ETV Bharat / state

ବର-ଅଶ୍ୱସ୍ଥ ବୃକ୍ଷ ବାହାଘର, ଝୁମିଲେ ଗ୍ରାମବାସୀ

author img

By

Published : May 24, 2023, 3:45 PM IST

Marriage of Two Trees
ବର ଅଶ୍ୱସ୍ଥ ବୃକ୍ଷ ବିବାହ

ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଛନ୍ତି ଦୁଇ ବୃକ୍ଷ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କୋରାପୁଟ ଜିଲ୍ଲା ବଡକେରେଙ୍ଗାରେ ବର ଓ ଅଶ୍ବସ୍ଥ ବୃକ୍ଷ ମଧ୍ୟରେ ବିବାହ ହୋଇଛି । ଅଧିକ ପଢନ୍ତୁ

ବର ଅଶ୍ୱସ୍ଥ ବୃକ୍ଷ ବିବାହ

କୋରାପୁଟ: ବାଜା ବାଜୁଛି । ପୁରୋହିତ ମନ୍ତ୍ର ପଢୁଛନ୍ତି । ଆଉ ଭୋଜି ଭାତର ଆସର ବି ଜମିଛି । ଲାଗୁଛି ସତେ ଯେମିତି କାହାର ବିହାଘର ହେଉଛି । ହଁ ବାହାଘର ତ ନିଶ୍ଚୟ ହେଉଛି ମାତ୍ର କୌଣସି ମଣିଷ ଏଠି ବର କି କନିଆ ନୁହନ୍ତି ବରଂ ବୃକ୍ଷ ସାଜିଛନ୍ତି ବର-କନିଆ । ହଁ କଥାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଥିବ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଛନ୍ତି ଦୁଇ ବୃକ୍ଷ । କୋରାପୁଟ ଜିଲ୍ଲା ବଡକେରେଙ୍ଗାରେ ବର ଓ ଅଶ୍ବସ୍ଥ ବୃକ୍ଷ ମଧ୍ୟରେ ବିବାହ ହୋଇଛି । ଯାହାକୁ ଉପଭୋଗ କରିଛନ୍ତି ସ୍ଥାନୀୟ ଲୋକ ।

ଲୋକେ ଭୋଜି ଭାତ ଖାଇଲେ , ଢେମସା ନାଚିଲେ ଓ ରାତିରେ ଦେଶିଆ ନାଟ ମଞ୍ଚସ୍ଥ କରିବା ପାଇଁ ସମସ୍ତ ଆୟୋଜନ ସରିଲା । କିନ୍ତୁ ଏହା କୌଣସି ମଣିଷର ବାହାଘର ନଥିଲା । କୋରାପୁଟ ଜିଲ୍ଲାର କୋଲାବ ଜଳ ଭଣ୍ଡାର ନିକଟ ନୂଆ ପୁକି ଗ୍ରାମରେ ଏ ଥିଲା ଦୁଇଟି ଗଛର ବାହାଘର । ବର ଓ ଅଶ୍ବସ୍ଥ ବୃକ୍ଷ ମଧ୍ୟରେ ବିବାହ ସମ୍ପନ୍ନ ହୋଇଛି । ଅଶ୍ବସ୍ଥ ବୃକ୍ଷ ହୋଇଥିଲା ବର ଓ ବର ଗଛ ହୋଇଥିଲେ କନ୍ୟା । ହିନ୍ଦୁ ରୀତି ନୀତିରେ ମଣିଷଙ୍କର ଯେମିତି ବାହାଘର ହୁଏ , ଠିକ ସେହିପରି ସମସ୍ତ ରୀତିନୀତି ବିଧି ବିଧାନକୁ ପାଳନ କରି ଗ୍ରାମବାସୀ ଏହି ବିବାହ ସମ୍ପନ୍ନ କରିଛନ୍ତି । କଳ୍ପବୃକ୍ଷ ଭାବେ ପରିଗଣିତ ହେଉଥିବା ଅଶ୍ବସ୍ଥ ଓ ବଟ ବୃକ୍ଷଙ୍କ ବିବାହ ପ୍ରଥା ମନୁ ପରାଶରଙ୍କ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଥିବା କଥା ଏହି ବିବାହ ସମ୍ପନ୍ନ କରାଇଥିବା ନେଇ କହିଛନ୍ତି ପୁରୋହିତ ଭଗବାନ ରଥ ।

ପ୍ରକୃତିକୁ ନିଜ ଜୀବନର ଆଧାର ଭାବେ ସମ୍ମାନ ଜଣାଉଥିବା ପ୍ରକୃତି ପ୍ରେମୀ ଆଦିବାସୀଙ୍କ ମନରେ ଶାସ୍ତ୍ର ସମ୍ମତ ଏହି ବିବାହ କଲେ ମନସ୍କାମନା ପୁରଣ ହୁଏ ବୋଲି ବିଶ୍ବାସ ରହିଛି । ତେଣୁ ଏହି ବିଶ୍ବାସକୁ ଦୃଷ୍ଟିରେ ରଖି କୋଲାବ ଜଳଭଣ୍ଡାର କଡରେ ଥିବା ଏହି ମନ୍ଦିର ଶୁନ୍ୟ ଗ୍ରାମରେ 2013 ମସିହାରେ ଗ୍ରାମବାସୀ ବିଦ୍ୟାଳୟର ଠିକ ସମ୍ମୁଖ ଭାଗରେ ଅଶ୍ବସ୍ଥ ଓ ବଟବୃକ୍ଷ ରୋପଣ କରିଥିଲେ । ସେହି ଦିନଠାରୁ ଗ୍ରାମବାସୀ ଏହି ଦୁଇଟି ବୃକ୍ଷକୁ ଶିଶୁଙ୍କ ପରି ଯତ୍ନ କରୁଥିଲେ । ବିଶେଷ କରି ଗାଁର ବରିଷ୍ଠ ନାଗରିକ ମଦନ ଖିଲ ଏହି ଦୁଇଟି ବୃକ୍ଷକୁ ନିଜ ପରିବାରର ଦୁଇ ପୁଅ ପରି ଭଲ ପାଉଥିଲେ । ଶାସ୍ତ୍ର ଅନୁଯାୟୀ ଏହି ଦୁଇଟି ବୃକ୍ଷରେ ଫଳ ଧରିବା ପୂର୍ବରୁ ହିଁ ଦୁହିଁଙ୍କ ଵିଵାହ ସମ୍ପନ୍ନ ହେବାର ଆବଶ୍ୟକତା ବର୍ଣ୍ଣନା ରହିଛି ।

ତେଣୁ ଏହି ଦୁଇଟି ବୃକ୍ଷର ବିବାହ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ବାହାଘରର ସମ୍ପୁର୍ଣ୍ଣ ଖର୍ଚ୍ଚ ଗ୍ରାମବାସୀ ବହନ କରିଥିବା ବେଳେ ପାଖଆଖ ଗ୍ରାମର ବହୁ ଲୋକ ଏହି ନିଆରା ବିବାହ ଉତ୍ସବରେ ଯୋଗ ଦେଇଥିଲେ । ଗ୍ରାମବାସୀ ନିଜ ଜ୍ଞାତି କୁଟୁମ୍ବଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ । ବିବାହ ଉତ୍ସବରେ ସମସ୍ତେ ମିଶି ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ ଢେମସା ନାଚିବା ସହ ସମସ୍ତେ ମିଳିମିଶି ଭୋଜି ଖାଇବା ଓ ରାତ୍ରିରେ ଆଦିବାସୀ ପାରମ୍ପରିକ ଦେଶିଆ ନାଟ ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ । ଏହି ବିବାହ ଉତ୍ସବ ପ୍ରକୃତି ଓ ମନୁଷ୍ୟର ସମ୍ପର୍କର ପ୍ରତୀକ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.