍ଲା ପୋଲିସରେ କାର୍ଯ୍ୟରତ ମହିଳା ଏସଆଇ ଶୁଭଶ୍ରୀ ନାୟକ । ସୋମବାର ଶୁଭଶ୍ରୀ ଏମଭି 56ସ୍ଥିତ ସୁଜନଙ୍କ ଘରେ ପହଞ୍ଚି ତାଙ୍କୁ ଭେଟିବା ସହ ଆଗାମୀ ଦିନରେ ଚିକିତ୍ସା ପାଇଁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେବା ନେଇ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ ।

ସୁଜନଙ୍କର ମେଡିକାଲ ରିପୋର୍ଟକୁ ଦେଖିବା ସହ ଜିଲ୍ଲା ଓ ରାଜ୍ୟ ଦିବ୍ୟାଙ୍ଗ କମିଟିର ଅଧିକାରୀଙ୍କ ସହ ଆଲୋଚନା କରି ଗୋଡର ଚିକିତ୍ସା କରିବା ପାଇଁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେବାକୁ କହିଥିଲେ। କେବଳ ସେତିକି ନୁହେଁ, ନିଜ ସାଥିରେ ଆଣିଥିବା ଫଳ ଓ ବିସ୍କୁଟ ଦେଇ ସୁଜନକୁ ଆଗାମୀ ଦିନରେ ପୁଣି ପାଠ ପଢି ପରିବାରର ଆବଶ୍ୟକତାକୁ ପୂରଣ କରିବାରେ ନିଜକୁ ନିୟୋଜିତ କରିବାକୁ କହି ଉତ୍ସାହିତ ମଧ୍ୟ କରିଥିଲେ ।

ଏହାପୂର୍ବରୁ ଲକଡାଉନ ବେଳେ ଡ୍ୟୁଟିରେ ରହି ଜଣେ ଅସହାୟ ବୃଦ୍ଧାଙ୍କୁ ନିଜ ହାତରେ ଖାଦ୍ୟ ଖୁଆଇବା ସହ ଜଣେ ନାରୀର ସ୍ନେହବୋଳା ଚରିତ୍ରକୁ ନେଇ ସେତେବେଳେ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲେ ଏସଆଇ ଶୁଭଶ୍ରୀ। ଏହି ସମୟରେ ବିଭିନ୍ନ ସମାଜିକ ଗଣମାଧ୍ୟମରେ ତାଙ୍କୁ ନେଇ ଖୁବ୍‌ ଚର୍ଚ୍ଚା ମଧ୍ୟ ହୋଇଥିଲା ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.