ETV Bharat / state

ପରବ ପଲ୍ଲିଶ୍ରୀ ମେଳାରେ ଲୋକଙ୍କ ପସନ୍ଦ କୋରାପୁଟ ମାଣ୍ଡିଆ ଓ କଫି

author img

By ETV Bharat Odisha Team

Published : Nov 27, 2023, 8:45 PM IST

Updated : Nov 27, 2023, 9:51 PM IST

ପରବ ପଲ୍ଲିଶ୍ରୀ ମେଳାରେ ଲୋକଙ୍କ ପସନ୍ଦ କୋରାପୁଟ ମାଣ୍ଡିଆ ଓ କଫି
ପରବ ପଲ୍ଲୀଶ୍ରୀ ମେଳାରେ ଲୋକଙ୍କ ପସନ୍ଦ କୋରାପୁଟ ମାଣ୍ଡିଆ ଓ କଫି

Parab Tribal Folk Festival: ରାଜ୍ୟସ୍ତରୀୟ ଆଦିବାସୀ ମହୋତ୍ସବ 'ପରବ' ପାଳନ ଅବସରରେ ପଲ୍ଲିଶ୍ରୀ ମେଳା ଆୟୋଜିତ । ମାଣ୍ଡିଆ, ସୁଆଁ ଓ ଅଦାରୁ ତିଆରି ବିଭିନ୍ନ ଖାଦ୍ୟ ସାଙ୍ଗକୁ କଫି ଗ୍ରାହକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ । ଅଧିକ ପଢନ୍ତୁ

ପରବ ପଲ୍ଲିଶ୍ରୀ ମେଳାରେ ଲୋକଙ୍କ ପସନ୍ଦ କୋରାପୁଟ ମାଣ୍ଡିଆ ଓ କଫି

କୋରାପୁଟ: ରାଜ୍ୟସ୍ତରୀୟ ଆଦିବାସୀ ମହୋତ୍ସବ 'ପରବ' ପାଳନ ଅବସରରେ କୋରାପୁଟର ଲାଣ୍ଡିଗୁଡା ସ୍ଥିତ ଡିଏଭି ମହାବିଦ୍ୟାଳୟ ପଡିଆରେ ଚାଲିଥିବା ପଲ୍ଲିଶ୍ରୀ ମେଳାରେ କୋରାପୁଟ ଅଞ୍ଚଳର ମାଣ୍ଡିଆ, ସୁଆଁ ଓ ଅଦାରୁ ତିଆରି ବିଭିନ୍ନ ଖାଦ୍ୟ ସାଙ୍ଗକୁ କଫି ଗ୍ରାହକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । କୋରାପୁଟ ଜିଲ୍ଲାର ଆୟୋଜିତ ହେଉଥିବା ପଲ୍ଲିଶ୍ରୀ ମେଳା କ୍ଷୁଦ୍ର ଏବଂ ମଧ୍ୟମ ସ୍ତରର ବ୍ୟବସାୟୀ , ଉତ୍ପାଦକ, କାରିଗର, ଚିତ୍ରଶିଳ୍ପୀ, ବୁଣାକାର ଓ କୁମ୍ଭାରଙ୍କ ପାଇଁ ଉନ୍ନତମାନର ବ୍ୟବସାୟିକ ମଞ୍ଚ ପ୍ରଦାନ କରିଛି । ୧୯୯୬ ମସିହାରେ ଆରମ୍ଭ ହୋଇଥିବା ପରବ ସହିତ ନିଜକୁ ସାମିଲ କରାଇନେଇଥିବା ପଲ୍ଲିଶ୍ରୀମେଳା ନିଜ କଳେବର ଵୃଦ୍ଧିକରି ଚଳିତ ବର୍ଷ କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ଏକ ଛୋଟ ସହରରେ ଅରମାସର ସହଯୋଗରେ ୩୦୦ଟି ଷ୍ଟଲ ଖୋଲି ବ୍ୟବସାୟ କରିବା ପାଇଁ ସୁଯୋଗ ପ୍ରଦାନ କରିପାରିଛି । ସ୍ୱୟଂସହାୟକ ଗୋଷ୍ଠୀ ଏବଂ ନାବାର୍ଡ , ମିଶନ ଶକ୍ତି ଓ ଡିଆଇସି ସହ ଅନୁବନ୍ଧିତ ଗୋଷ୍ଠୀଙ୍କ ପାଇଁ ୧୫୦ ଗୋଟି ଷ୍ଟଲ ବିନା ଦେୟରେ ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ବ୍ୟବସାୟୀଙ୍କ ଠାରୁ ସ୍ୱଳ୍ପ ଦେୟରେ ବ୍ୟବସାୟ କରିବାର ସୁଯୋଗ ସୃଷ୍ଟି କରାଯାଇଥିଲା । ଅରମାସର ଅତିରିକ୍ତ ନିର୍ଦେଶକ ରୋଶନ କାର୍ତ୍ତିକଙ୍କ କହିବାନୁଯାୟୀ ଆଜି ସୁଦ୍ଧା ପରବର ତୃତୀୟ ଦିନରେ ସମୁଦାୟ 9 କୋଟିରୁ ଉର୍ଦ୍ଧ୍ଵ ବ୍ୟବସାୟ ହୋଇପାରିଛି, ଯାହାକି ଗତ ଓ ବିଗତ ବର୍ଷମାନଙ୍କ ଠାରୁ ଅଧିକ ।

ଏହା ମଧ୍ୟ ପଢନ୍ତୁ... ପରବ-2023 ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଝୁମିଲା କୋରାପୁଟ

ଏହି ମେଳାରେ ଜଙ୍ଗଲ ଜାତ ଦ୍ରବ୍ୟ ଧରି ଆସିଥିବା ଆଦିବାସୀ ବ୍ୟବସାୟୀ ମାନଙ୍କ ସଂଗୃହିତ ଦ୍ରବ୍ୟର ଚାହିଦା ଢେର ରହିଥିବା ବେଳେ ଏହି ମଞ୍ଚ, ବ୍ୟବସାୟ ମାଧ୍ୟମରେ ବୃହତ୍ତର ବ୍ୟବସାୟ ପାଇଁ ଦ୍ୱାର ଉନ୍ମୁକ୍ତ କରିଦେଇଛି ବୋଲି ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି । ପଡୋଶୀ ଜିଲ୍ଲା ନବରଙ୍ଗପୁରର ଡାଇଭଟ୍ଟା ଗ୍ରାମରୁ ଆସିଥିବା ବୟସ୍କ ମହିଳା ଶୋଭା ଭତ୍ରା ଛତୁ ରେ ପକୋଡା ଓ ଅନ୍ୟାନ୍ୟ ସୁସ୍ୱାଦୁ ଜିନିଷ ପ୍ରସ୍ତୁତ କରି ବେଶ ଲାଭବାନ ହୋଇଥିବା ସହ ଷ୍ଟଲକୁ ଆସିଥିବା ସମସ୍ତଙ୍କୁ ଛତୁ ଚାଷ କରିବାର ପ୍ରଣାଳୀ ଓ ଛତୁରେ ତିଆରି ହେଉଥିବା ବ୍ୟଞ୍ଜନ ସମ୍ପର୍କରେ ବୁଝାଇ ପାରିଥିବାରୁ ସେ ଆନନ୍ଦିତ ।

ଆଦିବାସୀଙ୍କ ମେଳା ସମସ୍ତଙ୍କୁ ବିମୋହିତ କରିଦେଇଥିବା ବେଳେ କୋରାପୁଟ ମଣ୍ଡଳ କାରାଗାରରେ କଏଦୀଙ୍କ ଦ୍ୱାରା ତିଆରି ହେଉଥିବା ବିଭିନ୍ନ ଜିନିଷ ଗ୍ରାହକଙ୍କ ମହଲରେ ଵେଶ ଆଦୃତ ହୋଇଥିଲା । ତେବେ ଏହି ମେଳା କେବଳ କୋରାପୁଟ ଅଞ୍ଚଳର ବ୍ୟବସାୟୀଙ୍କ ପାଇଁ ଲାଭବାନ ହୋଇଥିଲା, ତାହା ନୁହେଁ । ସମ୍ବଲପୁରର ବସ୍ତ୍ର ଭଣ୍ଡାର, କଳାହାଣ୍ଡିରୁ ଆସିଥିବା କାଠର ମୂର୍ତ୍ତି ଏବଂ ବ୍ରହ୍ମପୁର ଆଚାର, ବଡି ଓ ପାମ୍ପଡ଼ ଲୋକଙ୍କୁ ଆକୃଷ୍ଟ କରିଥିଲା । ପରବ ଓ ପଲ୍ଲିଶ୍ରୀମେଳାର ଆଦର ଯେଉଁଭଳି ଭାବେ ବୃଦ୍ଧି ପାଉଛି ତାହା ଦେଖୁଥିଲେ ଆସନ୍ତା ବର୍ଷ ଆହୁରି ଅଧିକ ଅଞ୍ଚଳରୁ ବ୍ୟବସାୟୀ କୋରାପୁଟକୁ ଆସିବାର ସମ୍ଭାବନା ରହିଛି ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

Last Updated :Nov 27, 2023, 9:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.