ETV Bharat / state

Ground Report: ଗତ ଏକ ବର୍ଷ ଧରି ରାତିକୁ ଭୟ କରୁଥିବା 3 ଗ୍ରାମବାସୀ

author img

By

Published : May 10, 2023, 4:03 PM IST

Electricity problem
ପହଞ୍ଚିନି ବିଦ୍ୟୁତ ସେବା, ରାତି ହେଲେ ଅନ୍ଧାରରେ 3 ଗାଁ

ବର୍ଷେ ହେବ ସୂର୍ଯ୍ୟାସ୍ତ ପରେ କୋଟିଆ ଉପତ୍ୟକାରେ କୋଟିଆ ପଞ୍ଚାୟତ ନିକଟସ୍ଥ ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ରାଇପାଡୁ, ବନାମ, ଓ ଦୀଗୁ ଗବଦର ଗାଁକୁ ଅନ୍ଧକାରର ଭୟ ଗ୍ରାସ କରି ଆସୁଛି । ଅଧିକ ପଢନ୍ତୁ

ପହଞ୍ଚିନି ବିଦ୍ୟୁତ ସେବା, ରାତି ହେଲେ ଅନ୍ଧାରରେ 3 ଗାଁ

କୋରାପୁଟ: ଜନତାଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା । ଲୋକ କିପରି ମୌଳିକ ସୁବିଧା ପାଇବେ ଏ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ହେଲେ ଆଜି ବି କିଛି ଲୋକ ସରକାରଙ୍କ ସୁବିଧାରୁ ବଞ୍ଚିତ ହୋଇଛନ୍ତି । 1 ବର୍ଷ ହେବ ସୂର୍ଯ୍ୟାସ୍ତ ପରେ କୋଟିଆ ଉପତ୍ୟକାରେ କୋଟିଆ ପଞ୍ଚାୟତ ନିକଟସ୍ଥ ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ରାଇପାଡୁ, ବନାମ, ଓ ଦୀଗୁ ଗବଦର ଗାଁକୁ ଅନ୍ଧକାରର ଭୟ ଗ୍ରାସ କରି ଆସୁଛି ।

ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା ଏହି ଗ୍ରାମ କୋଟିଆ ପଞ୍ଚାୟତର ତାଡିବାଲାସାର ଅନତି ଦୂରରେ ଥିଲେ ବି ଏହି ଗ୍ରାମଟି କୋଟିଆ ପଞ୍ଚାୟତର 21 ଟି ଗ୍ରାମ ଭଳି ଓଡିଶା ଓ ଆନ୍ଧ୍ର ମଧ୍ୟରେ ସୀମା ବିବାଦରେ ଛନ୍ଦି ହୋଇନାହିଁ । ଏହି ଗ୍ରାମ ସହିତ ସୀମାଗଡା ଓ ଏଟିଙ୍ଗ ଗବଦର ଗାଁ ମଧ୍ୟ ଗତ ବର୍ଷେ ହେବ ରାତିର ଅନ୍ଧକାର ମଧ୍ୟରେ ହଜି ଯାଉଥିବା ଦୀଗୁ ଗବଦର ବାସିନ୍ଦା ଜଣାଇଛନ୍ତି । ପାହାଡ଼ ପର୍ବତ ଘେରା ଏହି ଅଞ୍ଚଳରେ ତାଡିବାଲାସା ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶ ଦ୍ବାରା ବିଜୁଳି ସଂଯୋଗ କରାଯାଇଥିବା ବେଳେ ଓଡିଶା ସରକାରଙ୍କ ବିଜୁଳି ଏ ଯାଏଁ ଦୀଗୁ ଗବଦର ପର୍ଯ୍ୟନ୍ତ ଆସି ପାରିନାହିଁ । ତେବେ ଓଡିଶା ଓ ଆନ୍ଧ୍ରପ୍ରଦେଶର ବିଦ୍ୟୁତ ସେବା ପାଇବା ଠାରୁ ସମଦୂରତା ରହିଥିଲେ ମଧ୍ୟ ଉଭୟ ରାଜ୍ୟ ଦୀଗୁ ଗବଦରକୁ ସୁଦୂର ଝରଣାରୁ ପୃଥକ ପୃଥକ ଭାବେ ପାଇପ ଯୋଗେ ଝରଣା ଜଳ ଆଣି ପହଞ୍ଚାଇ ଦେଉଛନ୍ତି ।

5ବର୍ଷ ପୂର୍ବେ 2018 ମସିହାରେ ଓଡିଶା ସରକାରଙ୍କ ତରଫରୁ ଦୀଗୁ ଗବଦର ଓ ଅନ୍ୟାନ୍ୟ ଗ୍ରାମରେ ସୌର ଶକ୍ତି ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ 4ବର୍ଷ ଧରି ସେବା ଯୋଗାଇବା ପରେ ଏହି ସୌର ଶକ୍ତି ୟୁନିଟର ବ୍ୟାଟେରୀ ଖରାପ ହୋଇ ଯାଇଛି । ବର୍ତ୍ତମାନ ସନ୍ଧ୍ୟା ସମୟରେ ଦୁଇ ତିନି ଘଣ୍ଟା ଆଲୁଅ ଯୋଗାଇବା ପରେ ରାତି ପାଇଁ ବ୍ୟାଟେରୀ ଗୁଡିକ ବିଶ୍ରାମ ନେଇ ପୁଣିଥରେ ରିଚାର୍ଜ ହେବା ପାଇଁ ସୂର୍ଯ୍ୟୋଦୟକୁ ଅପେକ୍ଷା କରୁଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ । ଫଳରେ ପିଲାଙ୍କ ପାଠପଢ଼ା ଠାରୁ ଆରମ୍ଭ କରି ରାତ୍ରିକାଳୀନ ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଏ ନେଇ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ପର୍ଯ୍ୟନ୍ତ ବିଭିନ୍ନ ପଦାଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇନାହିଁ ।

ଇଟିିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.