ETV Bharat / state

ବେଆଇନ ଖଣି ଖନନ ଉପରେ କେବେ ଲାଗିବ ରୋକ ? ଚିନ୍ତାରେ ପରିବେଶବିତ୍‌

author img

By

Published : Jun 9, 2023, 10:18 PM IST

ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା, ଟାଙ୍ଗି ଓ ବେଗୁନିଆ ଅଞ୍ଚଳରେ ମାଙ୍କଡା ଖଣି ଖନନ କରି କୋଟି କୋଟି ଟଙ୍କାର ରାଜସ୍ବ ଲୁଟୁଛନ୍ତି ପଥର ମାଫିଆ । ସେପଟେ ଜିଲ୍ଲାରେ ଶତାଧିକ ବେଆଇନ ଖଣି ଚାଲୁଥିଲେ ମଧ୍ୟ ପ୍ରଶାସନ କେବଳ ଗାଡି ଜବତ କରି ଚୁପ ବସୁଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ବେଆଇନ ଖଣି ଖନନ ଉପରେ କେବେ ଲାଗିବ ରୋକ ?
ବେଆଇନ ଖଣି ଖନନ ଉପରେ କେବେ ଲାଗିବ ରୋକ ?

ବେଆଇନ ଖଣି ଖନନ ଉପରେ କେବେ ଲାଗିବ ରୋକ ?

ଖୋର୍ଦ୍ଧା: ଜିଲ୍ଲାରେ ଚାଲିଥିବା ବେଆଇନ ଖଣି ଉପରେ କେବେ ଲାଗିବ ରୋକ ? କେବେ ହେବ ଖଣି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ? କେବେ ଫେରିବ ପରିବେଶ ସନ୍ତୁଳନ ? ଏବେ ଏମିତି କିଛି ପ୍ରଶ୍ନ ଉଙ୍କି ମାରୁଛି ପରିବେଶବିତ ଓ ଜନସାଧାରଣଙ୍କ ମନରେ । ହଜାରହଜାର ଏକର ଜଙ୍ଗଲ, ଗୋଚର ଓ ଜଗନ୍ନାଥ ଜମିକୁ ଦିନ ରାତି କାଟି ପରିବେଶ ସନ୍ତୁଳନକୁ ସଙ୍ଗୀନ କରିସାରିଲେଣି ମାଙ୍କଡା ପଥର ଅଫିଆ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍‌ । ସେପଟେ ଜିଲ୍ଲାରେ ଶତାଧିକ ବେଆଇନ ଖଣି ଚାଲୁଥିଲେ ମଧ୍ୟ ପ୍ରଶାସନ କେବଳ ଗାଡି ଜବତ କରି ଚୁପ ବସୁଥିବା ଅଭିଯୋଗ ହୋଇଛି ।

ସବୁ ଜାଣି ନିଦାବିଷ୍ଣୁ ସାଜିଛି ପ୍ରଶାସନ !: ମାଙ୍କଡ଼ା ପଥରର ଗଡ଼ ହେଉଛି ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା, ଟାଙ୍ଗି ଓ ବେଗୁନିଆ ଅଞ୍ଚଳ । ଏହି ଅଞ୍ଚଳରେ ଏବେ ବେଆଇନ ଭାବେ ମାଙ୍କଡା ଖଣି ଖନନ କରି କୋଟି କୋଟି ଟଙ୍କାର ରାଜସ୍ବ ଲୁଟୁଛନ୍ତି ପଥର ମାଫିଆ । ଦିନକୁ ଶହଶହ ଟ୍ରକ ମାଙ୍କଡା ପଥର ଚୋରାଚାଲାଣ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଶାସନ ସବୁ ଜାଣି ନିଦାବିଷ୍ଣୁ ପଲଟିଥିବା ସାଧାରଣ ଲୋକ ଅଭିଯୋଗ କରିଛନ୍ତି । ମଝିରେ ମଝିରେ ଲୋକ ଦେଖାଣିଆ ଚଢାଉ ହେଉଛି । ହେଲେ ପୋଲିସ ପ୍ରଶାସନ ଓ ରାଜସ୍ବ ବିଭାଗର ଜାଣତରେ ମାଙ୍କଡ଼ାପଥର, ଗ୍ରାନାଇଟ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି । ଏମିତି ଚାଲିଲେ ଖୋର୍ଦ୍ଧା ଜିଲ୍ଲା ଲଘୁଖଣି ଖାଦାନ ଶୂନ୍ୟ ହେବା କିଛି ବିଚିତ୍ର ନୁହେଁ । ବିନା ପରିବେଶ ମଞ୍ଜୁରୀରେ ଖୋଳା ଚାଲିଛି ଖଣି ଏବଂ ଲୁଟ ହେଉଛି ରାଜସ୍ବ । ଯାହାଦ୍ବାରା ପରିବେଶ ଉପରେ ଏହାର ବିଶେଷ ପ୍ରଭାବ ପଡୁଥିବା ବେଳେ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ପରିବେଶବିତ୍‌ ।

୮ ବର୍ଷରେ ଆଦାୟ ହୋଇଛି ୧୮ କୋଟିରୁ ଊର୍ଦ୍ଧ୍ବ ଜରିମାନା: ୨୦୧୫ରୁ ୨୦୨୨ ମସିହା ମଧ୍ୟରେ ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଖଣି ଖାଦାନ ଉପରେ ଚଢାଉ କରି ୩ ଲକ୍ଷ ୭ ହଜାର ୨୭୩ କ୍ୟୁବିକ ମିଟର ବାଲି ଏବଂ ୩ ହଜାର ୪୩୦ କ୍ୟୁବିକ ମିଟର ପଥର ଜବତ କରାଯାଇଛି । ଏହି ବାବଦରେ ୧୮ କୋଟି ୪୧ ଲକ୍ଷ ୭୦ ହଜାର ୮୬୦ ଟଙ୍କା ଜରିମାନା ଆଦାୟ ହୋଇଛି । ଅନ୍ୟପକ୍ଷରେ ପ୍ରଶାସନ ନିଲାମ ବାବଦରେ ରାଜସ୍ବ ପାଇଛି ୪୨ କୋଟି ୬୪ ଲକ୍ଷ ୯୬ ହଜାର ଟଙ୍କା । ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ଅଭିଯୋଗରେ ୪,୪୫୨ ପଥର ମାଫିଆଙ୍କ ନାମରେ ମାମଲା ହୋଇଛି । ସେହିଭଳି ୪,୪୫୨ଟି ଗାଡ଼ି ମଧ୍ୟ ଜବତ କରାଯାଇଥିବା ପ୍ରଶାସନ ତଥ୍ୟ କହୁଛି । ହେଲେ ଅଭିଯୋଗ ହେଉଛି, ପ୍ରଶାସନ ପ୍ରୋତ୍ସାହନରେ ପଥର ମାଫିଆ ମାତିଛନ୍ତି । ବେଆଇନ ଲଘୁଖଣିଜ ଚୋରି ରୋକିବାରେ ପ୍ରଶାସନ ବିଫଳ ହୋଇଛି । ଖୋର୍ଦ୍ଧା ଉପଖଣ୍ଡର ହଳଦିଆ, କେରଙ୍ଗ, ଜଙ୍କିଆ, ହାଡ଼ପଦା, ଟାଙ୍ଗିଆପଡ଼ା, ତାପଙ୍ଗ, ବଙ୍ଗିବା, କାଇପଦର, ତାପଙ୍ଗ, ବ୍ରଜମୋହନପୁର, ମଳିପଡ଼ା, ଗୋଡ଼ିପଡ଼ା ସମେତ ବେଗୁନିଆ ବ୍ଲକର ଗଡ଼ମାଣତିରୀ, ବୋତଳମା, ଦୁର୍ଗାପୁର, ଗୁଡୁମ, କୁଞ୍ଜୁରୀ, ରାଉତପଡ଼ା ପ୍ରମୁଖ ଗ୍ରାମରେ ପଥର ମାଫିଆଙ୍କ ରାଜୁତି ଚାଲିଛି ।

ଆଦାୟ ଜରିମାନାର ସିଂହଭାଗ ଯାଉଛି ବଡ଼ବଡ଼ିଆଙ୍କ ପକେଟକୁ !: ପ୍ରକୃତ ପଥର ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଚାଲାଣ କରୁଥିବା ଗାଡ଼ି ମାଲିକ ଓ ଡ୍ରାଇଭରକୁ ପୋଲିସ ଓ ରାଜସ୍ବ ବିଭାଗ ଗିରଫ କରୁଥିବାରୁ ପୂର୍ବରୁ ଏନଜିଟି ଉଦ୍‌ବେଗ ପ୍ରକାଶ କରିଛନ୍ତି । ବେଆଇନ ଲଘୁ ଖଣିଜଦ୍ରବ୍ୟ ଚାଲାଣରେ ବହୁ ପ୍ରଭାବଶାଳୀ ନେତା ଓ ମୁଷ୍ଟିମେୟ ଲୋକଙ୍କ ସମ୍ପୃକ୍ତି ରହିଛି । ପ୍ରଶାସନ ସେମାନଙ୍କୁ ଗିରଫ କରିବା ପରିବର୍ତ୍ତେ ଛାଡ଼ିଦେଇ କିଛି ରାଜସ୍ବ ଓ ପୋଲିସ କର୍ମଚାରୀ ହାତ ଚିକ୍କଣ କରୁଛନ୍ତି । ସେପଟେ ରାଜସ୍ବ ବିଭାଗର ମୁଣି ଖାଲି ପଡ଼ୁଛି । ଥାନାର କିଛି ଅସାଧୁ କର୍ମଚାରୀ ଓ ପଥର ମାଫିଆଙ୍କ ମଧ୍ୟରେ ଭିତିରିଆ ବୁଝାମଣା ଯୋଗୁଁ ଆଦାୟ ଜୋରିମାନାର ସିଂହଭାଗ କିଛି ବଡ଼ବଡ଼ିଆ ବାବୁଙ୍କ ପକେଟକୁ ଯାଉଛି । ରାଜକୋଷ ଭରିବା ଆଶାରେ ମନ୍ଦିର ପ୍ରଶାସନ, ରାଜସ୍ବ ବିଭାଗ ବହୁ ସୈରାତ ନିଲାମ ପ୍ରଦାନ କରୁଛନ୍ତି । ବେଗୁନିଆ ଓ ସଦରଥାନା ଅଞ୍ଚଳରେ ବହୁ ନିଲାମଧାରୀ ଗୋଟିଏ ସୈରାତ ନିଲାମ ନେଇଥିବା ବେଳେ ପଡ଼ୋଶୀ ସୈରାତକୁ ବେଆଇନ ପଥର ଓ ମୋରମ ଉତ୍ତୋଳନ କରିବା ନେଇ ଏକାଧିକ ଅଭିଯୋଗ ହୋଇଛି । ଏହାସତ୍ତ୍ବେ ସବୁ ଜାଣି ପ୍ରଶାସନ ଚୁପ୍‌ ରହୁଛି ।

ଦିନରାତି ଏକ କରି ଲୁଟୁଛନ୍ତି ମାଫିଆ: ପକୃତ ଖଣି ମାଫିଆ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ରାଜସ୍ବ ଲୁଟରେ ରୋକ୍‌ ଲାଗିପାରନ୍ତା । ସେହିପରି ଖଣି କାଟି ସାରିବା ପରେ ସୃଷ୍ଟି ହେଉଥିବା ବଡ଼ ବଡ଼ ଖାଲସ୍ଥାନକୁ ପୋତା ଯାଉନଥିବାରୁ ସେଥିରେ ପଡି ଧନ ଜୀବନ ଓ ଗାଇଗୋରୁ ପ୍ରାଣ ହରାଉଛନ୍ତି । ସେପଟେ ଘଟଣା ସମ୍ପର୍କରେ ବେଗୁନିଆ ତହସିଲଦାର ପ୍ରଧାନ ଟୁଲି ଆମ୍ମା କହିଛନ୍ତି, "ଆମେ ବେଆଇନ ଖଣି ଖନନ ଉପରେ ନଜର ରଖିଛୁ । ବିଭିନ୍ନ ସ୍ଥାନରେ ଚାଲିଥିବା ଖଣି ଉପରେ ଚଢ଼ାଉ ହେଉଛି ।" ସେହିପରି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ କହିଛନ୍ତି, "ବେଆଇନ ଖଣି କାରବାର ଅପରାଧ ଏବଂ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।" ତେବେ ଦିନରାତି ଏକ କରି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମାଙ୍କଡ଼ା ପଥର ଲୁଟ କରୁଛନ୍ତି ମାଫିଆ । ଏହି ବେଆଇନ ଖଣି କେବେ ବନ୍ଦ ହେବ, ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.