ETV Bharat / state

ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲା: ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଆଶ୍ବସ୍ତି

author img

By

Published : Jan 25, 2023, 2:14 PM IST

Manish Agrwal relax
ମନୀଷ ଅଗ୍ରୱାଲଙ୍କୁ ଆଶ୍ବସ୍ତି

ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଆଶ୍ବସ୍ତି । ଆଗାମୀ ଫେବୃଆରୀ ମାସ ୨୦ତାରିଖରେ କୋର୍ଟରେ ହାଜର ହେବେ ଜିଲ୍ଲାପାଳ ମନୀଷ । ଅଧିକ ପଢ଼ନ୍ତୁ

ମନୀଷ ଅଗ୍ରୱାଲଙ୍କୁ ଆଶ୍ବସ୍ତି

ମାଲକାନଗିରି : ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ମନୀଷ ଅଗ୍ରୱାଲଙ୍କୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ମନୀଷଙ୍କ ଟାଇମ ପିଟିସନକୁ କୋର୍ଟ ଗ୍ରହଣ କରିଛନ୍ତି । ଜାନୁଆରୀ ୨୪ ପରିବର୍ତ୍ତେ ଆସନ୍ତା ଫେବ୍ରୁଆରି ୨୦ ତାରିଖ ଯାଏଁ ମନୀଷଙ୍କୁ ହାଜର ଲାଗି କୋର୍ଟ ସମୟ ଦେଇଛନ୍ତି ।

କୋର୍ଟ କଗନିଜେନସ ଦେବାପରେ ଦେବ ନାରାୟଣ ପଣ୍ଡାଙ୍କ ପତ୍ନୀ କୋର୍ଟ ସାମ୍ନାରେ ସମସ୍ତ ସାକ୍ଷୀଙ୍କୁ ହାଜର କରାଇଥିଲେ । ପରେ ମଙ୍ଗଳବାର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ସମେତ ଅନ୍ୟ ୩ ଜଣ ସହଯୋଗୀଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ଆଜି ମନୀଷ ଅଗ୍ରୱାଲଙ୍କ ଓକିଲ ଯୁବରାଜ ପାରିକ ସମେତ ଅନ୍ୟ ୩ ଜଣ ସହଯୋଗୀଙ୍କ ଓକିଲ ମଧ୍ୟ SDJMଙ୍କ କୋର୍ଟରେ ହାଜର ହୋଇ ଆଉ ଏକ ତାରିଖ ପାଇଁ ଅନୁରୋଧ କରିଥିଲେ ।

SDJM କୋର୍ଟ ମଧ୍ୟ ଓକିଲଙ୍କର ଏହି ଅନୁରୋଧକୁ ରକ୍ଷା କରି ଆସନ୍ତା ଫେବୃଆରୀ ୨୦ ତାରିଖ ଦିନ କୋର୍ଟରେ ମନୀଷ ଅଗ୍ରୱାଲ ଏବଂ ଅନ୍ୟ ତିନି ଜଣ ସହଯୋଗୀଙ୍କୁ ହାଜର କରାଇବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଏ ସମ୍ପର୍କରେ ମନୀଷ ଅଗ୍ରୱାଲଙ୍କ ଓକିଲ କହିଛନ୍ତି ଯେ ତାଙ୍କ ମହକିଲଙ୍କ ନାମରେ ଯିଏ ନୋଟିସ ପଠାଇଛନ୍ତି ସେହି ନୋଟିସରେ ସର୍ଭିସ ପିଟିସନ ନାହିଁ । ତେଣୁ ତାଙ୍କ ନାମରେ କେଉଁ ଅଭିଯୋଗ ଲାଗିଛି ସେ ଜାଣିନଥିଲେ । ତାହା ଜଣାଇଲା ପରେ ସେ ଅନ୍ୟ ଏକ ତାରିଖରେ କୋର୍ଟରେ ଉପସ୍ଥିତ ହେବେ ବୋଲି କହିଥିଲେ ।

ଗତ ଡିସେମ୍ବର ୧୯ ତାରିଖରେ କଗନିଜେନସ ହେବାପରେ ପୂର୍ବତନ ଜିଲ୍ଲାପାଳ ଏବଂ ଅନ୍ୟ ତିନି ଜଣଙ୍କ ନାମରେ ଏସଡିଜେଏମ କୋର୍ଟ ତରଫରୁ ପୁଣି ମାମଲା ରୁଜୁ କରାଯାଇଥିଲା । SDJM କୋର୍ଟ ମୃତ ଦେବ ନାରାୟଣଙ୍କ ପତ୍ନୀ ବନଜାଙ୍କ ବୟାନ ଅନୁସାରେ ଜାନୁଆରୀ ୩ ତାରିଖରେ କୋର୍ଟରେ ସାକ୍ଷୀମାନଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଅନୁସାରେ ଗତ ୧୧ ତାରିଖ ସୁଦ୍ଧା ସମସ୍ତ ସାକ୍ଷୀ ବନଜା ପଣ୍ଡା କୋର୍ଟଙ୍କ ନିକଟରେ ବୟାନ ରଖିଥିଲେ। ଏହାପରେ SDJM କୋର୍ଟ ତରଫରୁ ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଏବଂ ଅନ୍ୟ ତିନି ଜଣଙ୍କୁ କୋର୍ଟରେ ଆସନ୍ତା ଫେବୃଆରୀ ୨୪ ତାରିଖରେ ହାଜର ହେବାକୁ ନୋଟିସ ଜାରି କରିଥିଲେ । ହେଲେ ଆଜି ପୁଣିଥରେ ଏହି କେସ ଉପରେ ପୂର୍ବତନ ଜିଲ୍ଲାପାଳ ମନୀଷଙ୍କୁ ମିଳିଛି ଆଶ୍ବସ୍ତି । ପତ୍ନୀ ବନଜା ମଧ୍ୟ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ନେଇ ପ୍ରମାଣ କରିବେ ବୋଲି ଜିଦରେ ଅଟଳ ରହିଥିବା ଦେଖିବାକୁ ମିଳିଛି ।

ସୂଚନାନୁସାରେ ୨୦୧୯ ମସିହା ଡିସେମ୍ବର ୨୮ ତାରିଖରେ ଅଫିସ୍ ଯାଇ ଆଉ ଫେରି ନଥିଲେ ଦେବ ନାରାୟଣ ପଣ୍ଡା । ପରିବାର ଲୋକେ ତାଙ୍କୁ ଖୋଜିଥିଲେ ମଧ୍ୟ ପାଇନଥିଲେ । ପର ଦିନ ମାଲକାନଗିରି ସତୀଗୁଡ଼ା ଡ୍ୟାମରୁ ମିଳିଥିଲା ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ । ଅଫିସର ଚାପ ଯୋଗୁଁ ଦେବ ନାରାୟଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଥିଲେ ତାଙ୍କ ପତ୍ନୀ ବନଜା । ସ୍ବାମୀଙ୍କ ମୃତ୍ୟୁ ପାଇଁ ଜିଲ୍ଲାପାଳ ଓ ତାଙ୍କ ଅଫିସ୍ ଦାୟୀ ବୋଲି ସେ ଅଭିଯୋଗ କରିଥିଲେ । ହେଲେ ପୋଲିସ ଶୁଣି ନଥିଲା । କେବଳ ଆତ୍ମହତ୍ୟା ମାମଲା ରୁଜୁ କରି ଚୁପ୍ ବସି ଯାଇଥିଲା । ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ବନଜା ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.