ETV Bharat / state

ନୂତନ ପଞ୍ଚାୟତ ଓ ରାସ୍ତା ଦାବି ନେଇ ଭୋଟ ବର୍ଜନ ଚେତାବନୀ

author img

By

Published : Oct 27, 2021, 11:55 AM IST

ନୂତନ ପଞ୍ଚାୟତ ଓ ରାସ୍ତା କରାନଗଲେ ଭୋଟ ବର୍ଜନ କରିବାକୁ ପଞ୍ଚାୟତବାସୀଙ୍କ ଚେତାବନୀ
ନୂତନ ପଞ୍ଚାୟତ ଓ ରାସ୍ତା କରାନଗଲେ ଭୋଟ ବର୍ଜନ କରିବାକୁ ପଞ୍ଚାୟତବାସୀଙ୍କ ଚେତାବନୀ

ମାଲକାନଗିରି ଜିଲ୍ଲାପାଳଙ୍କୁ ଭେଟିଲେ ବିଛିନ୍ନାଞ୍ଚଳ ନାକାମାମୁଡି ପଞ୍ଚାୟତବାସୀ । ଦୂରତା କାରଣରୁ ନାନାଦି ସମସ୍ୟାର ହେଉଛନ୍ତି ସମ୍ମୁଖୀନ । ଲୋକସଂଖ୍ୟା ଦୃଷ୍ଟିରୁ ନୂତନ ପଞ୍ଚାୟତ ଗଠନ କରିବା ନେଇ ଜଣାଇଲେ ଦାବି । ଅଧିକ ପଢନ୍ତୁ...

ମାଲକାନଗିରି: ନୂତନ ପଞ୍ଚାୟତ ଘୋଷଣା ଓ ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ବିଛିନ୍ନାଞ୍ଚଳ ନାକାମାମୁଡି ପଞ୍ଚାୟତବାସୀ। ମାଲକାନଗିରି ଜିଲ୍ଲାର ନାକାମାମୁଡି ପଞ୍ଚାୟତ ପୁର୍ବରୁ କୁଡୁମୁଲୁଗୁମ୍ମା ବ୍ଲକ ଅଧିନରେ ଥିଲା । କୁଡୁମୁଲୁଗୁମ୍ମା ବ୍ଲକକୁ ଚିତ୍ରକୁଣ୍ଡାକୁ ସ୍ଥାନାନ୍ତର କରିଲାପରେ ବର୍ତ୍ତମାନ କୋରୋକୁଣ୍ଡା ବ୍ଲକ ଅଧୀନରେ ଏହି ପଞ୍ଚାୟତ ରହିଛି । ତେବେ ଏବେ ଦୂରତା କାରଣରୁ ବିଭିନ୍ନ ସମସ୍ୟା ହେଉଥିବାବେଳେ ସ୍ଥାନୀୟ ଗ୍ରାମବାସୀଙ୍କ ଦାବି ପ୍ରତି ପ୍ରଶାସନ କର୍ଣ୍ଣପାତ ନକେଲେ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ପଞ୍ଚାୟତବାସୀ ।

ନୂତନ ପଞ୍ଚାୟତ ଓ ରାସ୍ତା ଦାବି ନେଇ ଭୋଟ ବର୍ଜନ କରିବାକୁ ପଞ୍ଚାୟତବାସୀଙ୍କ ଚେତାବନୀ

ଏହି ପଞ୍ଚାୟତରେ 19ଟି ଓ୍ବାର୍ଡରେ 33ଟି ଗାଁର 7 ହଜାରରୁ ଅଧିକ ଭୋଟର ଥିବାବେଳେ 7ଟି ୱାର୍ଡର 15ଟି ଗାଁର 6 ହଜାରରୁ ଅଧିକ ଗ୍ରାମବାସୀ ଚିତ୍ରକୋଣ୍ଡା ଜଳଭଣ୍ଡାର ମଧ୍ୟରେ ରୁହନ୍ତି ଏବଂ ଆଉ କିଛି ଗ୍ରାମ ପାହାଡ ପର୍ବତ ମଧ୍ୟରେ ରହୁଛି । ଗାଁ ଗୁଡିକ ପଞ୍ଚାୟତ ଠାରୁ 40-50 କିଲୋମିଟର ଦୂର ହେଉଥିବାରୁ ଚାଲିଚାଲି ଆସି ଭତ୍ତା ଟଙ୍କା ଓ ପିଡିଏସ୍ ଚାଉଳ ନେବାକୁ ଦୁଇ ଦିନ ଲାଗିଯାଉଛି । ଯାହା ଫଳରେ ପଞ୍ଚାୟତବାସୀ ନିଜ ପଞ୍ଚାୟତକୁ ଆସି ସରକାରୀ ସୁବିଧା ସୁଯୋଗ ପାଇବାରେ ନାହିଁନଥିବା ସମସ୍ୟା ଭୋଗୁଛନ୍ତି । ଏଣୁ ଏହି ପଞ୍ଚାୟତର ବାୟାପଡ, ଆମ୍ବିଳିବେଡା, ନାରିଙ୍ଗିଝୋଲା, ମୁଦୁଲିଗୁଡା ଭଳି ବହୁ ଗାଁରୁ ଆଦିବାସୀ ଡିଡାଇ ଜନଜାତିର ଗ୍ରାମବାସୀ ଆସି ଜିଲ୍ଲାପାଳଙ୍କୁ ଭେଟି ନାକାମାମୁଡି ପଞ୍ଚାୟତକୁ ଭାଗକରି ବାୟାପଡା ଓ ମୁଦୁଲିଗୁଡାରେ ୨ଟି ନୂତନ ପଞ୍ଚାୟତ ଘୋଷଣା କରିବାକୁ ଦାବି କରିବା ସହ ସେ ସ୍ଥାନୀୟ ଅଞ୍ଚଳରେ ଯାତାୟତ ପାଇଁ ଭଲ ରାସ୍ତା ନିର୍ମାଣ କରିବାକୁ କହିଛନ୍ତି ।

ଏହାର ତୁରନ୍ତ ସମାଧାନ କରାନଗଲେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ଜିଲ୍ଲାପାଳଙ୍କୁ ଜଣାଇ ଦେଇଛନ୍ତି ଗ୍ରାମବାସୀ । ଏହି ବିଷୟରେ ଜିଲ୍ଲାପାଳଙ୍କୁ ପଚାରିବାରୁ କ୍ୟାମେରା ସାମ୍ନାରେ କିଛି ନକହିଥିଲେ ମଧ୍ୟ ଆଗାମୀ ଜନଗଣନା ଅନୁସାରେ ଯେଉଁ ଅଞ୍ଚଳରେ ଲୋକସଂଖ୍ୟା ଅଧିକ ହେବ, ସେ ଅଞ୍ଚଳରେ ନୂତନ ପଞ୍ଚାୟତ ଗଠନ କରାଯିବ ବୋଲି ସୂଚନା ଦେଇଛନ୍ତି । ସେହିପରି ପଞ୍ଚାୟତବାସୀ କରିଥିବା ଯାତାୟତ ସମସ୍ୟାର ସମାଧାନ ତୁରନ୍ତ କରାଯିବା ନେଇ ପ୍ରଶାସନ ପଦକ୍ଷେପ ନେବେ ବୋଲି ମଧ୍ୟ କହିଛନ୍ତି ଜିଲ୍ଲାପାଳ ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.