ETV Bharat / state

ମାଲକାନଗିରିରେ ମଣ୍ଡି ଅବ୍ୟବସ୍ଥା: ଚାଷୀଙ୍କୁ ମିଳୁନି ଟୋକନ, ଛତିଶଗଡ଼ରେ ବିକୁଛନ୍ତି ଧାନ

author img

By ETV Bharat Odisha Team

Published : Dec 31, 2023, 12:04 PM IST

ମାଲକାନଗିରିରେ ଧାନ ମଣ୍ଡିରେ ଅବ୍ୟବସ୍ଥା
ମାଲକାନଗିରିରେ ଧାନ ମଣ୍ଡିରେ ଅବ୍ୟବସ୍ଥା

Paddy Procurement Issue: ମାଲକାନଗିରିରେ ମଣ୍ଡି ବ୍ୟବସ୍ଥାରେ ଅନିମୟମିତତା ଦେଖିବାକୁ ମିଳିଛି । ଧାନ ବିକ୍ରି ପାଇଁ ଆସୁନି ଟୋକନ । ଶେଷ ହୋଇପାରିନି ଫିଲ୍ଡ ସର୍ଭେ । ପଡୋଶୀ ରାଜ୍ୟ ଦଲାଲକୁ ଧାନ ବିକୁଛନ୍ତି ଚାଷୀ । ଅଧିକ ପଢନ୍ତୁ

ମାଲକାନଗିରିରେ ଧାନ ମଣ୍ଡିରେ ଅବ୍ୟବସ୍ଥା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅବ୍ୟବସ୍ଥା ଘେରରେ ମଣ୍ଡି ବ୍ୟବସ୍ଥା । ମଣ୍ଡି ଖୋଲା ଯାଇଥିଲେ ମଧ୍ୟ ଧାନ ବିକ୍ରି ପାଇଁ ଚାଷୀଙ୍କ ପାଖକୁ ଆସୁନି ଟୋକନ । ଯାହାଫଳରେ ଚାଷୀ ନିଜର ଅମଳ ଧାନକୁ ବାଧ୍ୟ ହୋଇ ପଡୋଶୀ ରାଜ୍ୟର ଦଲାଲଙ୍କୁ ବିକୁଥିବା ଭଳି ଅଭିଯୋଗ ସାମ୍ନାକୁ ଆସିଛି । ଅନ୍ୟପଟେ କଟନୀ ଛଟନୀ ପାଇଁ ମଧ୍ୟ ଚାଷୀ ମଣ୍ଡିରେ ଧାନ ହେବାକୁ ଇଚ୍ଛା ପ୍ରକାଶ କରୁନଥିବା ଜଣାପଡିଛି । ଏଥିସହ ବର୍ତ୍ତମାନ ସୁଦ୍ଧା ଫିଲ୍ଡ ସର୍ଭେ ମଧ୍ୟ ଶେଷ ହୋଇନଥିବା ଜଣାପଡିଛି ।

ଅମଳ ଧାନକୁ ବିକିବା ପାଇଁ ଜଗି ବସିଛି ଚାଷୀ । ମାଲକାନଗିରିରେ ମଣ୍ଡି ଖୋଲିବାର ୧୦ ଦିନ ବିତିଯାଇଥିଲେ ମଧ୍ୟ ଅନେକ ଚାଷୀଙ୍କୁ ଏବେ ସୁଦ୍ଧା ଟୋକନ ମିଳିନାହିଁ । ଟୋକନ ଆସିବା ତ ଦୂରର କଥା ଚାଷୀଙ୍କ ଜମି ସର୍ଭେ ଶେଷ ହୋଇପାରୁ ନାହିଁ । ଏଭଳି ସ୍ଥିତିରେ ସର୍ଭେ କେବେ ଶେଷ ହେବ ଓ ଟୋକନ କେବେ ଆସିବ ସେନେଇ ଚାଷୀ ଚାହିଁ ବସିଛନ୍ତି । ମାଲକାନଗିରିରେ ଚଳିତ ବର୍ଷ ଧାନ ମଣ୍ଡି କ୍ଷେତ୍ରରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ।

ସାଟଲାଇଟ ସର୍ଭେ ପରେ ଫିଲ୍ଡ ସର୍ଭେ ଶେଷ ହୋଇପାରୁନଥିବା ବେଳେ ଚାଷୀଙ୍କୁ ଟୋକନ ମିଳିପାରୁନି । ଏଥିସହ କେତେକ ମଣ୍ଡିରେ କଟନୀ ଛଟନୀ ଯୋଗୁଁ ଧାନ ବିକ୍ରିବାକୁ ଚାଷୀମାନେ ଇଚ୍ଛା ପ୍ରକାଶ କରୁନାହାନ୍ତି । ଯେଉଁଁଥିପାଇଁ ଚାଷୀ ପଡୋଶୀ ରାଜ୍ୟର ଦଲାଲକୁ ଧାନ ବିକ୍ରି କରି ଦେଉଥିବାର ଦେଖିବାକୁ ମିଳୁଛି ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ମଣ୍ଡିରେ ଧାନ ବିକ୍ରି ପାଇଁ ଜିଲ୍ଲାରେ ୩୯ ହଜାର ୬୩୫ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ଏନେଇ ଚାଷୀଙ୍କ ଚୂଡାନ୍ତ ତାଲିକା ପ୍ରକାଶ ପରେ ଅନେକ ଚାଷ ଜମିରେ ଚାଷ ହୋଇନଥିବା ଜଣାପଡିଥିଲା । ଏଥିପାଇଁ ସାଟେଲାଇଟ ସର୍ଭେ ହୋଇଥିବା ବେଳେ ସେଥିରୁ ଚାଷ ହୋଇନଥିବା କିମ୍ବା ସନ୍ଦେହ ରହିଥିବା ପ୍ଲଟ ବିଷୟରେ ତଥ୍ୟ ମିଳିଥିଲା । ତେବେ ଜିଲ୍ଲାରେ ୨୧ ହଜାର ୮୯୮ଟି ପ୍ଲଟରେ ଚାଷ ହୋଇନଥିବା ଜଣାପଡିଥିଲା ।

ସେହି ପ୍ଲଟଗୁଡିକରେ ସର୍ଭେ ଟିମ୍, କୃଷି ଓ ରାଜସ୍ବ ବିଭାଗର କର୍ମଚାରୀ ମିଳିତ ଭାବରେ ଯାଞ୍ଚ ଜାରି ରଖିଥିଲେ ମଧ୍ୟ ଏବେ ସୁଦ୍ଧା ତାହା ଶେଷ ହୋଇପାରି ନାହିଁ । ଜିଲ୍ଲାରେ ୧୬୪୭ଟି ପ୍ଲଟ ସର୍ଭେ ଶେଷ ହୋଇପାରିନଥିବା ବେଳେ ଗତ ୨୦ ତାରିଖରୁ ମଣ୍ଡି ଆରମ୍ଭ ହୋଇସାରିଲାଣି । ସେହିପରି ମାଲକାନଗିରିରେ ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ୪୦ ହଜାର ୨୯୮ କ୍ବିଣ୍ଟାଲ ଧାନ କିଣିବା ଧାର୍ଯ୍ୟ କରାଯାଇଛି । ଏନେଇ ଚାଷୀଙ୍କ ନିକଟରେ ମୋଟ ୫୫ ହଜାର ୯୭୨ଟି ଟୋକନ ପହଞ୍ଚିପାରିଛି । ଆହୁରି ଅନେକ ଚାଷୀ ଟୋକନ ନପାଇ ଜଗି ବସିଛନ୍ତି । ଏଥିମଧ୍ୟରେ ଯେଉଁ ଚାଷୀ ଋଣ କରି ଚାଷ କରିଛନ୍ତି ସେମାନେ ତୁରନ୍ତ ବିକ୍ରି ପାଇଁ ଚେଷ୍ଟା କରୁଛନ୍ତି ।

ଚଳିତ ବର୍ଷ କ୍ବିଣ୍ଟାଲ ପିଛା ସାଧାରଣ ଧାନର ଏମଏସପି ୨୧୮୩ ରହିଥିବା ବେଳେ ଏ ଗ୍ରେଡ ଧାନର ଏମଏସପି ୨୨୦୩ ଟଙ୍କା ରହିଛି । ଛତିଶଗଡ ରାଜ୍ୟରେ ମଣ୍ଡିରେ ଧାନକୁ ୩ ହଜାର ଟଙ୍କାରୁ ଅଧିକରେ ବିକ୍ରି ହେଉଥିବାରୁ ପଡୋଶୀ ଦଲାଲମାନେ ଓଡିଶା ମୁହାଁ ହୋଇଛନ୍ତି । ଓଡ଼ିଶାର ଧାନର ସହାୟକ ମୂଲ୍ୟ ଠାରୁ କମରେ ନଚେତ ସେହି ଦରରେ ମଧ୍ୟ ଦଲାଲମାନେ ଧାନ କିଣି ନେଇ ସେଠାରେ ବିକ୍ରି କରୁଥିବା ଅଭିଯୋଗ ସାମ୍ନାକୁ ଆସିଛି ।

ଏହାମଧ୍ୟ ପଢନ୍ତୁ... ଅବ୍ୟବସ୍ଥା ଘେରରେ ଧାନ ମଣ୍ଡି, ରାଜରାସ୍ତା ଅବରୋଧ କଲେ ଚାଷୀ

ଏନେଇ ମାଲକାନଗିରି ଜିଲ୍ଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକଙ୍କ କହିବାନୁଯାୟୀ, "ଚଳିତ ବର୍ଷ ଜିଲ୍ଲାରେ ୬୭ଟି ମଣ୍ଡିରେ ଧାନ କ୍ରୟ କରାଯାଉଛି । ୮ଟି ଲ୍ୟାମ୍ପସ୍ ଓ ୫ଟି ମହିଳା ସ୍ବୟଂ ସହାୟକ ଗ୍ରୁପ ଏହି ଧାନକୁ କ୍ରୟ କରୁଛନ୍ତି । ୨୦ ତାରିଖରୁ ମଣ୍ଡି ଆରମ୍ଭ ହୋଇଥିବା ବେଳେ ୧୦ ଦିନ ମଧ୍ୟରେ ୭୦୭୭ ଜଣ ଚାଷୀଙ୍କ ଠାରୁ ୨ ଲକ୍ଷ ୨୮ ହଜାର ୯୮୩ କ୍ବିଣ୍ଟାଲ ଧାନ କ୍ରୟ କରାଯାଇଛି । ସର୍ଭେ ଶେଷ ହେବା ପରେ ସମସ୍ତ ଯୋଗ୍ୟ ଚାଷୀ ଟୋକନ ପାଇବେ ଧାନ ବିକ୍ରି କରିବେ ।"

ଅନ୍ୟପଟେ କାଲିମେଳା ଠାରୁ ବାହାର ରାଜ୍ୟକୁ ଯାଉଥବା ବେଳେ 4ଟି ଧାନ ଟ୍ରକକୁ RMC ଓ ଯୋଗାଣ ବିଭାଗ ମିଳିତ ଭାବେ ଅଟକାଇ ଥିବା ଘଟଣାରେ ମୁହଁ ଖୋଲି ନାହାନ୍ତି ଜିଲ୍ଲା ଯୋଗାଣ ଅଧିକାରୀ । ତେବେ ଅତିରିକ୍ତ ଯୋଗାଣ ଅଧିକାରୀ ସିଏଚ୍ ମୁରଲୀକ୍ରିଷ୍ଣା ରାଓଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଜବତ ଚାରୋଟି ଟ୍ରକରେ ସମୁଦାୟ ୧୦୫୦ କ୍ବିଣ୍ଟାଲ ଧାନ ଥିଲା ଯାହାକି ବାହାର ରାଜ୍ୟକୁ ଯାଉଥିଲା । ଏହା ଉପରେ RMC ସେକ୍ରେଟେରୀ ୯୧,୭୦୬ ଟଙ୍କା ଫାଇନ କାଟିବା ପରେ ଛାଡି ଦେଇଥିବା ଜଣାପଡିଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.