ETV Bharat / state

କୋରାପୁଟରେ ଆଦିବାସୀ ଲୋକ ମହୋତ୍ସବ ପରବ ଉଦଘାଟିତ

author img

By ETV Bharat Odisha Team

Published : Nov 26, 2023, 10:39 AM IST

Updated : Nov 26, 2023, 2:00 PM IST

କୋରାପୁଟରେ ଆଦିବାସୀ ଲୋକ ମହୋତ୍ସବ ପରବ ଉଦଘାଟିତ
କୋରାପୁଟରେ ଆଦିବାସୀ ଲୋକ ମହୋତ୍ସବ ପରବ ଉଦଘାଟିତ

କୋରାପୁଟରେ ଆଦିବାସୀ ଲୋକ ମହୋତ୍ସବ ପରବ ଉଦଘାଟିତ ହୋଇଯାଇଛି । ୩ ଦିନ ଧରି ଚାଲିବ ଏହି ମହୋତ୍ସବ । ଅଧିକ ପଢ଼ନ୍ତୁ

କୋରାପୁଟରେ ଆଦିବାସୀ ଲୋକ ମହୋତ୍ସବ ପରବ ଉଦଘାଟିତ

କୋରାପୁଟ: କୋରାପୁଟରେ ୨୬ତମ ଜାତୀୟ ଆଦିବାସୀ ଲୋକ ମହୋତ୍ସବ 'ପରବ' ଶନିବାର ଉଦଘାଟିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ମଶାଲ ପ୍ରଜ୍ବଳନ ଏହାକୁ ଉଦଘାଟନ କରିଥିଲେ । ୩ ଦିନ ଧରି ପରବ ମହୋତ୍ସବ ଚାଲିବ । ଏଥିରେ ସ୍ଥାନୀୟ ଲୋକନୃତ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ଲୋକନୃତ୍ୟ ପରିବେଷଣ କରାଯିବ । ତେବେ ମହୋତ୍ସବର ପ୍ରଥମ ଦିନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲାର ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଛି ।

କୋରାପୁଟ ହେଉଛି କଳାର ଗନ୍ତାଘର । ପ୍ରାକୃତିକ କୀର୍ତ୍ତିରାଜିରେ ଭରପୁର ଏହି ଜିଲ୍ଲାର ପରମ୍ପରା, ଲୋକକଳା, ଖାଦ୍ୟପେୟ, ଚାଲି ଚଳନ ଯାହା ଅନ୍ୟ ଠାରୁ ଭିନ୍ନ l କୋରାପୁଟର ପାରମ୍ପରିକ ନୃତ୍ୟ, ବେଶଭୂଷା, ଚାଲିଚଳନ ଆଜି ବିଶ୍ବ ଦରବାରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି l ପରବ ମାଧ୍ୟମରେ ଧୀରେ ଧୀରେ ହଜି ଯାଉଥିବା ଏହି ସଂସ୍କୃତି, ପରମ୍ପରା ଲୋକଲୋଚନକୁ ଆସିପାରୁଛି l ପରବ ମଞ୍ଚରୁ ଅନେକ କଳାକାର ସମ୍ମାନିତ ହୋଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ କୋରାପୁଟ ଜିଲ୍ଲାକୁ ମଧ୍ୟ ଗୌରବାନ୍ବିତ କରିଛନ୍ତି l

ଏହି ଅବସରରେ ମନ୍ତ୍ରୀ ସାରକା କହିଛନ୍ତି ଯେ, ପ୍ରାକୃତିକ ସମ୍ପଦ ଏବଂ ସୌନ୍ଦର୍ଯ୍ୟରେ ଭରପୁର ସହିତ ମନଲୋଭା ପରିବେଶକୁ ନେଇ କୋରାପୁଟ ଆଜି ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ସେପଟେ ୨୬ ବର୍ଷର ଯାତ୍ରା ପରେ ମଧ୍ୟ ପରବ ପାଳନ କରିବା ପାଇଁ ଏକ ସ୍ଥାୟୀ ପଡିଆ ପ୍ରସ୍ତୁତ ହୋଇପାରିନଥିବା ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କ୍ଷୋଭ ପ୍ରକାଶ କରିଥିବା ବେଳେ କୋରାପୁଟ ନିକଟସ୍ଥ ପଣ୍ଡିଠାରେ ଏକ ସ୍ଥାୟୀ ପରବ ପଡିଆ ଚୟନ କରାଯାଇଥିବା ଜିଲ୍ଳାପାଳ ଅବଦଲ ଅକ୍ତର ଜଣାଇଥିଲେ । ଆସନ୍ତା ବର୍ଷର ପରବ ଉତ୍ସବ ସେହି ପଡିଆରେ ଆୟୋଜିତ ହେବ । ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରଚେଷ୍ଟା ଜାରି ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସରଗି ଫୁଲ, ଆକର୍ଷଣ ସାଜିଲା ମାନବବିହୀନ ମଡେଲ

ଚଳିତ ବର୍ଷ ଶାବର ଶ୍ରୀକ୍ଷେତ୍ର କୋରାପୁଟର ଜଗନ୍ନାଥ ମନ୍ଦିର ତାର ସୁବର୍ଣ୍ଣ ଜୟନ୍ତୀ ପାଳୁଥିବା ଯୋଗୁଁ ପରବ ପଡ଼ିଆରେ ଜଗନ୍ନାଥ ମନ୍ଦିରର ମୁଖ୍ୟ ତୋରଣ ତଥା ଗରୁଡ ସ୍ତମ୍ଭର ନମୁନାକୁ ନିର୍ମାଣ କରାଯାଇଛି । ସେହିଠାରେ ସ୍ଥାପିତ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପରବ ଉତ୍ସବର ପ୍ରଦୀପ ପ୍ରଜ୍ଜଳନ ହୋଇଥିଲା । ଏହି ମହୋତ୍ସବ ସ୍ଥଳରେ ସ୍ଥାନୀୟ ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ବ୍ୟବସାୟୀମାନେ ଆସି ଷ୍ଟଲ ଖୋଲିଛନ୍ତି । ତେବେ ଏସବୁ ଭିତରେ କୋରାପୁଟ ଅଞ୍ଚଳର କଫି, ଲଘୁଜାତ ଶସ୍ୟ ତଥା ଲେମନ ଗ୍ରାସ ତେଲ ଭଳି ସ୍ଥାନୀୟ ଆଦିବାସୀଙ୍କ ଦ୍ବାରା ଉତ୍ପାଦିତ ଜିନିଷ ଗ୍ରାହକଙ୍କୁ ଅଧିକ ଆକର୍ଷିତ କରିଥିବାର ଦେଖାଯାଇଛି ।

ଶନିବାର ପରବ ଉଦଘାଟନ କାର୍ଯ୍ୟକ୍ରମରେ ଆଦିବାସୀ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଓ ସମ୍ମାନିତ ଅତିଥି ଭାବେ ସାଂସଦ ସପ୍ତଗିରି ଉଲାକା, କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନଙ୍କ ସମେତ ଜିଲ୍ଲାପାଳ ଓ ଏସପି ଉପସ୍ଥିତ ଥିଲେ l

ଇଟିଭି ଭାରତ, କୋରାପୁଟ

Last Updated :Nov 26, 2023, 2:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.