ETV Bharat / state

ସ୍ବେଚ୍ଛାସେବୀ ଓ ପ୍ରଶାସନର ମିଳିତ ଉଦ୍ୟମ ଆଣିଲା ସଫଳତା, ସୁସ୍ଥ ହେଲେଣି ୫୦୦ରୁ ଊର୍ଦ୍ଧ୍ବ ମାନସିକ ରୋଗୀ

author img

By

Published : Jun 1, 2023, 5:36 PM IST

Updated : Jun 1, 2023, 8:57 PM IST

Etv Bharat
Etv Bharat

ମାନସିକ ରୋଗୀଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆଣିଲା କୋରାପୁଟ ଜିଲ୍ଲାର ସ୍ବେଚ୍ଛାସେବୀ ସଂଗଠନ ସ୍ପ୍ରେଡ଼ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମ । ଉତ୍ତମ ଚିକିତ୍ସା ଯୋଗାଇବା ପରେ ସୁସ୍ଥ ହେଲେଣି ୫୦୦ରୁ ଊର୍ଦ୍ଧ୍ବ ମାନସିକ ରୋଗୀ । ଅଧିକ ପଢନ୍ତୁ

ସ୍ବେଚ୍ଛାସେବୀ ଓ ପ୍ରଶାସନର ମିଳିତ ଉଦ୍ୟମ ଆଣିଲା ସଫଳତା

କୋରାପୁଟ: ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସ୍ପ୍ରେଡ୍‌ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଆରମ୍ଭ କରାଯାଇଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମର ବଦଳାଇଲା ମାନସିକ ରୋଗୀଙ୍କ ଜୀବନ । ଦେଶୀ ଜଡ଼ିବୁଟି, ଗୁଣି ଗାରେଡ଼ିକୁ ଆଧାର କରି ଚିକିତ୍ସିତ ହେଉଥିବା ରୋଗୀଙ୍କ ନିକଟରେ ଉପଯୁକ୍ତ ଚିକିତ୍ସା ଓ ଔଷଧ ପହଞ୍ଚିବା ପରେ ଏମାନେ ଏବେ ସୁସ୍ଥ ହୋଇଛନ୍ତି । ଆଉ ଜଣେ ସାଧାରଣ ଲୋକଙ୍କ ପରି ଜୀବନ ଅତିବାହିତ କରୁଛନ୍ତି । ଜିଲ୍ଲାରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଦ୍ବାରା ବୈପାରିଗୁଡା ବ୍ଲକରେ 500ରୁ ଊର୍ଦ୍ଧ୍ବ ମାନସିକ ରୋଗ ବାଧିତ ଓ ମୁର୍ଚ୍ଛା ରୋଗରେ ପୀଡିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି ।

ବୈପାରିଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ନିକଟସ୍ଥ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଛୋଟ ଗାଁ ପୂଜାରିପୁଟ । ଏହି ଗାଁକୁ ସୁଉଚ୍ଚ ପୁରାତନ ବୃକ୍ଷର ଜଙ୍ଗଲ ଘେରି ରହିଛି । ଏହି ଜଙ୍ଗଲ ମଧ୍ୟରେ ମାନସିକ ରୋଗୀମାନେ କେଉଁଆଡେ ଚାଲିଯିବା ପରିବାର ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା । ହେଲେ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସ୍ପ୍ରେଡ୍‌ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଏହି ରୋଗୀମାନେ ଉତ୍ତମ ଚିକିତ୍ସା ପାଇଁ ଏବେ ସୁସ୍ଥ ହେବାରେ ଲାଗିଛନ୍ତି । ବୈପାରିଗୁଡା ବ୍ଲକରେ ୫୦୦ରୁ ଊର୍ଦ୍ଧ୍ବ ମାନସିକ ରୋଗ ବାଧିତ ଓ ମୁର୍ଚ୍ଛା ରୋଗରେ ପୀଡିତ ବ୍ୟକ୍ତିଙ୍କ ଜୀବନରେ ନୂତନ ଆଲୋକ ଆସିଥିବା ସ୍ପ୍ରେଡ୍‌ ସଂଗଠନରେ ସଂଯୋଜକ ଭାବେ କାର୍ଯ୍ୟରତ ଜ୍ୟୋତିରଞ୍ଜନ ବେହେରା କହିଇଛନ୍ତି ।

ଏହା ବି ପଢନ୍ତୁ- ଆସାମ ଗଲା କୋରାପୁଟର କଳାବତୀ, ଜାଣନ୍ତୁ ବିଶେଷତ୍ତ୍ୱ

ପୁଜାରିପୁଟ ଗାଁର ମାନସିକ ରୋଗୀ ଲକ୍ଷ୍ମୀ ଭୂମିୟା ଜଙ୍ଗଲ ମଧ୍ୟରେ କେଉଁଆଡେ ଚାଲି ଯାଉଥିଲେ । ଏହି ଘଟଣା ତାଙ୍କ ପାଇଁ ନିତିଦିନିଆ ହୋଇସାରିଥିଲା । ଲକ୍ଷ୍ମୀଙ୍କ ଘରଠାରୁ ଦୁଇ ବାଙ୍କ ମୋଡ଼ି ଚାଲିଗଲେ ଏହି ଜଙ୍ଗଲରେ ଅନ୍ୟ ଜଣେ ମାନସିକ ରୋଗୀ ହୀରାମଣି ପୂଜାରୀଙ୍କ ଘର । ସେ ମଧ୍ୟ ଅନୁରୂପ ସମସ୍ୟା ଦେଇ ଗତି କରୁଥିବା ଯୋଗୁଁ ଉଭୟ କ୍ଷେତ୍ରରେ ସେମାନଙ୍କ ସ୍ବାମୀ ଓ ତାଙ୍କ ପରିବାର ସଦସ୍ୟ ଚିନ୍ତାରେ ପଡୁଥିଲେ । ସେମାନଙ୍କୁ ଜଙ୍ଗଲରେ ଠାବ କରି ଘରକୁ ଫେରାଇ ଆଣିବା କାଠିକର ପାଠ ହୋଇଥିବା ବେଳେ ଗାଁର ଉପର ମୁଣ୍ଡରେ ରୁକୁମଣି ଭୂମିଆଙ୍କ ସ୍ବାମୀ ଭଗବାନ ଭୂମିଆ ମଧ୍ୟ ଆଉ ଜମେ ମାନସିକ ରୋଗୀ ଭାବେ ଜଙ୍ଗଲରେ ଘୁରି ବୁଲୁଥିଲେ । ସେମାନଙ୍କୁ ସେବା ଯୋଗାଇ ଦେବା ପରିବାର ସଦସ୍ୟଙ୍କ ପକ୍ଷେ ଏକ ବିରାଟ ସମସ୍ୟା ହୋଇ ଦେଖାଯାଇଥିଲା ।

ଲକ୍ଷ୍ମୀ, ହୀରାମଣି ଓ ଭଗବାନଙ୍କ ଭଳି ଅନେକ ବ୍ୟକ୍ତିଙ୍କୁ ଦେଶୀ ଜଡି ବୁଟି, ଗୁଣି ଗାରେଡିକୁ ଆଧାର କରି ଚିକିତ୍ସିତ କରାଯାଉଥିଲା । ପାଖ ପଡିଶା ଓ ଜ୍ଞାତି କୁଟୁମ୍ବର କଥାରେ ପଡି ସ୍ବାସ୍ଥ୍ୟ ସଚେତନତାର ଅଭାବ ଯୋଗୁଁ ଏହି ଗୁରୁତର ସମସ୍ୟାକୁ ମଧ୍ୟ ଗୁଣି ଗାରେଡି ଓ ପାରମ୍ପରିକ ବୈଦ୍ୟର ସହାୟତା ନିଆଯାଇଥିଲା । କିନ୍ତୁ କୌଣସି ସୁଫଳ ନମିଳିବାରୁ ବୈପାରିଗୁଡା, ଜୟପୁର ଓ କୋରାପୁଟରେ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ପରିବାର ବର୍ଗ ସେମାନଙ୍କ ଚିକିତ୍ସା କରାଇଥିଲେ । ଲକ୍ଷ୍ମୀ ଭୂମିୟାଙ୍କୁ ଜୟପୁରସ୍ଥିତ ବେସରକାରୀ ଚିକିତ୍ସାଳୟରେ ଚିକିତ୍ସା କରାଉଥିଲେ ସ୍ବାମୀ ନିଳାମ୍ବର । ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବା ସତ୍ତ୍ବେ ପତ୍ନୀଙ୍କ ସୁସ୍ଥ ହେବାର କାମନା କରି କିଛି ବର୍ଷ ଖର୍ଚ୍ଚାନ୍ତ ହୋଇଥିଲେ ବୋଲି ସେ କହିଛନ୍ତି ।

ହେଲେ ଏବେ ସ୍ପ୍ରେଡ୍‌ ସଂଗଠନ ଓ ଜିଲ୍ଲା ପ୍ରଶାସନ ସରକାରୀ ଭାବେ ନିଃଶୁଳ୍କ ଔଷଧ ଦିଆଯିବା ପରେ ସେମାନେ ସୁସ୍ଥ ହେବାରେ ଲାଗିଛନ୍ତି । ୨୦୧୭ରେ କୋରାପୁଟ ଜିଲ୍ଲାର ଏହି ସଂଗଠନ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଫଳରେ ବୈପାରିଗୁଡା ବ୍ଲକରେ ୫୦୦ରୁ ଊର୍ଦ୍ଧ୍ବ ମାନସିକ ରୋଗ ବାଧିତ ଓ ମୁର୍ଚ୍ଛା ରୋଗରେ ପୀଡିତ ବ୍ୟକ୍ତିଙ୍କ ଜୀବନରେ ନୂତନ ଆଲୋକ ଆସିଥିବା ସ୍ପ୍ରେଡ୍‌ ସଂଗଠନରେ ସଂଯୋଜକ ଭାବେ କାର୍ଯ୍ୟରତ ଜ୍ୟୋତିରଞ୍ଜନ ବେହେରା କହିଛନ୍ତି । ଲକ୍ଷ୍ମୀ, ହୀରାମଣି ଓ ଭଗବାନଙ୍କ ଭଳି ଅନେକ ମାନସିକ ରୋଗୀ ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି ।

ବର୍ତ୍ତମାନ ଭଗବାନ ବାଉଁଶ ବୁଣିବା, ମହୁଲ ଗୋଟାଇବା, ଚାଷ କରିବା କ୍ଷେତ୍ରରେ ନିଜ ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି । ସେହିପରି ଲକ୍ଷ୍ମୀ ଓ ହୀରାମଣି ଘରକରଣା କାମ କରିବାରେ ସିଦ୍ଧହସ୍ତ ହେଲେଣି । ନିଜ କାମ ନିଜେ କରିବା ଓ ସ୍ଥିର ଚିତ୍ତରେ ଜୀବନ ଅତିବାହିତ କରୁଛନ୍ତି । କୋରୋନା ସମୟରେ ମଧ୍ୟ ସ୍ପ୍ରେଡ୍‌ ସଂଗଠନର କର୍ମକର୍ତ୍ତା ରୋଗୀଙ୍କ ଘରେ ଔଷଧ ପହଞ୍ଚାଇ ପ୍ରତିଦିନ ଔଷଧ ସେବନର ପ୍ରକ୍ରିୟାକୁ ଜାରି ରଖିବାରେ ସହାୟକ ହୋଇଥିଲେ ବୋଲି ପରିବାରବର୍ଗ କହିଛନ୍ତି ।

ଇଟିଭି ଭାରତ, କୋରାପୁଟ

Last Updated :Jun 1, 2023, 8:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.