ETV Bharat / state

ବଦଳୁଛି କଫିର ରଙ୍ଗ ଓ ଆକୃତି, ବିଶ୍ବ ଚାଖିବ କୋରାପୁଟିଆ ୟେଲୋ ବ୍ରାଜିଲିଆନ ବର୍‌ବର୍ନ

author img

By

Published : Jan 18, 2023, 8:26 PM IST

Updated : Jan 19, 2023, 12:40 PM IST

yellow coffee
ହଳଦିଆ ହେଉଛି କଫି ଫଳର ରଙ୍ଗ

ବଦଳୁଛି କୋରାପୁଟ କଫି ଫଳର ରଙ୍ଗ । ଲାଲ ପରିବର୍ତ୍ତେ ହେଉଛି ହଳଦିଆ । ଏହା ଦେଖିବାକୁ ଭିନ୍ନ ହୋଇଥିବା ବେଳେ ବଦଳିଛି ସ୍ବାଦ । ଅଧିକ ପଢ଼ନ୍ତୁ

ହଳଦିଆ ହେଉଛି କଫି ଫଳର ରଙ୍ଗ

କୋରାପୁଟ: ବିଶ୍ୱ ଦରବାରରେ କୋରାପୁଟ କଫି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଉତ୍ପାଦନ କରୁଥିବା କଫି ଚାଷୀ ଏହି ସ୍ତରରେ ପହଞ୍ଚିବା ପାଇଁ ନିରନ୍ତର ପ୍ରଚେଷ୍ଟା କରିଥିଲେ । ୭ଟି ବ୍ଲକର ୩ହଜାର ହେକ୍ଟର ଜମିରେ କଫି ଚାଷ କରି ଜିଲ୍ଲାର ଅର୍ଥନୈତିକୁ ଦୃଢ଼ କରିପାରିଛନ୍ତି । ହେଲେ ଏବେ ଏହି କୋରାପୁଟର କଫି ବଗିଚାରେ ଆଉ ଏକ ନୂଆ କଫି ଫଳ ଫଳିଛି । ଯାହା ସାଧାରଣ କଫି ଠାରୁ ଟିକେ ଭିନ୍ନ । ଜିଲ୍ଲାର ରାଜୁଗୁଡାର ସପ୍ତଗିରି କଫି ବଗିଚା ଓ ଛୋଟାଗୁଡାର ବ୍ରାଉନ ଭେଲି କଫି ବଗିଚାରେ ଦେଖିବାକୁ ମିଳିଛି ହଳଦିଆ ରଙ୍ଗର କଫି ଫଳ ।

ସାଧାରଣତଃ କଫି ଫଳ ପାଚିଗଲେ ତାହା ଲାଲ୍ ଦେଖାଯାଏ । କିନ୍ତୁ ଗତ କିଛି ବର୍ଷ ପୂର୍ବେ କିଛି ଗଛରେ କଫି ଫଳ ପାଚି ହଳଦିଆ ଦେଖାଯାଇଛି । ଏହାକୁ ଦେଖି ଉଦ୍ୟୋଗୀ ଭାବିଥିଲେ ଯେ କଫି ଫଳ ଖରାପ ହୋଇଯାଇ ଏପରି ହଳଦିଆ ହୋଇଯାଇଛି । କିନ୍ତୁ ପରବର୍ତ୍ତୀ ମୂହୁର୍ତ୍ତରେ ଏହା ଜଣା ପଡ଼ିଥିଲା ଏହି ହଳଦିଆ କଫି ଫଳ ବ୍ରାଜିଲିଆନ ୟେଲୋ ବର୍ବନ ରକମର କଫି । ଏ ସମ୍ପର୍କରେ ସପ୍ତଗିରି କଫି ଉଦ୍ୟାନର ଉଦ୍ୟୋଗୀ ସୁଶାନ୍ତ ପଣ୍ଡା କହିଛନ୍ତି "କଫି ଫଳ ଗୁଡ଼ିକ ଦେଖିବାକୁ ଓଭାଲ ସେପ୍ ବା ଅଣ୍ଡା ଆକୃତିର ଥାଏ । ହେଲେ ଏହି ହଳଦିଆ କଫିର ଆକୃତି ଗୋଲ ରହିଛି । ଖାଲି ସେତିକି ନୁହେଁ ଏହାର ସ୍ବାଦ ମଧ୍ୟ ଭିନ୍ନ ରହିଛି । ତେବେ ଏହି ହଳଦିଆ କଫି ଫଳ ଭବିଷ୍ୟତ ପାଇଁ ଏକ ନୂତନ ସମ୍ଭାବନା ଆଣିଦେଇଛି ।"

ଠିକ ସେହିପରି ସମାନ ଦୃଶ୍ୟ ଦେଖିବାକୁ ମିଳିଛି ଛୋଟାଗୁଡା ସ୍ଥିତ ବ୍ରାଉନଭେଲି କଫି ବଗିଚାରେ । ଏଠିକାର ଉଦ୍ୟୋଗୀ ସୁଜୟ ପ୍ରଧାନଙ୍କ କହିବା ଅନୁଯାୟୀ,"ଗତ ୮ ବର୍ଷ ତଳେ ତାଙ୍କ କଫି ବଗିଚାରେ ଶତକଡା 80 ଭାଗ କଫି ଫଳ ହଳଦିଆ ହୋଇଯାଇଥିଲା । ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହଠାତ ଲାଲ ହେଉଥିବା କଫି ଫଳ ହଳଦିଆ କିପରି ପଡୁଛି । ଏହାକୁ ନେଇ ଅନେକ ତଦନ୍ତ କରିଥିଲେ । ହେଲେ ପରବର୍ତ୍ତୀ ମୂହୁର୍ତ୍ତରେ ଜଣାପଡ଼ିଥିଲା ଏହା ଆଉ ଏକ ନୂଆ ରଙ୍ଗର କଫି । ଏହି କଫି ପଲ୍‌ପିଙ୍ଗ୍‌ ପରେ ଲାଲ ରଙ୍ଗ ହେବା ବଦଳରେ ତାହା ହଳଦିଆ ରଙ୍ଗ ହେଉଛି । ଏହି କଫିର ସ୍ୱାଦ ସାଧାରଣ କଫିର ସ୍ବାଦଠାରୁ ହାଲୁକା ଭିନ୍ନ ରହିଛି ।" ୧୯୩୦ ମସିହାରେ ଜୟପୁର ମହାରାଜାଙ୍କ ଦ୍ୱାରା ପରୀକ୍ଷାମୂଳକ ଭାବେ କୋରାପୁଟ ଅଞ୍ଚଳରେ କଫି ଚାଷ ଆରମ୍ଭ କରାଯାଇଥିଲା । ଇତି ମଧ୍ୟରେ ରାଜ୍ୟରେ ସର୍ବାଧିକ କଫି ଚାଷ ହେଉଥିବା ଜିଲ୍ଲାର ମାନ୍ୟତା ପାଇ କୋରାପୁଟ ଏହି କ୍ଷେତ୍ରରେ ଅଭୂତପୂର୍ବ ଅଗ୍ରଗତି କରିଥିବା ବେଳେ ଏହି ନୂତନ କିସମଟି ମଧ୍ୟ ବେଶ ଆଦୃତ ହେବ ବୋଲି ଆଶା କରାଯାଉଛି ।

କୋରାପୁଟ କଫିର ଲୋକପ୍ରିୟତାକୁ ସୁଦୂରବିସ୍ତାରୀ କରିବା ପାଇଁ ପ୍ରୟାସ କରୁଛି ଅନୁସୂଚିତ ଜନଜାତି ଉନ୍ନୟନ ସମବାୟ ନିଗମ । ଜିଆଇ ମାନ୍ୟତା ପାଇଁ ଆବେଦନ ପ୍ରକ୍ରିୟାରେ ସାମିଲ ହେବା ପୂର୍ବରୁ କୋରାପୁଟ କଫିର ସ୍ୱତନ୍ତ୍ରତା ସମ୍ପର୍କିତ ଦସ୍ତାବିଜ୍‍କୁ ଏକାଠି କରାଯାଉଛି । ଦସ୍ତାବିଜ୍‌ରେ କୋରାପୁଟ କଫିର ଇତିହାସ, ଗୁଣବତ୍ତା, ପ୍ରକ୍ରିୟାକରଣ ସମ୍ବନ୍ଧୀୟ ତଥ୍ୟ ସାମିଲ ରହିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, କୋରାପୁଟ

Last Updated :Jan 19, 2023, 12:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.