ETV Bharat / state

ବାଲଡା ପର୍ବତରେ ଖଣି ଖନନକୁ ବିରୋଧ, ମା' ନାଗେଶ୍ୱରୀଙ୍କ ଶରଣ ପଶିଲେ ଅଞ୍ଚଳବାସୀ

author img

By ETV Bharat Odisha Team

Published : Dec 27, 2023, 12:01 PM IST

Updated : Dec 27, 2023, 2:19 PM IST

Locals Oppose Balada Hill Mining: କୋରାପୁଟ ଜିଲ୍ଲା ନନ୍ଦପୁର ଅଞ୍ଚଳ ସ୍ଥିତ ବାଲଡା ପର୍ବତରେ ଖଣି ଖନନକୁ ବିରୋଧ । ସରକାର ନ ଶୁଣିବାରୁ ମା' ନାଗେଶ୍ୱରୀଙ୍କ ଶରଣ ପଶିଲେ ଅଞ୍ଚଳବାସୀ । ଅଧିକ ପଢନ୍ତୁ

Etv Bharat
Etv Bharat

ବାଲଡା ପର୍ବତରେ ଖଣି ଖନନକୁ ବିରୋଧ

କୋରାପୁଟ: ବାଲଡା ପର୍ବତରେ ପ୍ରସ୍ତାବିତ ଖଣି ଖନନକୁ ତୀବ୍ର ବିରୋଧ କରାଯାଉଛି । ଖଣି ଖନନ ହେଲେ ପ୍ରାକୃତିକ ବିଭବ ନଷ୍ଟ ହେବା ସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନ ଜୀବିକା ପ୍ରଭାବିତ ହେବ । ଏହି ଦୃଷ୍ଟିରୁ ଖଣି ଖନନ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଅଞ୍ଚଳବାସୀ ରାଜ୍ୟ ସରକାରଙ୍କୁ ଗୁହାରି କରିଥିଲେ । ମାତ୍ର କୌଣସି ସୁଫଳ ନମିଳିବାରୁ ଏବେ ସେମାନେ ପାହାଡ଼ର ଗୁମ୍ଫାରେ ଥିବା ମା' ନାଗେଶ୍ବରୀଙ୍କ ଶରଣ ପଶିଛନ୍ତି । ମା'ଙ୍କୁ ପୂଜାର୍ଚ୍ଚନା କରି ଖଣି ଖନନ ବାତିଲ୍ କରାଯିବା ପାଇଁ ପ୍ରାର୍ଥନା କରିଛନ୍ତି । ଏଥିସହ ଯଦି ସରକାର ନିଜ ଜିଦରେ ଅଟଳ ରୁହନ୍ତି, ତା'ହେଲେ ପ୍ରଥମେ ଲୋକଙ୍କୁ ଗୁଳି କରିବା ପରେ ଖଣି ଖନନ କରିବାକୁ ଚେତାବନୀ ଦେଇଛନ୍ତି ସ୍ଥାନୀୟବାସୀ ।

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡା ପର୍ବତରେ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଖଣି ଖନନକୁ ଗତ କିଛି ମାସ ହେଲାଣି ବାଲଡା, କୁଲାବିର, ଭେଜା, ବାଡେଲ ଓ ଅତଣ୍ଡା ଆଦି ୧୨ ଗୋଟି ପଞ୍ଚାୟତବାସୀ ବିରୋଧ କରିଆସୁଛନ୍ତି । ଏହି ପଞ୍ଚାୟତ ସମୂହର ଅଧିବାସୀଙ୍କୁ ପ୍ରତିନିଧିତ୍ଵ କରୁଥିବା ନାଗେଶ୍ବରୀ ବନ ସୁରକ୍ଷା ସମିତି ପକ୍ଷରୁ କୋରାପୁଟ ଜିଲ୍ଳାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆନ୍ଦୋଳନକାରୀ ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ, ଏହି ପାହାଡ଼ ଉପରେ ଆଖପାଖର ୮ ଗୋଟି ପଞ୍ଚାୟତବାସୀ ନିର୍ଭରଶୀଳ । ସେମାନେ ପାହାଡ଼ ଉପରେ ଅଧିଷ୍ଠିତ ମା' ନାଗେଶ୍ବରୀ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରିଆସୁଛନ୍ତି । ଏହି ପାହାଡ଼ରେ ଗଛ ଲତା, ପଶୁପକ୍ଷୀ ଭରି ରହିଛି । ପାହାଡ଼ ମଧ୍ୟରୁ କନ୍ଦା, ଫୁଲ, ଫଳମୂଳ ପ୍ରଭୃତି ସଂଗ୍ରହ କରି ସ୍ଥାନୀୟ ଲୋକେ ଜୀବନଜୀବିକା ନିର୍ବାହ କରୁଥିବା ବେଳେ କିଛି ଲୋକେ ତଳ ମୁଣ୍ଡରେ ଚାଷବାସ କରି ପରିବାର ଚଳାଉଛନ୍ତି । ତେଣୁ ବାଲଡା ପାହାଡ଼ରେ ଖଣି ଖନନ ନିଷ୍ପତ୍ତି ବିରୁଦ୍ଧରେ ସରକାରଙ୍କୁ ଗୁହାରି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ବେଆଇନ ଖଣି ଖନନ ଉପରେ କେବେ ଲାଗିବ ରୋକ ? ଚିନ୍ତାରେ ପରିବେଶବିତ୍‌

ଏହି ପାହାଡଟିର ଉପର ଭାଗରେ ଅନେକ ଛୋଟ ବଡ଼ ଗୁମ୍ଫା ଏବଂ ଏକ ବିରାଟ ଜଳାଶୟ ରହିଛି । ଲୋକଙ୍କୁ ଆକୃଷ୍ଟ କରିଥିବା ଏହି ମନୋରମ ପାହାଡ଼କୁ କିଛି ବର୍ଷ ପୂର୍ବେ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପର୍ଯ୍ୟଟନ କ୍ଷେତ୍ର ଭାବେ ଘୋଷଣା କରିଥିଲେ । ଏହି କ୍ରମରେ ରାଜ୍ୟ ବନ ବିଭାଗ ଦ୍ଵାରା ବୃକ୍ଷରୋପଣ, ଜଳାଶୟର ସୁରକ୍ଷା ପ୍ରଭୃତି କାର୍ଯ୍ୟ କରାଯାଇଛି । ପ୍ରଶାସନ ପକ୍ଷରୁ ପାହାଡ଼ର ତଳୁ ଉପର ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତା ରାସ୍ତା ନିର୍ମାଣ ହୋଇଛି । ପାହାଡ଼ ଉପରେ ସ୍ଥିତ ନାଗେଶ୍ୱରୀ ଗୁମ୍ଫାରେ ପ୍ରତିବର୍ଷ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏଥିରେ ବହୁସଂଖ୍ୟାରେ ଶ୍ରଦ୍ଧାଳଙ୍କୁ ସମାଗମ ହେଉଥିବା ବେଳେ ଲୋକଙ୍କ ଆସ୍ଥା ପ୍ରତି ସମ୍ମାନ ଜଣାଇ ଗୁମ୍ଫାର ରକ୍ଷଣାବେକ୍ଷଣ ମଧ୍ୟ କରାଯାଇଛି ।

ନାଗେଶ୍ବରୀ ଗୁମ୍ଫା ଭଳି ବିଶାଳକାୟ ଗୁମ୍ଫା ପର୍ଯ୍ୟଟକଙ୍କୁ ଆକର୍ଷିତ କରି ଆସିଛି । କୋରାପୁଟ ଜିଲ୍ଲା ପ୍ରଶାସନ ମଧ୍ୟ ଏହି ସମସ୍ତ ଗୁମ୍ଫାର ପୁନରୁଦ୍ଧାର କରି ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ଭାବେ ଗଢି ତୋଳିବାକୁ ପ୍ରଚେଷ୍ଟା କରିଛି । କାହିଁ କେଉଁ ଅନାଦି କାଳରୁ ଏହି ଗୁମ୍ଫାରେ ମା' ନାଗେଶ୍ବରୀ ପୂଜା ପାଇଆସୁଛନ୍ତି । ପ୍ରତିବର୍ଷ ଗୁମ୍ଫାରେ ଦମକ ଯାତ୍ରା ଅନୁଷ୍ଠିତ ହୋଇଥାଏ । ପାହାଡ଼ରେ ରାସ୍ତା ନିର୍ମାଣ ହେବା ପରେ ପ୍ରତିବର୍ଷ ଏହି ଦମକ ଯାତ୍ରାରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡରୁ ବହୁସଂଖ୍ୟାରେ ପର୍ଯ୍ୟଟକ ଓ ଭକ୍ତଙ୍କ ସମାଗମ ହେଉଛି ।

ଏହାସତ୍ତ୍ବେ ଏବେ ରାଜ୍ୟ ସରକାର ପୂର୍ବ ପ୍ରତିଶ୍ରୁତିକୁ ଭୁଲିଯାଇ ଏହି ପର୍ବତରେ ଖଣି ଖନନ କରି ପ୍ରାକୃତିକ ଶୋଭାରାଜିକୁ ନଷ୍ଟ କରିବାକୁ ବସିଛନ୍ତି । ଫଳରେ ଶହ ଶହ ଲୋକଙ୍କ ଆସ୍ଥା ନାଗେଶ୍ବରୀ ଗୁମ୍ଫାର ଅସ୍ଥିତ୍ବ ମଧ୍ୟ ମାଟିରେ ମିଶିଯିବାକୁ ବସିଛି । ଯେଉଁଥିପାଇଁ ସରକାରଙ୍କ ଖଣି ଖନନ ପ୍ରସ୍ତାବକୁ ତୀବ୍ର ବିରୋଧ କରାଯାଉଛି । ବାଲଡା ପାହାଡରେ ଖଣି ଖନନ ପାଇଁ ସରକାର କୌଣସି କମ୍ପାନୀକୁ ଲିଜ୍ ଦେଲେ ଆଗକୁ ଜୋରଦାର ଆନ୍ଦୋଳନ କରାଯିବାକୁ ସ୍ଥାନୀୟ ଲୋକେ ଚେତାବନୀ ଶୁଣାଇଛନ୍ତି । ସରକାର ଯଦି ନିଜ ଜିଦରେ ଅଟଳ ରୁହନ୍ତି ତେବେ ପାଞ୍ଚଟି ପଞ୍ଚାୟତର ଲୋକଙ୍କ ଉପରେ ଗୁଳିଚାଳନା କରି ଖଣି ଖୋଳିବାକୁ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

Last Updated :Dec 27, 2023, 2:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.