ETV Bharat / state

ନୂଆବର୍ଷରେ ବୀଭତ୍ସ ହତ୍ୟା: ପିଅନ ଟାଙ୍ଗିଆ ଚୋଟରେ ଶିକ୍ଷକ ମୃତ, ଅଭିଯୁକ୍ତର ଆତ୍ମସମର୍ପଣ

author img

By

Published : Jan 1, 2023, 7:51 PM IST

Updated : Jan 1, 2023, 8:50 PM IST

Teacher dies in Malkangir
ଟାଙ୍ଗିଆରେ ମାରିଦେଲେ ଶିକ୍ଷକଙ୍କୁ

18:54 January 01

ନୂଆବର୍ଷରେ ବୀଭତ୍ସ ହତ୍ୟା: ପିଅନ ଟାଙ୍ଗିଆ ଚୋଟରେ ଶିକ୍ଷକ ମୃତ, ଅଭିଯୁକ୍ତର ଆତ୍ମସମର୍ପଣ

ଟାଙ୍ଗିଆରେ ମାରିଦେଲେ ଶିକ୍ଷକଙ୍କୁ

ମାଲକାନଗିରି: ସ୍କୁଲ୍‌ ପିଅନର ଟାଙ୍ଗିଆ ଚୋଟରେ ଶିକ୍ଷକଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଶିକ୍ଷକ ଜଣକ ହେଲେ ନିରାକାର ସେଠୀ । ସ୍ଥାନୀୟ ଏକ ଶିଶୁ ମନ୍ଦିର ସ୍କୁଲ୍‌ରେ ଗଣିତ ଶିକ୍ଷକ ଥିଲେ ନିରାକାର ସେଠୀ । ଆଜି(ରବିବାର) ସକାଳେ ବିଦ୍ୟାଳୟକୁ ଯାଇଥିବା ବେଳେ ବିଦ୍ୟାଳୟ ଗେଟ୍‌ ଖୋଲାଥିବା ଦେଖି ସାମାନ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ।

ସେହି ସମୟରେ ପିଅନ ନରେଶ କ୍ଷତ୍ରିୟ ବସି ଖାଉଥିଲେ । ନିରାକର ଅସନ୍ତୋଷ ବ୍ୟକ୍ତ କରିବା କ୍ଷଣି ସେ ପାଖରେ ଥିବା ଏକ ଟାଙ୍ଗିଆରେ ମୁଣ୍ଡ ଓ ବେକକୁ ଚୋଟ ପକାଇଥିଲା ନରେଶ । ନିରାକାର ସ୍କୁଲ୍‌କୁ ଆସି ନରେଶ କ୍ଷତ୍ରିୟକୁ କହିଥିଲେ, "କାହିଁକି ଗେଟ୍ ଖୋଲା ରଖିଛ । ଗଛ ଗୁଡ଼ିକୁ ଗାଈ ଖାଇଯିବ ।" ଏହାପରେ ନରେଶ ଉତକ୍ଷୀପ୍ତ ହୋଇ, "ମୋତେ କଣ ଖାଇବାକୁ ଦେବ ନାହିଁ" କହି ଟାଙ୍ଗିଆରେ ଆକ୍ରମଣ କରି ଚାଲିଥିଲା।

ନିରାକାରଙ୍କ ଚିତ୍କାର ଶୁଣି ନିକଟରେ ଥିବା କିଛି ବ୍ୟକ୍ତି ଅନ୍ୟ ଶିକ୍ଷକଙ୍କୁ ଫୋନ୍‌ କରି ଡାକିଥିଲେ। ଖବରପାଇ ଅନ୍ୟ ଶିକ୍ଷକମାନେ ସେଠାରେ ପହଞ୍ଚି ନିରାକାରଙ୍କୁ ତୁରନ୍ତ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ନେଇଯାଇଥିଲେ । ହେଲେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ନିରାକାରଙ୍କ ମୃତ୍ୟୁ ଘଟିଥିଲା ।

ଏହି ଘଟଣା ପରେ ପିଅନ ନରେଶ ନିଜେ ଥାନାରେ ପହଞ୍ଚି ଆତ୍ମ ସମର୍ପଣ କରିଛି । ନିରାକର ଗୁରୁଜୀ ସବୁବେଳେ ଗାଳି ଦେଉଥିବାରୁ ତାଙ୍କୁ ଟାଙ୍ଗିଆରେ ହାଣି ଦେଇଥିବା କଥା କହିଛି ନରେଶ । ମାଲକାନଗିରି ଥାନା ଅଧିକାରୀ ରିଙ୍ଗନ କିଣ୍ଡୋ ପୋଲିସ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ । ପରେ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି ।

ଅନ୍ୟପକ୍ଷରେ ପିଅନ ନରେଶକୁ ପୋଲିସ ଥାନରେ ଅଟକ ରଖି ପଚରାଉଚରା କରୁଛି । ସୂଚନାନୁସାରେ ଶିକ୍ଷକ ନିରାକାର ଦୀର୍ଘ ୧୫ରୁ ଊର୍ଦ୍ଧ୍ବ ବର୍ଷ ହେବ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଗଣିତ ଶିକ୍ଷକ ଭାବେ ଥିଲେ । ସେ ଜଣେ ଉତ୍ତମ ଓ ପରୋପକାରୀ ଶିକ୍ଷକ । ତାଙ୍କ ମୃତ୍ୟୁରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶୋକର ଛାୟା ଖେଳିଯାଇଛି ।

ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ନିରାକରଙ୍କ ନିଜ ଘର । ସେ ବାପାମାଆଙ୍କର ଗୋଟିଏ ମାତ୍ର ପୁଅ । ମୃତ ନିରାକାରଙ୍କ ଦାଦା ନନ୍ଦ କିଶୋର ସେଠୀ ଥାନାରେ ଏତଲା ଦେବାପରେ ମାଲକାନଗିରି ଥାନାଧିକାରୀ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏ ସମ୍ପର୍କରେ ମୃତ ନିରାକାରଙ୍କ ଦାଦା ନନ୍ଦ କିଶୋର ସେଠୀ କହିଛନ୍ତି, "ଆଜି ସକାଳେ କୌଣସି କଥାକୁ ନେଇ ଶିକ୍ଷକ ନିରାକାର ସେଠୀ ଓ ପିଅନ ନରେଶ କ୍ଷତ୍ରୀୟ ମଧ୍ୟରେ ବଚସା ହୋଇଥିଲା । ଏହି ସମୟରେ ନରେଶ ଉତକ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ନିରାକାରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା ଯେଉଁଥିରେ କି ନିରାକାରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଆଉ ତାଙ୍କର ମୃତ୍ୟୁ ହୋଇଛି । ତେଣୁ ପୋଲିସ ଦୋଷୀକୁ ଦଣ୍ଡ ଦେଉ ଓ ମୃତ ନିରାକାରଙ୍କୁ ନ୍ୟାୟ ଦେଉ।"

ଇଟିଭି ଭାରତ, ମାଲକାନଗିରି

Last Updated :Jan 1, 2023, 8:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.