ହଜିଯାଉଛି ଗଦବା ଜନଜାତିର କେରେଙ୍ଗ ବସ୍ତ୍ର ଓ ତନ୍ତ, ସରକାରୀ ସହାୟତା ଦାବି

author img

By

Published : Sep 13, 2022, 9:20 AM IST

villagers demand to recover kereng cloth and weave in koraput

କମିଯାଉଛି ଗଦବା ଜନଜାତିର କେରେଙ୍ଗ ବସ୍ତ୍ର ଓ ତନ୍ତ ଚାହିଦା । ସରକାରୀ ସହାୟତା ସହ ତନ୍ତର ପୁନଃଜୀବିତ ନେଇ ଗ୍ରାମବାସୀଙ୍କ ଦାବି । ଅଧିକ ପଢ଼ନ୍ତୁ

କୋରାପୁଟ: ହଜିଯାଉଛି ଗଦବା ଜନଜାତିର କେରେଙ୍ଗ ବସ୍ତ୍ର ଓ ତନ୍ତ । କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି, ନନ୍ଦପୁର ଓ ଲମତାପୁଟ ବ୍ଲକରେ ରହୁଥିବା ଗଦବା ଜନଜାତିର ଲୋକେ କେଉଁ କାଳରୁ କେରେଙ୍ଗ ଗଛର ଛାଲିରୁ ପ୍ରସ୍ତୁତ ସୂତାରେ ବସ୍ତ୍ର ବୁଣି ପିନ୍ଧି ଆସୁଥିଲେ । ହେଲେ ଗତ କିଛି ବର୍ଷ ହେବ ପାରମ୍ପରିକ ବସ୍ତ୍ର ଏବଂ ଏହାକୁ ବୁଣିବା ପାଇଁ ଆବଶ୍ୟକ ପଡୁଥିବା ତନ୍ତର ବ୍ୟବହାର ଚିନ୍ତାଜନକ ଭାବେ କମି ଯାଇଛି ।

ହଜିଯାଉଛି ଗଦବା ଜନଜାତିର କେରେଙ୍ଗ ବସ୍ତ୍ର ଓ ତନ୍ତ

ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଖିରଝୋଲା ଗ୍ରାମର 80 ବର୍ଷୀୟା ଗଦବା ଜନଜାତିର ମହିଳା ଗୁରୁବାରି ଷାଠିଏ ବର୍ଷ ପୂର୍ବେ ଏହି ତନ୍ତକୁ ଆପଣାଇଥିଲେ। ଏନେଇ ସେ କହିଛନ୍ତି, "ଜଙ୍ଗଲରୁ କେରଙ୍ଗ ଗଛର ଛାଲି ସଂଗ୍ରହ କରି ସେଥିରୁ ତନ୍ତ ବୁଣା ଯାଉଥିଲା । ଏହାକୁ ତିଆରି କରିବା ପାଇଁ ପ୍ରାୟ 3ରୁ 4 ଦିନ ସମୟ ଲାଗିଥାଏ । ବ୍ୟବହାର୍ଯ୍ୟ ସାମଗ୍ରୀ ଅଭାବରୁ ଏହାର ଚାହିଦା କମିବାକୁ ଲାଗିଲାଣି ।" ବଜାରରେ ବିକ୍ରି ହେଉଥିବା ବସ୍ତ୍ରଠାରୁ ଏହା ଅଧିକ ଦୀର୍ଘସ୍ଥାୟୀ ବୋଲି ବୃଦ୍ଧା ମହିଳା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: କେରେଙ୍ଗ ବସ୍ତ୍ର ଓ ତନ୍ତର ପୁନଃରୁଦ୍ଧାର ପାଇଁ ପ୍ରୟାସ ଆରମ୍ଭ

କେରଙ୍ଗ ବୃକ୍ଷ ଜଙ୍ଗଲ ନିଆଁରେ ନଷ୍ଟ ପ୍ରାୟ ହୋଇଯାଇଥିବା ବେଳେ ଅନେକ ତନ୍ତ ମଧ୍ୟ ଭାଙ୍ଗିରୁଜି ଯାଇଥିବା ଗ୍ରାମବାସୀ କହିଛନ୍ତି । ଅନେକ ଦିନ ଧରି କେରେଙ୍ଗ ଗଛର ସଂଖ୍ୟା କମିଯିବା ଓ କେରେଙ୍ଗ ସୂତା ନ ମିଳିବା ଯୋଗୁଁ ଲୋକେ ଏହି ବୃତ୍ତିରୁ ନିବୃତ୍ତ ରହିଲେ। ସରକାରଙ୍କ ଦ୍ଵାରା କେରେଙ୍ଗ ବୃକ୍ଷ ରୋପଣକୁ ବ୍ୟାପକ କରିବା ସହ ଏଥିରୁ ସୂତା ବାହାର କରି ବସ୍ତ୍ର ତିଆରି କରୁଥିବା ତନ୍ତର ମରାମତି ସାଙ୍ଗକୁ ନୂତନ ତନ୍ତ ତିଆରି କରିପାରିଲେ ଏହା ପୁନଃଜୀବିତ ହୋଇପାରିବ ବୋଲି କୁହାଯାଇଛି ।

ସୂଚନା ଥାଉକି, ଗଦବା ଜନଜାତିର କେରେଙ୍ଗ ବସ୍ତ୍ର ଓ ତନ୍ତକୁ ପୁନର୍ଜୀବିତ କରିବା ପାଇଁ ଇଣ୍ଟାକ, କୋରାପୁଟ ଜିଲ୍ଲା ପ୍ରଶାସନ ଓ କୋଟସର ମିଳିତ ଆନୂକୁଲ୍ୟରେ ଅଭିନବ ପ୍ରକଳ୍ପ ଆରମ୍ଭ ହୋଇଥିଲା । କିଛିମାସ ପୂର୍ବେ ଇଣ୍ଟାକର ବିଶେଷଜ୍ଞ କୋରାପୁଟ ଜିଲ୍ଲାର ଆଦିବାସୀ ଜନଜାତିଙ୍କ କଳା ଓ ସଂସ୍କୃତି ସମ୍ପର୍କରେ ଅଧ୍ୟୟନ କରିବା ସମୟରେ କେରେଙ୍ଗ ବସ୍ତ୍ର ଲୁପ୍ତ ହୋଇଯାଉଥିବା ଆଶଙ୍କା କରିଥିଲେ । ଦିଲ୍ଲୀସ୍ଥିତ ଇଣ୍ଟାକ ମୁଖ୍ୟ କାର୍ଯ୍ୟାଳୟରେ ଏ ସମ୍ପର୍କରେ ଆଲୋଚନା ପରେ ଏହି ପାରମ୍ପରିକ ବସ୍ତ୍ରର ପୁନଃରୁଦ୍ଧାର ପାଇଁ ଏକ ଯୋଜନାକୁ ଅନୁମୋଦନ କରାଯାଇଥିବା ଇଣ୍ଟାକ ଭୁବନେଶ୍ବର ବିଶେଷଜ୍ଞ ଅନିଲ ଧିର ଜଣାଇଥିଲେ । ଏହି ଯୋଜନାରେ ଜଙ୍ଗଲରେ କେରେଙ୍ଗ ବୃକ୍ଷର ସୁରକ୍ଷା ତଥା ପୁନଃ ପ୍ରସାର ନିମନ୍ତେ ପ୍ରୟାସ କରାଯିବା ସହ ତନ୍ତର ମରାମତି ଓ ଉତ୍ପାଦର ବଜାର ଯୋଗାଇଦେବା ପାଇଁ ପ୍ରୟାସ କରାଯିବ ବୋଲି ସେ ଜଣାଇଥିଲେ ।

ଏହି ଯୋଜନାର ସଫଳ ରୂପାୟନ ପାଇଁ ଇଣ୍ଟାକ ସହ ରାଜ୍ୟ ସରକାର ହାତ ମିଶାଇ ଥିବା ରାଜ୍ୟର ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା ଇଣ୍ଟାକର ବିଶିଷ୍ଟ ସଦସ୍ୟ ସଞ୍ଜୀବ ହୋତା ଜଣାଇଥିବା ବେଳେ ଏହି ଲୁପ୍ତ ପ୍ରାୟ କଳା ଓ ବସ୍ତ୍ରକୁ ପୁନର୍ଜୀବିତ କରିବା ପାଇଁ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ବିଭାଗ ମାଧ୍ୟମରେ ସହଯୋଗ କରିବା ପାଇଁ ସଂକଳ୍ପବଦ୍ଧ ହୋଇଥିବା ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ଦେଇଥିଲେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.