ETV Bharat / state

କେରେଙ୍ଗ ବସ୍ତ୍ର ଓ ତନ୍ତର ପୁନଃରୁଦ୍ଧାର ପାଇଁ ପ୍ରୟାସ ଆରମ୍ଭ

author img

By

Published : Jul 4, 2022, 12:12 PM IST

କେରେଙ୍ଗ ବସ୍ତ୍ର ଓ ତନ୍ତର ହେବ ପୁନରୁଦ୍ଧାର
କେରେଙ୍ଗ ବସ୍ତ୍ର ଓ ତନ୍ତର ହେବ ପୁନରୁଦ୍ଧାର

ପୁନର୍ଜୀବିତ ହେବ କୋରାପୁଟ ଗଦବା ଜନଜାତିର କେରେଙ୍ଗ ବସ୍ତ୍ର ଓ ତନ୍ତ । ଇଣ୍ଟାକ, କୋରାପୁଟ ଜିଲ୍ଲା ପ୍ରଶାସନ ଓ କୋଟସର ମିଳିତ ଆନୂକୁଲ୍ୟରେ ଆରମ୍ଭ ହେଲା ଅଭିନବ ପ୍ରକଳ୍ପ । ଅଧିକ ପଢ଼ନ୍ତୁ

କୋରାପୁଟ: ଗଦବା ଜନଜାତିର କେରେଙ୍ଗ ବସ୍ତ୍ର ଓ ତନ୍ତକୁ ପୁନର୍ଜୀବିତ କରିବା ପାଇଁ ଇଣ୍ଟାକ, କୋରାପୁଟ ଜିଲ୍ଲା ପ୍ରଶାସନ ଓ କୋଟସର ମିଳିତ ଆନୂକୁଲ୍ୟରେ ଆରମ୍ଭ ହେଲା ଅଭିନବ ପ୍ରକଳ୍ପ । ଜଙ୍ଗଲରେ କେରେଙ୍ଗ ବୃକ୍ଷର ସୁରକ୍ଷା ସହ ପୁନଃ ପ୍ରସାର କରାଯିବ । କୋରାପୁଟ ଜିଲ୍ଲାର ବିଶେଷ କରି ନନ୍ଦପୁର ଓ ଲମତାପୁଟ ବ୍ଲକରେ ରହୁଥିବା ଗଦବା ଜନଜାତିର ଲୋକେ ପୁରୁଷ ପୁରୁଷ ଧରି କେରେଙ୍ଗ ଗଛର ଛାଲିରୁ ପ୍ରସ୍ତୁତ ସୂତାରେ ବସ୍ତ୍ର ବୁଣି ତାକୁ ପିନ୍ଧି ଆସୁଥିଲେ । କେରେଙ୍ଗ ବୃକ୍ଷ ଜଙ୍ଗଲ ନିଆଁରେ ପ୍ରାୟ ନଷ୍ଟ ହୋଇଯାଇଥିବା ବେଳେ ଅନେକ ତନ୍ତ ମଧ୍ୟ ଭାଙ୍ଗିରୁଜି ଯାଇଥିବାରୁ ଗତ କିଛି ବର୍ଷ ହେବ ତନ୍ତର ବ୍ୟବହାର କମିଯାଇଛି ।

କେରେଙ୍ଗ ବସ୍ତ୍ର ଓ ତନ୍ତର ହେବ ପୁନରୁଦ୍ଧାର

ତେବେ କିଛିଦିନ ପୂର୍ବେ ଇଣ୍ଟାକର ବିଶେଷଜ୍ଞ କୋରାପୁଟ ଜିଲ୍ଲାର ଆଦିବାସୀ ଜନଜାତିଙ୍କ କଳା ଓ ସଂସ୍କୃତି ସମ୍ପର୍କରେ ଅଧ୍ୟୟନ କରିବା ସମୟରେ କେରେଙ୍ଗ ବସ୍ତ୍ର ଲୁପ୍ତ ହୋଇଯାଉଥିବା ଆଶଙ୍କା କରିଥିଲେ । ଦିଲ୍ଲୀସ୍ଥିତ ଇଣ୍ଟାକ ମୁଖ୍ୟ କାର୍ଯ୍ୟାଳୟରେ ଏ ସମ୍ପର୍କରେ ଆଲୋଚନା ପରେ ଏହି ପାରମ୍ପରିକ ବସ୍ତ୍ରର ପୁନଃରୁଦ୍ଧାର ପାଇଁ ଏକ ଯୋଜନାକୁ ଅନୁମୋଦନ କରାଯାଇଥିବା ଇଣ୍ଟାକ ଭୁବନେଶ୍ବର ବିଶେଷଜ୍ଞ ଅନିଲ ଧିର ଜଣାଇଛନ୍ତି । ଏହି ଯୋଜନାରେ ଜଙ୍ଗଲରେ କେରେଙ୍ଗ ବୃକ୍ଷର ସୁରକ୍ଷା ତଥା ପୁନଃ ପ୍ରସାର ନିମନ୍ତେ ପ୍ରୟାସ କରାଯିବା ସହ ତନ୍ତର ମରାମତି ଓ ଉତ୍ପାଦର ବଜାର ଯୋଗାଇଦେବା ପାଇଁ ପ୍ରୟାସ କରାଯିବ ବୋଲି ସେ ଜଣାଇଛନ୍ତି ।

ଏହି ଯୋଜନାର ସଫଳ ରୂପାୟନ ପାଇଁ ଇଣ୍ଟାକ ସହ ରାଜ୍ୟ ସରକାର ହାତ ମିଶାଇ ଥିବା ରାଜ୍ୟର ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା ଇଣ୍ଟାକର ବିଶିଷ୍ଟ ସଦସ୍ୟ ସଞ୍ଜୀବ ହୋତା ଜଣାଇଥିବା ବେଳେ ଏହି ଲୁପ୍ତ ପ୍ରାୟ କଳା ଓ ବସ୍ତ୍ରକୁ ପୁନର୍ଜୀବିତ କରିବା ପାଇଁ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ବିଭାଗ ମାଧ୍ୟମରେ ସହଯୋଗ କରିବା ପାଇଁ ସଂକଳ୍ପବଦ୍ଧ ହୋଇଥିବା ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ଦେଇଛନ୍ତି । ଏହାସହ ଯେ କୌଣସି ଆବଶ୍ୟକତାକୁ ପୂରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରସ୍ତୁତ ଥିବା ସେ ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.