ETV Bharat / state

ଭିତ୍ତିଭୂମି ଅଭାବରୁ ଆରମ୍ଭ ହୋଇପାରୁନି ବିଇଡି ପାଠ୍ୟକ୍ରମ, ଜିଲ୍ଲାପାଳଙ୍କୁ ଭେଟିଲେ ବୁଦ୍ଧିଜୀବୀ

author img

By

Published : May 7, 2023, 6:03 PM IST

ବିଇଡି କଲେଜକୁ ମଡେଲ ଡିଗ୍ରୀ କଲେଜକୁ ହସ୍ତାନ୍ତର କରି ପାଠ୍ୟକ୍ରମ ଆରମ୍ଭ
ବିଇଡି କଲେଜକୁ ମଡେଲ ଡିଗ୍ରୀ କଲେଜକୁ ହସ୍ତାନ୍ତର କରି ପାଠ୍ୟକ୍ରମ ଆରମ୍ଭ

ବିଇଡି କଲେଜକୁ ମଡେଲ ଡିଗ୍ରୀ କଲେଜକୁ ହସ୍ତାନ୍ତର କରି ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଦାବି କଲେ ବୁଦ୍ଧିଜୀବୀ । ନାକ ମାନ୍ୟତା ପାଇନଥିବାରୁ ଆରମ୍ଭ ହୋଇପାରୁନାହିଁ ଇଣ୍ଟିଗ୍ରେଟେଡ ବିଇଡି ପାଠ୍ୟକ୍ରମ । ଅଧିକ ପଢନ୍ତୁ

ବିଇଡି କଲେଜକୁ ମଡେଲ ଡିଗ୍ରୀ କଲେଜକୁ ହସ୍ତାନ୍ତର କରି ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଦାବି କଲେ ବୁଦ୍ଧିଜୀବୀ

ମାଲକାନଗିରି: ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ବିଇଡି କଲେଜକୁ କାର୍ଯ୍ୟକ୍ଷମ କରିବାପାଇଁ ଜିଲ୍ଲାର ବୁଦ୍ଧିଜୀବୀ ସଙ୍ଗଠନର ସଦସ୍ଯମାନେ ଅଣ୍ଟା ଭିଡିଛନ୍ତି । ପରିତ୍ୟକ୍ତ ହୋଇ ପଡିରହିଥିବା ବିଇଡି କଲେଜ ଓ ମାଲକାନଗିରି ମଡେଲ ଡିଗ୍ରୀ କଲେଜ କ୍ୟାମ୍ପସ ବୁଲି ଦେଖିବା ସହ ଏହି ବୁଦ୍ଧିଜୀବୀମାନେ ସ୍ଥିତି ପରଖିଥିଲେ । ପରେ ଜିଲ୍ଲାପାଳଙ୍କୁ ଭେଟି ବିଇଡି କଲେଜକୁ ମଡେଲ ଡିଗ୍ରୀ କଲେଜକୁ ସ୍ଥାନାନ୍ତର କରି ପାଠପଢା ଆରମ୍ଭ କରିବାକୁ ଏମାନେ ଦାବି କରିଥିଲେ ।

ମାଲକାନଗିରି ବିଇଡି କଲେଜ କିଭଳି ପରିତ୍ୟକ୍ତ ଅବସ୍ଥାରେ ରହିଛି ଏନେଇ ଇଟିଭି ଭାରତରେ ଗତ ୩ ତାରିଖରେ ଖବର ପ୍ରସାରଣ କରାଯାଇଥିଲା । ଏହାପରେ ଜିଲ୍ଲାର ବୁଦ୍ଧିଜୀବୀମାନେ ଏହି ପ୍ରସଙ୍ଗକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ । ପରେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଏକ ଟିମ୍ ବିଇଡି କଲେଜ ପରିସର ବୁଲି ଦେଖିଥିଲେ । ଏହି ଟିମ୍‌ରେ ଶିକ୍ଷାବିତ୍ ଡା.ମନୋଜ ସାହୁ, ସମାଜସେବୀ ଦୁର୍ଗାପ୍ରସାଦ ତ୍ରିପାଠୀ, ସମାଜସେବୀ ତଥା ଆଇନଜୀବୀ ଦିଲ୍ଲିପ ପାତ୍ର, ଆଇନଜୀବୀ ଶିଶିର ମହାପାତ୍ର ଓ ଗଣମାଧ୍ୟମ ପ୍ରତିନିଧି ପଞ୍ଚାନନ ଦାଶ ପ୍ରମୁଖ ରହି କଲେଜର ସ୍ଥିତି ପରଖି ଦେଖିଥିଲେ । ପରେ ଏହା ମଡେଲ୍‌ ଡିଗ୍ରୀ କଲେଜକୁ ହସ୍ତାନ୍ତର କରାଯାଇଥିବା ଜାଣିବା ପରେ ବୁଦ୍ଧିଜିବୀଙ୍କ ସଙ୍ଗଠନ ସଦସ୍ଯମାନେ ମାଲକାନଗିରି ଏମଭି-୩ ସ୍ଥିତ ମଡେଲ ଡିଗ୍ରୀ କଲେଜକୁ ଯାଇ କଲେଜ ଅଧ୍ୟକ୍ଷଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ ।

ଅଧ୍ୟକ୍ଷଙ୍କ ସୂଚନା ଅନୁସାରେ, ମଡେଲ ଡିଗ୍ରୀ କଲେଜରେ ୨୦୨୪ ମସିହାରେ ଇଣ୍ଟିଗ୍ରେଟେଡ୍‌ ବିଇଡି ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଚିଠି କରିଛି । କିନ୍ତୁ କଲେଜରେ ଭିତ୍ତିଭୂମିର ଅଭାବ ଯୋଗୁଁ ଏଠାରେ ବିଇଡି ପାଠ୍ୟକ୍ରମ ଆରମ୍ଭ ହେବା ସମ୍ଭବପର ନଥିବା କଲେଜ ଅଧ୍ୟକ୍ଷ କହିଥିଲେ । କଲେଜକୁ ଆସିବାପାଇଁ ଭଲ ରାସ୍ତାଟିଏ ନଥିବା ବେଳେ କଲେଜର ପାଚେରୀ ମଧ୍ୟ ନାହିଁ । ସେହିଭଳି ଲାଇବ୍ରେରୀ, କ୍ୟାଣ୍ଟିନ୍ ଓ ଆବଶ୍ୟକ ସଂଖ୍ୟାରେ ଅଧ୍ୟାପକ ମଧ୍ୟ ନାହାନ୍ତି । ଏହିସବୁ ଉପଯୁକ୍ତ ଭିତ୍ତିଭୂମି ନଥିବାରୁ ଏହି କଲେଜକୁ ନାକ୍ ମାନ୍ୟତା ମିଳି ପାରୁନାହିଁ । ଯେବେ ସୁଦ୍ଧା ନାକ୍ ମାନ୍ୟତା ନମିଳିଛି ସେବେ ଯାଏଁ ଏଠାରେ ବିଇଡି ପାଠ୍ୟକ୍ରମ ଆରମ୍ଭ କରାଯାଇ ପାରିବନାହିଁ କହିଛନ୍ତି କଲେଜ ଅଧକ୍ଷ ।

ଏପରି ସ୍ଥଳେ ବୁଦ୍ଧିଜୀବୀ ସଂଗଠନ ଅନ୍ୟ ଏକ ବିକଳ୍ପ ମଧ୍ୟ ଅଧ୍ୟକ୍ଷଙ୍କ ସାମ୍ନାକୁ ଆଣିଥିଲେ । ଏହି ବିଇଡି କଲେଜ ବଲ୍ଡିଂଟି ଏବେ ମଡେଲ ଡିଗ୍ରୀ କଲେଜ ଅଧୀନରେ ରହିଛି । ଏଠାରେ ନାକ୍ ମାନ୍ୟତା ପାଇବା ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମୀ ମଧ୍ୟ ସେଠାରେ ରହିଛି । ତେଣୁ ଉଭୟ କ୍ୟାମ୍ପସ ପରିସୀମାକୁ ସଂଲଗ୍ନ କରାଗଲେ, ତାହା ନାକ୍‌ ମାନ୍ୟତା ପାଇଁ ଆବଶ୍ୟକ ମାପଦଣ୍ଡ ପୂରଣ କରିପାରିବ । ନାକ୍‌ ମାନ୍ୟତା ମିଳିବା ପରେ ମଡେଲ ଡିଗ୍ରୀ କଲେଜରେ ସମନ୍ବିତ ବିଇଡି ପାଠ୍ଯକ୍ରମ ଆରମ୍ଭ ହେବା ସମ୍ଭବପର ହୋଇପାରିବ । ଏପରି ପ୍ରସ୍ତାବରେ କଲେଜ ଅଧ୍ୟକ୍ଷ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଆବଶ୍ୟକ ପ୍ରକାଶ କରିଥିଲେ ।

ଏହାପରେ ବୁଦ୍ଧିଜୀବୀ ସଙ୍ଗଠନର ସଦସ୍ଯମାନେ ମାଲକାନଗିରି ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟକାଳୟରେ ଭେଟି ସମସ୍ତ ବିଷୟ ଆଲୋଚନା କରିଥିଲେ । ତା’ସହ ମଡେଲ ଡିଗ୍ରୀ କଲେଜର ଆଠ ଏକର ଜମି ଥିବାବେଳେ ବର୍ତ୍ତମାନ ସୁଧା ଏହାର ପଟା ପ୍ରଦାନ କଯାଇନଥିବାରୁ ସେଠାରେ କଲେଜର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଇ ପାରୁନଥିବା ଜିଲ୍ଲାପାଳଙ୍କୁ ଜଣାଇଥିଲେ ବୁଦ୍ଧିଜୀବୀ ସଙ୍ଗଠନର ସଦସ୍ଯ । ଜିଲ୍ଲାପାଳଙ୍କୁ ଦେଖା କରିବାପରେ ସେଠାରେ ଜୟପୁର ବିକ୍ରମଦେବ ବିଶ୍ବବିଦ୍ୟାଳୟର ଏକ ବିଭାଗ ମାଲକାନଗିରିରେ ଖୋଲା ଯିବାପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଜିଲ୍ଲାପାଳ ବୁଦ୍ଧିଜୀବୀଙ୍କୁ ଅବଗତ କରିଥିଲେ ଜିଲ୍ଲାପାଳ ।

୨୦୧୮ ମସିହାରୁ ଏହି ବିଇଡି କଲେଜ ପାଇଁ ବିଲ୍ଡିଂଟି ଉଦ୍ଘାଟନ ହୋଇ ପଡି ରହିଥିବା ବେଳେ ବର୍ତ୍ତମାନ ସୁଧା ଏହା କାର୍ଯ୍ୟକ୍ଷମ ହୋଇ ପାରୁନାହିଁ । ସେପଟେ ଜିଲ୍ଲାପାଳ ଏଠାରେ ବିକ୍ରମଦେବ ବିଶ୍ବବିଦ୍ୟାଳୟର ଏକ ବିଭାଗ ଖୋଲିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ବିକ୍ରମଦେବ ବିଶ୍ବବିଦ୍ୟାଳୟରେ ବର୍ତ୍ତମାନ ସୁଧା ବିଇଡି ପାଠ୍ୟକ୍ରମ ଆରମ୍ଭ ହୋଇନାହିଁ । ଏପରି ସ୍ଥିତିରେ ମାଲକାନଗିରିରେ ଏହା କିଭଳି ଆରମ୍ଭ କରାଯିବ ଓ ଆଉ କେତେ ବର୍ଷ ଏହି ବିଲ୍ଡିଂ ଏଭଳି ପଡ଼ି ରହିବ ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ସଙ୍ଗଠନ ।


ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.