ETV Bharat / state

Panchayat polls: ଗୋଟିଏ ବ୍ୟାନରରେ ଲାଗିଲା ନବୀନ-ସମୀର-ନିରଞ୍ଜନଙ୍କ ଫଟୋ

author img

By

Published : Jan 29, 2022, 10:03 PM IST

all-party-meeting
ସର୍ବଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ବ୍ୟାନରରେ ଲାଗିଲା ତିନି ପ୍ରମୁଖ ଦଳର ରାଜ୍ୟ ସଭାପତିଙ୍କ ଫଟୋ

ପଟ୍ଟାଙ୍ଗି ଜୋନ-1 ଜିଲ୍ଲା ପରିଷଦ ଆସନ ପାଇଁ ସର୍ବଦଳୀୟ ପ୍ରାର୍ଥୀ ମମତା ଯାନୀଙ୍କୁ ଚ୍ୟାଲେଞ୍ଜ କରି ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ ନାମାଙ୍କନ ପତ୍ର ପ୍ରତ୍ୟାହାର ନ କରିବା ପରଠାରୁ ନିର୍ବାଚନରେ ଉଷ୍ମତା ଦେଖାଯାଇଛି । ଆଜି କୋଟିଆରେ ଏକତ୍ର ହୋଇଛନ୍ତି ତିନି ରାଜନୈତିକ ଦଳର ନେତାମାନେ । ଅଧିକ ପଢନ୍ତୁ

କୋରାପୁଟ: ଜିଲ୍ଲାର ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ ଏକ ସ୍ୱାଧୀନ ପ୍ରାର୍ଥୀକୁ ହରାଇ ତିନି ପ୍ରମୁଖ ରାଜନୈତିକ ଦଳ ଚୟନ କରିଥିବା ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ତିନି ଦଳର ତୁଙ୍ଗ ନେତା ଅଣ୍ଟା ଭିଡିଛନ୍ତି। କୋଟିଆ ପଞ୍ଚାୟତ ସହ ଆଉ ଛଅଟି ପଞ୍ଚାୟତକୁ ମିଶାଇ ଗଠିତ ହୋଇଥିବା ପଟ୍ଟାଙ୍ଗି ଜୋନ-1 ଜିଲ୍ଲା ପରିଷଦ ଆସନ ପାଇଁ ସର୍ବଦଳୀୟ ପ୍ରାର୍ଥୀ ମମତା ଯାନୀଙ୍କୁ ଚ୍ୟାଲେଞ୍ଜ କରି ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ ନାମାଙ୍କନ ପତ୍ର ପ୍ରତ୍ୟାହାର ନ କରିବା ପରଠାରୁ ନିର୍ବାଚନରେ ଉଷ୍ମତା ଦେଖାଯାଇଛି ।

ସର୍ବଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ବ୍ୟାନରରେ ଲାଗିଲା ତିନି ପ୍ରମୁଖ ଦଳର ରାଜ୍ୟ ସଭାପତିଙ୍କ ଫଟୋ

ଶନିବାର ସର୍ବଦଳୀୟ ପ୍ରାର୍ଥୀ ମମତାଙ୍କ ସମର୍ଥନରେ କଂଗ୍ରେସ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତି , ବିଜେଡି ସଭାପତି ଈଶ୍ୱରଚନ୍ଦ୍ର ପାଣିଗ୍ରାହୀ ଓ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କ ସମେତ କୋରାପୁଟ ଓ ପଟ୍ଟାଙ୍ଗିର ବିଧାୟକ ପଟ୍ଟାଙ୍ଗିରେ ଅନୁଷ୍ଠିତ ବିଶାଳ ସମାବେଶ ମଞ୍ଚରେ ଉଦବୋଧନ ଦେଇଛନ୍ତି । ଏହା ସହ ମଞ୍ଚରେ ଲାଗିଥିବା ବିଶାଳ ବ୍ୟାନରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , କଂଗ୍ରେସର ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ତଥା ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଫଟୋ ସମେତ କୋରାପୁଟ ସାଂସଦ ଓ ଜୟପୁର ବିଧାୟକଙ୍କ ଫଟୋ ଲାଗିବା ଏହି ଜିଲ୍ଲା ପରିଷଦ ଆସନ ପାଇଁ ନିର୍ବାଚନର ଗୁରୁତ୍ୱ ବୃଦ୍ଧି ପାଇଯାଇଛି । ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ବିରୁଦ୍ଧରେ ସର୍ବଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଏତେ ବଡ ରାଜନୈତିକ ବ୍ୟୁହ ରଚନା କରାଯିବା ରାଜ୍ୟ ରାଜନୀତିରେ କେବେ ଘଟିନଥିବା ଘଟଣା ବୋଲି ସମୀକ୍ଷକ ମାନେ ମତ ଦେଇଛନ୍ତି ।

ଏହା କୋଟିଆରେ ଆନ୍ଧ୍ରପ୍ରଦେଶର ଅନୁପ୍ରବେଶକୁ ରୋକିବା ପାଇଁ ଗଠିତ ସର୍ବଦଳୀୟ ସଂଗଠନ ଦ୍ୱାରା ଚୟନ କରାଯାଇଥିବା ପ୍ରାର୍ଥୀର ବିଜୟ ପାଇଁ ଏକ ସାମୂହିକ ପ୍ରଚେଷ୍ଟା ବୋଲି ସର୍ବଦଳୀୟ ସଂଗଠନର ଆବାହକ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ସ୍ପଷ୍ଟ କରିଛନ୍ତି। ଆଜି ପଟ୍ଟାଙ୍ଗି ବ୍ଲକର କୋଟିଆ , ମାଳିପୁଟ , ଦେଓପଟ୍ଟାଙ୍ଗି , ପଟ୍ଟାଙ୍ଗି , ଗାଙ୍ଗରାଜପୁର , ନୂଆଗୁଡା ଓ ସୁଙ୍କି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ ପାଇଁ ନିର୍ବାଚନ ଲଢ଼ୁଥିବା ସମସ୍ତ ପ୍ରାର୍ଥୀଙ୍କୁ ଏହି ସଭାରେ ଏକାଠି କରି ସେମାନଙ୍କ ନିଜସ୍ୱ ପ୍ରଚାର କରିବା ସମୟରେ ସେମାନେ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନୀ ପାଇଁ ମଧ୍ୟ ପ୍ରଚାର କରିବା ପାଇଁ ମଞ୍ଚ ଉପରୁ ନେତୃବୃନ୍ଦ ଅନୁରୋଧ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.